ଭୁବନେଶ୍ୱର ୨୨/୧୧: ଚାଲିବା ସ୍ୱାସ୍ଥ୍ୟ ପକ୍ଷେ ହିତକର । କିନ୍ତୁ ଜାଣନ୍ତି କି ଘାସରେ ଚାଲିବା ଦୁଇଗୁଣା ଲାଭଦାୟକ । ବିଶେଷକରି ସକାଳେ ଖାଲି ପାଦରେ ଘାସ ଉପରେ ଚାଲିବା ଦ୍ୱାରା ଅନେକ ସମସ୍ୟାର ସମାଧାନ ହୋଇଥାଏ । ସୁସ୍ଥ ରହିବା ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ସହ ଶାରିରୀକ ଚଳପ୍ରଚଳ ମଧ୍ୟ ନିହାତି ଦରକାର । ବ୍ୟସ୍ତ ଜୀବନଶୈଳୀ ଯୋଗୁ ପ୍ରାୟ ଲୋକ ୱାର୍କଆଉଟ୍‌ ଓ ବ୍ୟାୟାମ କରିବାକୁ ସମୟ ବାହାର କରିପାରି ନଥାନ୍ତି । ଏହି ପରିସ୍ଥିତିରେ ନିଜକୁ ସୁସ୍ଥ ରଖିବା ପାଇଁ ଚାଲିବା ହିଁ ଏକମାତ୍ର ସହଜ ଉପାୟ । ଖାଲି ପାଦରେ ଘାସ ଉପରେ ଚାଲିବା ଦ୍ୱାରା ବହୁ ପ୍ରକାରର ଫାଇଦା ମିଳିଥାଏ । ଯେପରିକି-

ରକ୍ତଚାପ ଓ ପାଚନ ତନ୍ତ୍ର ସୁସ୍ଥ :

ଏକ ଗବେଷଣା ଅନୁସାରେ ଧରିତ୍ରୀ ସହ ପାଦର ସିଧାସଳଖ ସମ୍ପର୍କ ଦ୍ୱାରା ଶରୀରରେ ଥିବା ସ୍ନାୟବିକ ବ୍ୟବସ୍ଥା ଓ ସର୍କିଡିଆନ୍‌ ରିଦିମ୍‌ ନିୟମିତ ହୋଇଥାଏ । ଫଳରେ ଶରୀରର ତାପମାତ୍ରା, ହର୍‌ମୋନ୍‌ କ୍ଷରଣ, ପାଚନତନ୍ତ୍ର ଓ ରକ୍ତଚାପ ଆଦି ନିୟନ୍ତ୍ରିତ ରହିଥାଏ ।

ପ୍ରଦାହ କମାଏ :

ଖାଲି ପାଦରେ ୨ ଘଣ୍ଟା ଘାସରେ ଚାଲିବା ଦ୍ୱାରା ପ୍ରଦାହ କମ୍‌ ହୋଇଥାଏ, ଯାହା ହୃଦୟ ରୋଗ, ଟାଇପ-୨ ମଧୁମେହ ଏବଂ କେତେକ ପ୍ରକାରର କର୍କଟର ରିସ୍କକୁ କମ୍‌ କରିଥାଏ ।

ଚିନ୍ତା ଦୂରାଏ :

ଘାସରେ ଚାଲିବା ଦ୍ୱାରା ମନ ଶାନ୍ତ ହୋଇଥାଏ, ଯାହାଦ୍ୱାରା ଚିନ୍ତା କମ୍‌ ରହିଥାଏ । ପ୍ରକୃତି ଓ ଧରିତ୍ରୀ ସହ ଶରୀରର ସମ୍ପର୍କ ଦ୍ୱାରା ଚିନ୍ତାର ସ୍ତର କମ୍‌ ରହିଥାଏ । ଫଳରେ ମାନସିକ ସ୍ୱାସ୍ଥ୍ୟ ସୁଧାର ହେବାରେ ସାହାଯ୍ୟ କରିଥାଏ । 

ମୁଡ୍‌ରେ ସୁଧାର ଆଣେ :

ଖାଲି ପାଦରେ ଘାସରେ ଚାଲିବା ଦ୍ୱାରା ମନକୁ ଖୁସି ଓ ଆରାମ ମିଳିଥାଏ । ଘାସରେ ଚାଲିବା ଦ୍ୱାରା ଶରୀରରୁ ଏଣ୍ଡୋଫିନ୍‌ କ୍ଷରଣରେ ହୋଇଥାଏ । ଏହା ଏକ ପ୍ରାକୃତିକ ମୁଡ୍‌ ଲିଫ୍ଟର୍‌ । 

ଯନ୍ତ୍ରଣାରୁ ମୁକ୍ତି ଦିଏ :

ଯଦି ଆପଣଙ୍କ ଶରୀରରେ କୌଣସି ପ୍ରକାରର ପୁରୁଣା ଯନ୍ତ୍ରଣା ରହିଥାଏ । ତେବେ ନିୟମିତ ଖାଲି ପାଦରେ ଘାସରେ ଚାଲିବା ଦ୍ୱାରା ଫାଇଦା ମିଳିଥାଏ ।