ନୂଆଦିଲ୍ଲୀ: ଫେବୃଆରୀରେ ଆମେରିକା ସହିତ ପରମାଣୁ ଚୁକ୍ତିନାମା ଶେଷ ହେବା ପରେ ମଧ୍ୟ ମସ୍କୋ ଆଉ ଏକ ବର୍ଷ ପାଇଁ ପରମାଣୁ ଅସ୍ତ୍ର ସୀମା ପାଳନ କରିବ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହା ସ୍ପଷ୍ଟ ଭାବେ କହିଛନ୍ତି। ନ୍ୟୁ ଷ୍ଟାର୍ଟ ଚୁକ୍ତିନାମା ହେଉଛି ରୁଷ ଏବଂ ଆମେରିକା ମଧ୍ୟରେ ଶେଷ ଅବଶିଷ୍ଟ ଅସ୍ତ୍ର ନିୟନ୍ତ୍ରଣ ଚୁକ୍ତିନାମା। ପୁଟିନ କହିଛନ୍ତି ଯେ, ୨୦୧୦ ର ନ୍ୟୁ ଷ୍ଟାର୍ଟ ଚୁକ୍ତିନାମାର ସମାପ୍ତି ବିଶ୍ୱ ସ୍ଥିରତା ଉପରେ ନକାରାତ୍ମକ ପ୍ରଭାବ ପକାଇବ। ରୁଷର ସୁରକ୍ଷା ପରିଷଦର ସଦସ୍ୟ ମାନଙ୍କ ସହିତ ଏକ ବୈଠକରେ ଭାଷଣ ଦେଇ ସେ କହିଛନ୍ତି ଯେ, ରୁଷ ଆଶା କରିବ ଯେ ଆମେରିକା ମଧ୍ୟ ଏହି ଚୁକ୍ତିନାମାର ସୀମା ପାଳନ କରିବ।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ଦିମିତ୍ରୀ ମେଦଭେଦେବଙ୍କ ମଧ୍ୟରେ ସ୍ୱାକ୍ଷରିତ ନ୍ୟୁ ଷ୍ଟାର୍ଟ ଚୁକ୍ତିନାମା ଅନୁଯାୟୀ, ପ୍ରତ୍ୟେକ ଦେଶ ପାଖରେ ୧୫୫୦ ରୁ ଅଧିକ ପରମାଣୁ ଅସ୍ତ୍ର ଏବଂ ୭ ଶହରୁ ଅଧିକ କ୍ଷେପଣାସ୍ତ୍ର ଏବଂ ବୋମାବର୍ଷକ ରହିବ ନାହିଁ। ଏବେ ଏହି ଚୁକ୍ତିନାମାର ମିଆଦ ଶେଷ ହେବା ଏବଂ ପରବର୍ତ୍ତୀ ଆଲୋଚନାର ଅଭାବ ଅନେକଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି।

ଫେବୃଆରୀ ୨୦୨୩ ରେ, ପୁଟିନ୍ ଚୁକ୍ତିନାମାରେ ମସ୍କୋର ଅଂଶଗ୍ରହଣକୁ ସ୍ଥଗିତ ରଖିଥିଲେ। ପୁଟିନ୍ ସେତେବେଳେ କହିଥିଲେ ଯେ, ୱାଶିଂଟନ୍ ଏବଂ ଏହାର ନାଟୋ ସହଯୋଗୀ ମାନେ ଖୋଲାଖୋଲି ଭାବରେ ୟୁକ୍ରେନରେ ମସ୍କୋର ପରାଜୟକୁ ସେମାନଙ୍କର ଲକ୍ଷ୍ୟ ଭାବରେ ଘୋଷଣା କରିଥିବା ସମୟରେ ରୁଷ ଆମେରିକାର ପରମାଣୁ ସ୍ଥାନ ଗୁଡ଼ିକର ଯାଞ୍ଚକୁ ଅନୁମତି ଦେଇପାରିବ ନାହିଁ। ତଥାପି, ମସ୍କୋ ଜୋର ଦେଇଛି ଯେ ଏହା ଚୁକ୍ତିନାମାରୁ ସମ୍ପୂର୍ଣ୍ଣ ଓହରି ଯାଉନାହିଁ ଏବଂ ଚୁକ୍ତିନାମା ଦ୍ୱାରା ନିର୍ଦ୍ଧାରିତ ପରମାଣୁ ଅସ୍ତ୍ର ସୀମାକୁ ସମ୍ମାନ କରିବ।