ନୂଆଦିଲ୍ଲୀ: ଗତ ସପ୍ତାହରେ ଚୀନରେ SCO ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ସମ୍ବନ୍ଧ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ମୋଦି ଏବଂ ପୁଟିନଙ୍କୁ ଗୋଟିଏ କାରରେ ଦେଖିବାକୁ ମିଳିଥିଲା, ଯାହା ସାରା ବିଶ୍ୱରେ ଆଲୋଚନାର ବିଷୟ ହୋଇଥିଲା । ଦୁଇ ନେତା କାରରେ ପ୍ରାୟ ୫୦ ମିନିଟ୍ ପର୍ଯ୍ୟନ୍ତ କଥା ହୋଇଥିଲେ, କିନ୍ତୁ ଆଲୋଚନା କ’ଣ ହୋଇଥିଲା, ସେ ବିଷୟରେ ସ୍ପଷ୍ଟ ହୋଇନଥିଲା। ଏବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜେ କାରରେ ଉଭୟ ନେତାଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଥିଲା ତାହା ପ୍ରକାଶ କରିଛନ୍ତି।

ରୁଷ ନ୍ୟୁଜ୍ ଏଜେନ୍ସି TASS ର ରିପୋର୍ଟ ଅନୁଯାୟୀ, ଭ୍ଲାଦିମିର ପୁଟିନ ଚୀନରେ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ମାନଙ୍କୁ କହିଥିଲେ ଯେ,"ଏହା କୌଣସି ଗୁପ୍ତ କଥା ନୁହେଁ, ମୁଁ ତାଙ୍କୁ (ମୋଦୀଙ୍କୁ) ଆଲାସ୍କାରେ ଆମେ କ’ଣ ଆଲୋଚନା କରିଥିଲୁ ତାହା କହିଥିଲି।" ପୁଟିନ ଅଗଷ୍ଟରେ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ। ପୁଟିନ ଏହି ବୈଠକ ପରିପ୍ରେକ୍ଷୀରେ ସାମ୍ବାଦିକ ମାନଙ୍କୁ ଏହା କହିଥିଲେ।

କ୍ରେମଲିନର ପ୍ରବକ୍ତା ଦିମିତ୍ରୀ ପେସକୋଭ କହିଛନ୍ତି ଯେ, ଦୁଇ ନେତା କାରରେ ପ୍ରାୟ ଏକ ଘଣ୍ଟା ଧରି ଏକାନ୍ତରେ କଥା ହୋଇଥିଲେ। ପୁଟିନଙ୍କ ଚୀନ ଗସ୍ତକୁ କଭର କରୁଥିବା ଏକ ପୁଲ ଟିଭି ରିପୋର୍ଟରଙ୍କୁ ପେସକୋଭ କହିଛନ୍ତି, "ଯେତେବେଳେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚାଲିଛି, ସେତେବେଳେ ବିଭିନ୍ନ ସ୍ଥାନକୁ ଯାଇ ବାଧା ଦେବା ପାଇଁ ସମୟ ନାହିଁ। ସେ ସେଠାରେ ଆରାମଦାୟକ ଅନୁଭବ କରୁଥିଲେ ଏବଂ ସେଥିପାଇଁ ସେ ଆଲୋଚନା ଜାରି ରଖିଥିଲେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମସ୍କୋ ବିଶେଷଜ୍ଞ ମାନେ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ରାଷ୍ଟ୍ରପତି ପୁଟିନଙ୍କ ଲିମୋଜିନକୁ ଆଲୋଚନା ଶୁଣିବା ସମସ୍ତଙ୍କ ଠାରୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖାଯାଇଛି, ଏବଂ ହୁଏତ ଏହି କାରଣରୁ ଦୁଇ ନେତା ଅତ୍ୟନ୍ତ ସମ୍ବେଦନଶୀଳ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରୁଥିଲେ। ସେମାନେ କୁହନ୍ତି ଯେ ହୁଏତ ଏହା ମୋଦୀ ଏବଂ ପୁଟିନଙ୍କ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗୋପନୀୟ ଆଲୋଚନା ଥିଲା, ଯେଉଁଥିରେ ସେମାନେ ଏପରି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ଯାହା "ଅନ୍ୟ ମାନଙ୍କ କାନ ପାଇଁ ନୁହେଁ"।