ନୂଆଦିଲ୍ଲୀ,୨୧ /୦୫; ଗୋଟିଏ ସମୟ ଥିଲା ବିରାଟ ପଡ଼ିଆରେ କ୍ରୋଧର ସମାର୍ଥକ ଥିଲେ । ୱିକେଟ ପଡ଼ିଲେ ସେ ଗର୍ଜନ କରୁଥିଲେ, ସ୍ଲେଜ୍ ପଡ଼ିଲେ ପ୍ରତିଆକ୍ଷେପ କରୁଥିଲେ ଏବଂ ସମାଲୋଚନାର ସିଧାସଳଖ ଜବାବ ଦେଉଥିଲେ । କିନ୍ତୁ ଏଥର ବିରାଟ ସମ୍ପୂର୍ଣ୍ଣ ଭିନ୍ନ ରୂପରେ ନଜର ଆସିଛନ୍ତି । ରନ-ରେକର୍ଡ କରୁଛନ୍ତି । ତାଙ୍କ ମୁହଁରେ ଏବେ ବି ସେହି ଉତ୍ସାହ ରହିଛି, କିନ୍ତୁ ଶବ୍ଦ କମିଯାଇଛି । ତାଙ୍କ ଆଖିରେ ସେହି ଅଗ୍ନି ଏବେ ବି ଅଛି, କିନ୍ତୁ ଅସ୍ଥିରତାର କୌଣସି ଚିହ୍ନ ନାହିଁ । ବରଂ, ଏକ ଅଦ୍ଭୁତ ଶାନ୍ତତା ସ୍ପଷ୍ଟ ବାରି ହୋଇପଡୁଛି । ହୁଏତ ଏହି କାରଣରୁ, ୩୭ ବର୍ଷୀୟ ବିରାଟ ପ୍ରତିପକ୍ଷ ଦଳ ପାଇଁ ପୂର୍ବ ଅପେକ୍ଷା ଅଧିକ ବିପଦପୂର୍ଣ୍ଣ ହୋଇଛନ୍ତି ।

ରାୟପୁରରେ କୋଲକାତା ବିପକ୍ଷରେ ତାଙ୍କର ଅପରାଜିତ ୧୦୫ ରନ୍ କେବଳ ଏକ ଶତକ ନଥିଲା ଏହା ବିରାଟଙ୍କ ପାଇଁ ଏକ ନୂତନ ଅବତାରର ଉନ୍ମୋଚନ ଥିଲା । ବିରାଟଙ୍କ ପାଖରେ ଆଉ କିଛି ବଡ଼ ହାସଲ କରିବା ବାକି ନାହିଁ । ଟଙ୍କା, ଖ୍ୟାତି, ଗୌରବ, ରେକର୍ଡ ତାଙ୍କ ପାଖରେ ସବୁକିଛି ଅଛି। ସେ RCBକୁ IPL ଟ୍ରଫି ମଧ୍ୟ ଦେଇଛନ୍ତି । ଏପରି ପରିସ୍ଥିତିରେ, ଅଧିକାଂଶ ଖେଳାଳି ବିଶ୍ରାମ ବାଛିବେ । କିନ୍ତୁ ବିରାଟ ଏବେ ବି ସେହି ଭୋକରେ ଖେଳୁଛନ୍ତି ଯେପରି ଏହା ତାଙ୍କ କ୍ୟାରିୟରର ପ୍ରଥମ ସିଜିନ୍ । ବିରାଟଙ୍କ ସବୁଠାରୁ ବଡ଼ ଶକ୍ତି ସବୁବେଳେ ତାଙ୍କର ପ୍ରସ୍ତୁତି । ଫିଟନେସ୍, ଶୃଙ୍ଖଳା ଏବଂ ତାଲିମ ପ୍ରତି ତାଙ୍କର ଆଗ୍ରହ ଏକ ପ୍ରମୁଖ ପରିଚୟ ।

​​​​​​​

ଗତ କିଛି ବର୍ଷ ମଧ୍ୟରେ ବିରାଟ ଏବଂ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ଅନେକ ଥର ଦେଖିବାକୁ ମିଳିଛି । ବିଶେଷକରି ପ୍ରେମାନନ୍ଦ ମହାରାଜଙ୍କ ସତସଙ୍ଗରେ ସେମାନଙ୍କର ଉପସ୍ଥିତି ଆଲୋଚନାର ବିଷୟ ହୋଇଛି । ଏହି କାରଣରୁ ତାଙ୍କର ପଡ଼ିଆ ଭିତରେ ଆଚରଣ ବଦଳି ଯାଇଛି। ଲଗାତାର ଦୁଇଟି ଡକ୍ ଆଉଟ୍ ପରେ ମଧ୍ୟ, ସେ ନର୍ଭସ୍ ପରି ମନେ ହେଉନଥିଲେ । ସୋସିଆଲ ମିଡିଆରେ ପ୍ରଶ୍ନ ଏବଂ ସମାଲୋଚନା ଉଠିଥିଲା, କିନ୍ତୁ ବିରାଟ ତାଙ୍କ ବ୍ୟାଟିଂରେ ଜବାବ ଦେଇଥିଲେ । କେକେଆର ବିପକ୍ଷରେ ଶତକ ମାରିଥିଲେ । ଖାଲି ସେତିକି ନୁହେଁ ହିମାଳୟ ପାଦ ଦେଶରେ ଥିବା ଧର୍ମଶାଳା ଷ୍ଟାଡିୟମରେ ବିରାଟ ନିଜ ବ୍ୟାଟିଂ ରେକର୍ଡ ଭାଙ୍ଗିଛନ୍ତି । ଗୋଟିଏ ଦଳ ବିପକ୍ଷରେ ସର୍ବାଧିକ ରନ କରିଛନ୍ତି । ପଞ୍ଜାବ କିଙ୍ଗସ ବିପକ୍ଷରେ ୫୮ ରନ କରି ଦଳ ବିପକ୍ଷରେ ସ୍କୋରକୁ ୧,୨୧୭ରେ ପହଞ୍ଚାଇଛନ୍ତି ।

  

ଅଧିନାୟକତ୍ୱ ବିବାଦ ଏବଂ BCCI ସହ ତିକ୍ତତା ପରେ, ବିରାଟ ଅଧିକ ଶାନ୍ତ ହୋଇଯାଇଛନ୍ତି । ଗତବର୍ଷ ରଜତ ପାଟିଦାର RCB ଅଧିନାୟକ ଭାବରେ ଦାୟିତ୍ୱ ନେବା ପରେ ମଧ୍ୟ, ସେ ନିଜକୁ ସମ୍ପୂର୍ଣ୍ଣ ଭାବରେ ଦଳ ମଧ୍ୟରେ ସୀମିତ ରଖିଛନ୍ତି । ଏବେ, କ୍ୟାମେରା ନୁହେଁ କ୍ରିକେଟ ଆକର୍ଷିତ କରିଛି । ହୁଏତ ଏହି କାରଣରୁ ତାଙ୍କର ଖେଳ ଆହୁରି ଘାତକ ହୋଇଛି । ଏମିତି ମହାନ ଖେଳାଳି ନଜକୁ ପୁଣି ତିଆରି କରନ୍ତି । ବିରାଟ ବର୍ତ୍ତମାନ ସେହି ପର୍ଯ୍ୟାୟରେ ଅଛନ୍ତି । ସେ କେବଳ ଫିଟ୍ ନୁହଁନ୍ତି ବରଂ ମାନସିକ ଭାବେ ଅଧିକ ଶକ୍ତିଶାଳୀ ହୋଇଛନ୍ତି । ଚଳିତ ଆଇପିଏଲ ସିଜିନରେ ୧୩ଟି ମ୍ୟାଚ ଖେଳି ମୋଟ୍ ୫୪୨ ରନ୍ କରିଛନ୍ତି । ଗୋଟିଏ ଶତକ ଏବଂ ୪ଟି ଅର୍ଦ୍ଧଶତକ ସାମିଲ । ସେ ଅରେଞ୍ଜ କ୍ୟାପ୍‌ ରେସରେ ମଧ୍ୟ ଅଛନ୍ତି । ରନ ସ୍କୋର ଅପେକ୍ଷା ତାଙ୍କର ଭୟଙ୍କର ଲୟ ଦେଖିବାକୁ ମିଳିଛି । କାରଣ ପ୍ଲେ ଅଫ୍ ଯେତେ ନିକଟ ହେଉଛି ବିରାଟ ବିପଦଜ୍ଜନକ ହେଉଛନ୍ତି ।

​​​​​​​

ଏହା ବି ପଢନ୍ତୁ...KKR VS MI: ପାଣ୍ଡେ, ପାୱେଲଙ୍କ ଲଢୁଆ ବ୍ୟାଟିଂ, ମୁମ୍ବାଇ ବିପକ୍ଷରେ କୋଲକାତାର ଦମଦାର ବିଜୟ