ସାଧାରଣରେ ଧାରଣା ରହିଛି ଯେ ଚାଲିବା ସର୍ବଶ୍ରେଷ୍ଠ ବ୍ୟାୟାମ । ଡାକ୍ତର, ବୈଦ୍ୟ, ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବ୍ୟାୟାମ କରୁଥିବା ବ୍ୟକ୍ତି ବିଶେଷ ମଧ୍ୟ ଧରି ନେଇଛନ୍ତି । ପ୍ରକୃତରେ ଏହା ଆଦୌ ବ୍ୟାୟାମ ନୁହେଁ । ବରଂ ଏହା ମଣିଷର ସହଜାତ ପ୍ରବୃତ୍ତି । ଖାଇବା, ଶୋଇବା ଓ ଠିଆ ହେବା ପରି ଚାଲିବା ମଧ୍ୟ ମଣିଷର ଏକ ପ୍ରାକୃତିକ କର୍ମ । ଧିରେ ଧିରେ ମଣିଷର ଜୀବନ ଅତ୍ୟାଧୁନିକ ହେବାରେ ଲାଗିଛି, ଫଳରେ ଆମେ ବିଭିନ୍ନ ଯାନ୍ତ୍ରିକ ଉପକରଣ ଉପରେ ନିର୍ଭରଶୀଳ ହେବାରେ ଲାଗିଛେ । ଫଳରେ ଶରୀର ପାଇଁ ଆବଶ୍ୟକ ଥିବା ଶାରୀରିକ ପ୍ରକ୍ରିୟାକୁ ବଜାୟ ରଖିବା ସହଜ ହେଉନାହିଁ । ମଣିଷର ପାଚନ ପ୍ରକ୍ରିୟା, ନିଷ୍କାସନ ପ୍ରକ୍ରିୟା, ରକ୍ତ ସଞ୍ଚାଳନ ଓ ଦହନ ପ୍ରକ୍ରିୟା ପର୍ଯ୍ୟାପ୍ତ ଚଲାବୁଲା ଉପରେ ନିର୍ଭରଶୀଳ ।
ଚଲାବୁଲା କମିବା ଦ୍ୱାରା ଏହି ପ୍ରକ୍ରିୟାଗୁଡିକ ଧୀମା ହେବା ସହ ଶାରୀରିକ ଅସୁସ୍ଥତା ଆରମ୍ଭ ହୋଇଥାଏ । ସୁସ୍ଥ ରହିବା ପାଇଁ ଖାଦ୍ୟ ଓ ନିଦ୍ରାର ଆବଶ୍ୟକତା ଭଳି ଚଲାବୁଲାର ମଧ୍ୟ ଆବଶ୍ୟକତା ରହିଛି । ନିୟମିତ ବ୍ୟାୟାମ କରୁଥିବା ଲୋକ ଭାବନ୍ତି ଯେ ସେମାନେ ଦୈନିକ ୧ ଘଣ୍ଟା ବ୍ୟାୟାମ କରୁଥିବା ଯୋଗୁ ଚାଲିବାର ଆବଶ୍ୟକତା ନାହିଁ । ସେହିପରି ସକାଳୁ ଉଠି ଏକକାଳୀନ ୩ରୁ ୪ କି.ମି ଚାଲୁଥିବା ବ୍ୟକ୍ତି ଭାବନ୍ତି ଯେ ତାଙ୍କର ଚାଲିବା ପୂରଣ ହୋଇଯାଇଛି । କିନ୍ତୁ ଏହା ଭ୍ରାନ୍ତ ଧାରଣା । ବ୍ୟାୟାମ ଦ୍ୱାରା ଶରୀରର ମାଂସପେଶୀ, ହୃଦୟ ଓ ଫୁସ୍ଫୁସ୍ର କାର୍ଯ୍ୟ ଦକ୍ଷତା, ଅନ୍ତସ୍ରାବୀ ଗ୍ରନ୍ଥିମାନଙ୍କର କ୍ଷମତା, ହାଡ଼ ଓ ଖଞ୍ଜାର ସୁସ୍ଥତା ଓ ଆକର୍ଷଣୀୟ ଶାରୀରିକ ଗଠନ କ୍ଷେତ୍ରରେ ଲାଭ ହୋଇଥାଏ । କିନ୍ତୁ ଜାଗ୍ରତ ଥିବା ସମୟରେ ଚଲାବୁଲା ନ କରି ଅଧିକ ସମୟ ବସି ରହିଲେ ପାଚନ କ୍ଷମତା ଓ ନିଷ୍କାସନ କ୍ଷମତା କ୍ରମଶଃ ଦୁର୍ବଳ ହୋଇଚାଲେ ।
କେତେ ପାଦ ଚାଲିବା?
ଘଣ୍ଟା ଉଦ୍ଭାବନ କରିଥିବା ଜାପାନି ବୈଜ୍ଞାନିକମାନେ ୧୦,୦୦୦ ପାଦ ଚାଲିବାକୁ ଏକ ମାନଦଣ୍ଡ ବୋଲି ସ୍ଥିର କରିଥିଲେ । ବାସ୍ତବରେ ଏହା ସ୍ୱାସ୍ଥ୍ୟ ପାଇଁ ଅନିବାର୍ଯ୍ୟ ନୁହେଁ । ସକାଳୁ ଉଠି କିଛି ସମୟ ଚାଲିବା, ମୁକ୍ତ ବାୟୁ ଓ ମାନସିକ ଶାନ୍ତି ପାଇଁ ଅତ୍ୟନ୍ତ ଉପଯୋଗୀ । କିନ୍ତୁ ପ୍ରକୃତରେ ସୁସ୍ଥ ରହିବା ପାଇଁ ଆମକୁ ଦିନ ସାରା ଯେତେବେଳେ ସମୟ ମିଳୁଛି ଖାଲିରେ ବସି ରହିବା ପରିବର୍ତ୍ତେ ଚଳପ୍ରଚଳ କରିବା ଉଚିତ୍ । ଚାଲିବା, ସିଢି ଚଢିବା, କେତେବେଳେ କେମିତି ଦୌଡିବା ଆଦି ଶାରୀରିକ ଭାବେ ସୁସ୍ଥ ରହିବା ପାଇଁ ଖୁବ୍ ଜରୁରି । ପାଦ ଗଣି ଚାଲିବା ପରିବର୍ତ୍ତେ ଚଳପ୍ରଚଳ ଆରମ୍ଭ କରି ଦିଅନ୍ତୁ । ସୁସ୍ଥ ରହିବେ ନିଶ୍ଚୟ ।
ଆହୁରି ପଢନ୍ତୁ-ଡାଏଟ୍ରେ ସାମିଲ୍ କରନ୍ତୁ ବଥୁଆ ଓ ପାଳଙ୍ଗ, ମିଳିବ ଏହି ଫାଇଦା...