ନୂଆଦିଲ୍ଲୀ, ୧୮।୬: ଟ୍ୟାକ୍ସପେୟର୍ସ ବା କରଦାତାମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଆୟକର ରିଟର୍ଣ୍ଣ (ITR) ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆୟକର ବିଭାଗ ପକ୍ଷରୁ ଆସେସମେଣ୍ଟ ଇୟର ୨୦୨୬-୨୭ ପାଇଁ ଭିନ୍ନ ଭିନ୍ନ ବର୍ଗର କରଦାତାଙ୍କ ନିମନ୍ତେ ଅଲଗା ଅଲଗା ଡେଡଲାଇନ୍ ବା ଶେଷ ତାରିଖ ସ୍ଥିର କରାଯାଇଛି । ଆପଣଙ୍କ ରୋଜଗାରର ମାଧ୍ୟମ କ’ଣ ଏବଂ ଆପଣଙ୍କ ଆକାଉଣ୍ଟର ଅଡିଟ୍ ଜରୁରୀ କି ନୁହେଁ, ସେହି ଆଧାରରେ ଏହି ଡେଡଲାଇନ୍ ନିର୍ଦ୍ଧାରଣ ହୋଇଥାଏ । ସମୟ ସୀମା ମଧ୍ୟରେ ଆଇଟିଆର୍ ଦାଖଲ କରିବା ଅତ୍ୟନ୍ତ ଜରୁରୀ । ଏଥିରେ ବିଳମ୍ବ ହେଲେ ମୋଟା ଅଙ୍କର ଜରିମାନା ଏବଂ ସୁଧ ଦେବାକୁ ପଡ଼ିପାରେ । ଏହାଛଡ଼ା ଅନେକ ପ୍ରକାରର ଟ୍ୟାକ୍ସ ବେନିଫିଟ୍ ମଧ୍ୟ ହାତଛଡ଼ା ହୋଇଯିବାର ଆଶଙ୍କା ରହିଛି । ତେଣୁ ଶେଷ ମୁହୂର୍ତ୍ତର ଅସୁବିଧାରୁ ବଞ୍ଚିବା ପାଇଁ ନିଜ ବର୍ଗ ଅନୁସାରେ ସଠିକ୍ ଫର୍ମ ଏବଂ ଡେଡଲାଇନ୍ ବିଷୟରେ ଜାଣିରଖନ୍ତୁ ।
ଚାକିରିଆ ଓ ନିବେଶକଙ୍କ ପାଇଁ ଶେଷ ତାରିଖ କେବେ ?
ଦରମା, ପେନସନ, ଗୋଟିଏ ଘରୁ ଭଡ଼ା ବାବଦ ଆୟ, ବ୍ୟାଙ୍କ ସୁଧ କିମ୍ବା କ୍ୟାପିଟାଲ ଗେନ୍ସ ମାଧ୍ୟମରେ ରୋଜଗାର କରୁଥିବା ବ୍ୟକ୍ତିମାନଙ୍କୁ ସାଧାରଣତଃ ITR-1 କିମ୍ବା ITR-2 ଫର୍ମ ପୂରଣ କରିବାକୁ ପଡ଼ିଥାଏ । ଏଭଳି କରଦାତାଙ୍କ ପାଇଁ ଆଇଟିଆର୍ ଦାଖଲ କରିବାର ଶେଷ ତାରିଖ ୩୧ ଜୁଲାଇ ୨୦୨୬ ଧାର୍ଯ୍ୟ କରାଯାଇଛି ।
ITR-1: ଯେଉଁମାନଙ୍କର ବାର୍ଷିକ ଆୟ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ଆୟର ସୀମିତ ଉତ୍ସ ରହିଛି, ସେମାନେ ଏହି ଫର୍ମ ବ୍ୟବହାର କରିବେ ।
ITR-2: ଯେଉଁମାନଙ୍କର ଏକରୁ ଅଧିକ ଘର ଅଛି, ଅଧିକ କ୍ୟାପିଟାଲ ଗେନ୍ସ ଅଛି କିମ୍ବା ଅନ୍ୟାନ୍ୟ ଅତିରିକ୍ତ ଆୟ ଅଛି କିନ୍ତୁ କୌଣସି ବ୍ୟବସାୟ ନାହିଁ, ସେମାନଙ୍କ ପାଇଁ ଏହି ଫର୍ମ ଉଦ୍ଦିଷ୍ଟ । ଏହି ସବୁ ଫର୍ମ ପାଇଁ ଆବଶ୍ୟକୀୟ ୟୁଟିଲିଟି ବ୍ୟବସ୍ଥା ଉପଲବ୍ଧ କରାଇ ଦିଆଯାଇଛି ।
ବ୍ୟବସାୟୀ ଏବଂ ପ୍ରଫେସନାଲ୍ସଙ୍କ ପାଇଁ ଭିନ୍ନ ନିୟମ:
ଯେଉଁମାନେ ବ୍ୟବସାୟ କିମ୍ବା କୌଣସି ବୃତ୍ତି ମାଧ୍ୟମରେ ରୋଜଗାର କରୁଛନ୍ତି, ସେମାନଙ୍କ ପାଇଁ ଡେଡଲାଇନ୍ ଅଲଗା ରହିଛି । ଯେଉଁ କରଦାତାଙ୍କ ଆକାଉଣ୍ଟର ଅଡିଟ୍ କରିବା ଜରୁରୀ ନୁହେଁ, ସେମାନେ ITR-3 କିମ୍ବା ITR-4 ଫର୍ମ ଜରିଆରେ ୩୧ ଅଗଷ୍ଟ ୨୦୨୬ ସୁଦ୍ଧା ରିଟର୍ଣ୍ଣ ଦାଖଲ କରିପାରିବେ ।
କାହା ପାଇଁ ITR-4 ?
ଏହା ଛୋଟ ବ୍ୟବସାୟୀ ଏବଂ ପ୍ରଫେସନାଲମାନଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁମାନେ ପ୍ରିଜମ୍ପଟିଭ୍ ଟ୍ୟାକ୍ସେସନ ସ୍କିମ୍ ର ଲାଭ ଉଠାଉଛନ୍ତି । ତେବେ କମ୍ପାନୀର ଡିରେକ୍ଟର କିମ୍ବା ବିଦେଶରୁ ଆୟ କରୁଥିବା ଲୋକେ ଏହି ଫର୍ମ ବ୍ୟବହାର କରିପାରିବେ ନାହିଁ । ଯେଉଁ ବ୍ୟବସାୟୀ କିମ୍ବା ସଂସ୍ଥାଗୁଡ଼ିକର ଆକାଉଣ୍ଟ ଅଡିଟ୍ ହେବା ବାଧ୍ୟତାମୂଳକ, ସେମାନଙ୍କ ପାଇଁ ଶେଷ ତାରିଖ ୩୧ ଅକ୍ଟୋବର ୨୦୨୬ ରଖାଯାଇଛି ।
ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଡେଡଲାଇନ୍:
୩୦ ନଭେମ୍ବର ୨୦୨୬: ଯେଉଁ ମାମଲାରେ ଟ୍ରାନ୍ସଫର ପ୍ରାଇସିଂ ରିପୋର୍ଟ ଦାଖଲ କରିବାକୁ ପଡ଼ିଥାଏ, ସେମାନଙ୍କ ପାଇଁ ଏହି ତାରିଖ ଶେଷ ।
୩୧ ଡିସେମ୍ବର ୨୦୨୬: ଯଦି କେହି ନିର୍ଦ୍ଧାରିତ ସମୟ ମଧ୍ୟରେ ରିଟର୍ଣ୍ଣ ଭରିପାରି ନାହାନ୍ତି, ତେବେ ସେମାନେ ଜରିମାନା ସହ ବିଳମ୍ବିତ ରିଟର୍ଣ୍ଣ ଦାଖଲ କରିପାରିବେ ।
୩୧ ମାର୍ଚ୍ଚ ୨୦୨୭: ଯଦି ଆପଣ ଦାଖଲ କରିଥିବା ରିଟର୍ଣ୍ଣରେ କିଛି ଭୁଲ୍ ରହିଯାଇଛି, ତେବେ ଏହି ତାରିଖ ସୁଦ୍ଧା ସେଥିରେ ସଂଶୋଧନ କରିପାରିବେ ।
୩୧ ମାର୍ଚ୍ଚ ୨୦୩୧: କରଦାତାମାନଙ୍କୁ ଅପଡେଟେଡ୍ ରିଟର୍ଣ୍ଣ (ITR-U) ଦାଖଲ କରିବାର ସୁବିଧା ମଧ୍ୟ ମିଳିବ, ଯେଉଁଥିରେ ନିର୍ଦ୍ଧାରିତ ସର୍ତ୍ତ ଅନୁଯାୟୀ ୨୦୩୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରିଟର୍ଣ୍ଣ ଅପଡେଟ୍ କରାଯାଇପାରିବ ।
ଏକ୍ସପର୍ଟଙ୍କ ପରାମର୍ଶ:
ଆର୍ଥିକ ବିଶେଷଜ୍ଞଙ୍କ ଅନୁସାରେ, ସମସ୍ତ କରଦାତା ନିଜର ଫର୍ମ-୧୬, ବ୍ୟାଙ୍କ ଷ୍ଟେଟମେଣ୍ଟ, ନିବେଶ ସମ୍ବନ୍ଧୀୟ ଦଲିଲ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ କାଗଜପତ୍ର ପୂର୍ବରୁ ପ୍ରସ୍ତୁତ କରି ରଖିବା ଉଚିତ୍ । ସମୟ ପୂର୍ବରୁ ଆଇଟିଆର୍ ଦାଖଲ କଲେ କେବଳ ଜରିମାନାରୁ ମୁକ୍ତି ମିଳେ ନାହିଁ, ବରଂ ଟ୍ୟାକ୍ସ ସହ ଜଡ଼ିତ ଅନେକ ଲାଭ ମଧ୍ୟ ଠିକ୍ ସମୟରେ ମିଳିଥାଏ ।