ଚଳିତ ବିଶ୍ୱକପ୍ରେ ରାତା ରାତି ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ଜଣେ ଅପରିଚିତ ଖେଳାଳି । ସେ ହେଉଛନ୍ତି କାବୋଭେର୍ଦେ ଦଳର ଗୋଲ କିପର ଜୋସିମାର ଜୋସ ଇଭୋରା ଡିୟାସ, ଯାହାଙ୍କୁ ଫୁଟବଲ୍ ମଇଦାନରେ ସମସ୍ତେ ‘ଭୋଜିନା’ନାମରେ ଜାଣନ୍ତି । ଦୁଇ ହାତରେ ଗ୍ଲୋଭ୍ସ ପିନ୍ଧି ଗୋଲ ପୋଷ୍ଟ ସମ୍ମୁଖରେ ଛିଡ଼ା ହେଉଥିବା ଜଣେ ଗୋଲ କିପରଙ୍କର ଏହା ଆତ୍ମଜୀବନୀ ନୁହେଁ । ଆଟଲାଣ୍ଟିକ ମହାସାଗର ମଝିରେ ଥିବା ଏକ ଛୋଟ ଦ୍ୱୀପର ଆତ୍ମସମ୍ମାନକୁ କାନ୍ଧରେ ଉଠାଇ ବିଶ୍ୱକପ୍ରେ ଯାତ୍ରା ଆରମ୍ଭ କରିଥିବା ଜଣେ ସାଧାରଣ ବ୍ୟକ୍ତିର ଏକ ସଂଘର୍ଷପୂର୍ଣ୍ଣ କାହାଣୀ ।
ମିଣ୍ଡେଲୋ ଗଳି ଓ ଭୋକିଲା ପେଟ
କାବୋ ଭେର୍ଦେର ସାଓ ଭିନସେଣ୍ଟ ଅଧିନସ୍ଥ ଏକ ଛୋଟ ସହର ହେଉଛି ମିଣ୍ଡେଲୋ । ଯେଉଁ ସହର ଚାରିପଟେ ଘେରି ରହିଛି ନୀଳ ସମୁଦ୍ର ଏବଂ ଭିତରେ ଗରିବି ଓ ଖାଦ୍ୟା ଭାବ। ୧୯୮୬ ମସିହା ଜୁନ ୩ ତାରିଖରେ ଏଭଳି ଏକ ଘରେ ଭୋଜିନାଙ୍କ ଜନ୍ମ, ଯେଉଁଠି ବର୍ଷା ହେଲେ ଛାତରୁ ପାଣି ଗଳୁଥିଲା । ମା’ ପର ଘରେ କାମ କରି ପିଲାଙ୍କ ପାଇଁ ଦୁଇ ଓଳି ଖାଇବା ଯୋଗାଡ଼ କରୁଥିଲେ ।
ପିଲା ବେଳୁ ଭୋଜିନାଙ୍କର ଫୁଟବଲ୍ ଖେଳ ପ୍ରତି ଦୁର୍ବଳତା ରହିଥିଲା । ହେଲେ ପାଖରେ ଜୋତା କି ଗ୍ଲୋଭ୍ସ ନଥିଲା । ମିଣ୍ଡେଲୋର ପଥୁରିଆ ପଡ଼ିଆରେ ଡାଇଭ ମାରି ପ୍ରାୟତଃ ଖଣ୍ଡିଆ ଖାବରା ହେଉଥିଲେ ଭୋଜିନା । ଘରକୁ ଫେରିଲେ ମା’ କାନ୍ଦି ଉଠୁଥିଲେ । ଫୁଟବଲ୍ ଖେଳିଲେ ପେଟ ପୁରିବ ନାହିଁ ବୋଲି ବାରମ୍ବାର ପୁଅକୁ କହୁଥିଲେ । ମା’ ଆଖିରୁ ଲୁହ ପୋଛି ଦେଇ ଭୋଜିନା କହୁଥିଲେ, ‘ଦେଖିବୁ ମା, ଏହି ଫୁଟବଲ୍ ଖେଳ ଦିନେ ଆମ ଭାଗ୍ୟ ବଦଳାଇ ଦେବ ।’ ହେଲେ ସମୟ ଥିଲା କଠୋର । ଭୋଜିନାଙ୍କୁ ଏତେ ସହଜରେ କିଛି ମିଳିବା ସମ୍ଭବ ନଥିଲା ।
ପରିବାରର ତ୍ୟାଗ ଓ ସଂଘର୍ଷ ଥିଲା ଭୋଜିନାଙ୍କ ଅସଲ ଶକ୍ତି । ସେ ପରିବାରକୁ ଆର୍ଥିକ ସହାୟତା କରିବାକୁ ମନସ୍ଥ କଲେ । ପ୍ରତ୍ୟହ ସକାଳୁ ସମୁଦ୍ର କୂଳରୁ ଅଳିଆ ସଫା କଲେ। ମତ୍ସ୍ୟଜୀବିଙ୍କୁ ସହାୟତା କଲେ । ଦ୍ୱିପ୍ରହରର ପ୍ରଚଣ୍ଡ ଖରାରେ ଫୁଟବଲ୍ ଅଭ୍ୟାସ ଜାରି ରଖିଲେ । ଅଳିଆ ସଫା କରି ଯାହା କିଛି ରୋଜଗାର ହେଲା, ଖେଳ ପାଇଁ ଖର୍ଚ୍ଚ କରିବା ସହ ବାକି ଅର୍ଥ ମା’ଙ୍କୁ ଦେଉଥିଲେ । ଅଭ୍ୟାସ ସମୟରେ ପ୍ରତ୍ୟେକ ଡାଇଭ କେବଳ ଗୋଲ ବଞ୍ଚାଇବା ପାଇଁ ନଥିଲା ବରଂ ନିଜ ମା’ଙ୍କୁ ଏକ ଉନ୍ନତ ଜୀବନ ଦେବା ପାଇଁ ଥିଲା ଜିଦ୍ ।
ବର୍ଷ ପରେ ବର୍ଷ ବିତି ଚାଲିଥିଲା । ଶେଷରେ ମିଳିଲା ଏକ ସୁଯୋଗ । ତାଙ୍କ କଠିନ ପରିଶ୍ରମର ମୂଲ୍ୟ ମିଳିଲା । ୨୦୧୨ରେ ସେପ୍ଟେମ୍ବରରେ ଜାତୀୟ ଦଳରେ ପ୍ରଥମ କରି ସ୍ଥାନ ପାଇଲେ ଭୋଜିନା । ଗୋଲ୍ ପୋଷ୍ଟରେ ତାଙ୍କ ଫୁର୍ତ୍ତି, ଚିତା ଭଳି ଲମ୍ଫ ଓ ଲୁହା ପରି ଶକ୍ତ ପାପୁଲିରେ ବଲ୍କୁ ଠେଲି ବାହାର କରିବାର ଦକ୍ଷତା ତାଙ୍କୁ କାବୋ ଭେର୍ଦେର ଶ୍ରେଷ୍ଠ ଗୋଲ୍ କିପରର ମାନ୍ୟତା ଦେଇଥିଲା । ଗୋଲ ପୋଷ୍ଟ ସମ୍ମୁଖରେ ସେ ଏକ ପ୍ରାଚୀର ଭଳି ମନେ ହେଉଥିଲେ ।
ସାହସ ଦେଇଥିଲା ମା’ଙ୍କ ପରାମର୍ଶ
ଏକ ମ୍ୟାଚରେ ବଲ୍ ଅଟକାଇବାକୁ ପ୍ରୟାସ କରୁଥିବା ବେଳେ ପ୍ରତିପକ୍ଷ ଷ୍ଟ୍ରାଇକରଙ୍କ ସହ ଧକ୍କା ହୋଇଥିଲା । ଏଥିରେ ଭୋଜିନା ଚେତା ହରାଇ ଥିଲେ । ଚେତା ଫେରିବା ବେଳକୁ ରେଫରୀ ତାଙ୍କୁ ରେଡ କାର୍ଡ ଦେଖାଇ ଗ୍ରାଉଣ୍ଡରୁ ବିଦା କରି ଦେଇଥିଲେ ।
ଦଳ ଗ୍ର।ଉଣ୍ଡରେ ସଂଘର୍ଷ କରୁଥିବାବେଳେ ଭୋଜିନା ଡ୍ରେସିଂ ରୁମ୍ରେ ବସି କାନ୍ଦୁଥିଲେ । ମ୍ୟାଚ ପରେ ମା’ଙ୍କ ଫୋନ ଆସିଥିଲା । ମା’ କହିଥିଲେ, ‘ତୁ ମିଣ୍ଡେଲୋର ପଥୁରିଆ ପଡ଼ିଆରେ କେତେ ଥର ପଡ଼ିଛୁ ଓ ଉଠି ପୁଣି ଖେଳିଛୁ । ମଖମଲି ଘାସ ପଡ଼ିଆରେ ପଡ଼ିଲେ କଣ ଉଠି ପାରିବୁନି? ଉଠ୍ ଓ ନିଜ ସ୍ୱପ୍ନ ପୂରଣ କର । ନିଜ ଅସଲ ଦକ୍ଷତା ଦୁନିଆକୁ ଦେଖେଇ ଦେ ।’ ମା’ଙ୍କର ଏହି କେଇ ପଦ କଥା ତାଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଉତ୍ସାହିତ କରିଥିଲା ।
ଭୋଜିନାଙ୍କ ପ୍ରଦର୍ଶନ ବଳରେ କାବୋ ଭେର୍ଦେ ବିଶ୍ୱକପ୍କୁ ଯୋଗ୍ୟତା ଅର୍ଜନ କଲା । ଆଜି ସେ ଜଣେ ସାଧାରଣ ଗୋଲ କିପର ଭାବେ ଗୋଲ ପୋଷ୍ଟ ସମ୍ମୁଖରେ ଛିଡ଼ା ହେଉ ନାହାନ୍ତି । ସେ ମିଣ୍ଡେଲୋ ସହରର ସେହି ଛୋଟ ବାଳକ ସଦୃଶ ମନେ ହେଉଛନ୍ତି ଯିଏ ଗରିବିକୁ ପରାଜିତ କରିଛି, ଯିଏ ଜଣେ ମା’ର ଆଖିର ଲୁହକୁ ହସରେ ବଦଳାଇ ଦେଇଛି ଓ ଛୋଟିଆ ବିନ୍ଦୁ ସଦୃଶ ନିଜ ଦେଶକୁ ଫୁଟବଲ ମାନଚିତ୍ରରେ ଅମର କରି ଦେଇଛି । ତାଙ୍କ ସଂଘର୍ଷର କାହାଣୀ ଆମକୁ କେବଳ ଗୋଟିଏ ଶିକ୍ଷା ଦେଇ ପାରେ । ଜଣେ ଗୋଲ କିପରଙ୍କ ଗ୍ଲୋଭ୍ସ କେବଳ ବଲ୍ ଅଟକାଏ ନାହିଁ, ବେଳେ ବେଳେ ଭାଙ୍ଗି ଚୁରମାର୍ ହୋଇ ଯାଉଥିବା ଅସୁମାରି ସ୍ୱପ୍ନକୁ ମଧ୍ୟ ସାଉଁଟି ବାସ୍ତବ ରୂପ ଦେଇଥାଏ ।
ବିଶ୍ୱର ତୃତୀୟ କ୍ଷୁଦ୍ର ଦେଶ କାବୋ ଭେର୍ଦେ
କାବୋ ଭେର୍ଦେ ଆଫ୍ରିକା ମହାଦେଶର ଏକ ଛୋଟ ଦ୍ୱୀପ । ଆୟତନରେ ଏହା ବିଶ୍ୱର ତୃତୀୟ ଛୋଟ ଦେଶ । ଏହାର ଜନ ସଂଖ୍ୟା ୫,୨୫,୦୦୦। ୧୯୭୫ରେ କାବୋ ଭେର୍ଦେ ସ୍ୱାଧୀନ ହୋଇଥିଲା । କାବୋ ଭେର୍ଦେ ଦଳର ସମସ୍ତ ଖେଳାଳି ୧୫ଟି ଭିନ୍ନ ଭିନ୍ନ ଦେଶରୁ ଡାକରା ପାଇ ଆସିଛନ୍ତି । ଅବଶ୍ୟ ସମସ୍ତେ କାବୋ ଭେର୍ଦେ ବଂଶୋଦ୍ଭବ।
ମା’ଙ୍କ ଭିସା ପାଇଁ ନଥିଲା ଅର୍ଥ
ମ୍ୟାଚ ଶେଷ ହେବା ପରେ ଭୋଜିନା ପ୍ଲେୟାର ଅଫ ଦ ମ୍ୟାଚ୍ ପୁରସ୍କାର ପାଇଁ ଏକମାତ୍ର ଦାବିଦାର ଥିଲେ । ପୁରସ୍କାର ଗ୍ରହଣ କରୁଥିବା ସମୟରେ ତାଙ୍କ ଆଖି ଲୁହରେ ଜକେଇ ଆସିଥିଲା । ସେ ନିଜ ପରିବାରକୁ ମନେ ପକାଉଥିଲେ । ଭାବନାକୁ ଅଟକାଇ ପାରି ନଥିଲେ ଭୋଜିନା । ନିଜ ଜେଜେ ବାପା ଓ ଜେଜେ ମା’ଙ୍କୁ ସେ ମନେ ପକାଇ କାନ୍ଦିଥିଲେ । ଫୁଟବଲ୍ ସର୍ବୋଚ୍ଚ ଟୁର୍ଣ୍ଣାମେଣ୍ଟରେ ପାଦ ଦେଉ ଦେଉ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହେବା ଭଳି ଏକ ଖୁସିର ମୁହୂର୍ତ୍ତରେ ସେ କହିଥିଲେ, ମୁଁ ସେମାନଙ୍କୁ (ଜେଜେ ବାପା, ଜେଜେ ମା) ବହୁତ ମନେ ପକାଉଛି । ସେମାନଙ୍କ ନିକଟରେ ବଢ଼ିଛି ।’
ଖାଲି ସେତିକି ନୁହେଁ, ବିଶ୍ୱକପ୍ ଖେଳିବା ପାଇଁ ସେ ଆମେରିକା ଆସିଥିଲେ ହେଁ ମା’ଙ୍କୁ ସାଥୀରେ ଆଣି ପାରିନଥିବାରୁ ବହୁତ ଦୁଃଖିତ ଥିବା ମଧ୍ୟ କହିଥିଲେ । ମା’ଙ୍କ ଭିସା ପାଇଁ ଆବଶ୍ୟକ ଅର୍ଥର ଅଭାବ ଥିବାରୁ ସେ ତାଙ୍କୁ ଆମେରିକା ଆଣି ପାରି ନଥିବା ଜଣାଇଥିଲେ ।
ଭାଗ୍ୟ ବଦଳାଇ ଦେଲା ଗୋଟିଏ ମ୍ୟାଚ
ବିଶ୍ୱକପ୍ରେ କାବୋ ଭେର୍ଦେ ପଦାର୍ପଣ ମ୍ୟାଚ ଖେଳିବା ବେଳକୁ ଗୋଲ କିପର ଭୋଜ୍ନା ଙ୍କ ଇନଷ୍ଟାଗ୍ରାମ୍ ଫଲୋଅର୍ସ ଥିଲା ୪୩,୦୦୦ । ସ୍ପେନ ବିପକ୍ଷ ମ୍ୟାଚ ଶେଷ ହେବାର ୨୪ ଘଣ୍ଟା ମଧ୍ୟରେ ତାଙ୍କ ଫଲୋଅର୍ସ ସଂଖ୍ୟା ୬.୩ମିଲିୟନରେ ପହଞ୍ଚି ଯାଇଥିଲା । କାବୋ ଭେର୍ଦେର ମୋଟ୍ ଜନସଂଖ୍ୟା ଠାରୁ ତାଙ୍କ ଫଲୋଅର୍ସ ୫.୫ ମିଲିୟନ ଅଧିକ ହୋଇ ଯାଇଥିଲା । ଭୋଜିହ୍ନାଙ୍କ ପ୍ରଦର୍ଶନ କୌଣସି ଶ୍ରେଷ୍ଠ ଗୋଲ କିପରଙ୍କ ଠାରୁ ଢ଼େର ଉନ୍ନତ ରହିଥିଲା । ସେ କେବଳ ଗୋଲ କିପିଂ କରି ନଥିଲେ । ସେ ସମ୍ପୂର୍ଣ୍ଣ ମ୍ୟାଚର ରୂପ ରେଖ ବଦଳାଇ ଦେଇଥିଲେ । ସ୍ପେନ୍ ଅତି କମ୍ରେ ୪ଟି ନିଶ୍ଚିତ ଗୋଲ ସୁଯୋଗ ସୃଷ୍ଟି କରିଥିଲା ଓ ଭୋଜିନା ଏହାକୁ ଅଟକାଇ ଦେଇଥିଲେ । ତାଙ୍କ ଦକ୍ଷତାଠୁ ବଳି ଯାଇଥିଲା ତାଙ୍କ ଦୃଢ଼ ଆତ୍ମବିଶ୍ୱାସ । ସ୍ପେନ୍ ଯେତେ ଅଧିକ ଆକ୍ରମଣ କରୁଥିଲା, ତାଙ୍କ କ୍ଷେତ୍ର ରକ୍ଷଣ ସେତେ ସୁଦୃଢ଼ ହେଉଥିଲା । ସେ ଏଭଳି ଏକ ମ୍ୟାଚ୍ର ଫଳାଫଳ ବଦଳାଇ ଦେଇଥିଲେ, ଯେଉଁ ମ୍ୟାଚର ଫଳାଫଳ ବହୁ ପୂର୍ବରୁ ବାହାରି ପାରିଥା’ନ୍ତା ।
ଅଧିକ ପଢ଼ନ୍ତୁ :- ଦ୍ବିତୀୟ ଦିନିକିଆରେ ଆଫଗାନିସ୍ତାନକୁ ୧୭୦ ରନରେ ପରାସ୍ତ କଲା ଗିଲ୍ ବାହିନୀ