ବାସୁଦେବପୁର୨୭/୫: ବାସୁଦେବପୁର ମୁନିସପାଲିଟିର ୩ ନମ୍ବର ୱାର୍ଡ ମହାନ୍ତିସାହି ଗ୍ରାମରେ କାନ୍ଥ ପଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ମହାନ୍ତିସାହି ଗ୍ରାମର ଅମରେନ୍ଦ୍ର ମହାନ୍ତିଙ୍କ ସ୍ତ୍ରୀ ବିଷ୍ଣୁପ୍ରିୟା । ବିଷ୍ଣୁପ୍ରିୟା ନିଜର ଥିବା କୋଠା ଘରେ ଖାଇ ପିଇ ସାରି ଅର୍ଦ୍ଧଭଗ୍ନ ଅବସ୍ଥାରେ ଥିବା ଘର ଭିତରକୁ ହାତ ଧୋଇବାକୁ ଆସିଥିଲେ। ହେଲେ ଲଘୁଚାପ ଜନିତ ଲଗାଣ ବର୍ଷାରେ କାନ୍ଥ ଓଦା ହୋଇ ନରମ ଥିବାରୁ କାନ୍ଥଟି ବିଷ୍ନୁପ୍ରିୟାଙ୍କ ଉପରେ ଭାଙ୍ଗି ପଡ଼ିଥିଲା। ଫଳରେ ବିଷ୍ଣୁପ୍ରିୟା ଉକ୍ତ କାନ୍ଥ ତଳେ ଚାପି ହୋଇ ରହିଥିଲେ। ପରିବାର ଲୋକେ ଦେଖି ଶାବଳ ସାହାଯ୍ୟରେ ତାଡି ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିଥିଲେ। ତେବେ ବିଷ୍ଣୁପ୍ରିୟାଙ୍କ ଗୋଡ, ଅଣ୍ଟା ଭାଙ୍ଗିଯାଇଥିବା ଜଣାପଡିଥିଲା। ପରେ ତାଙ୍କୁ ତୁରନ୍ତ ବାସୁଦେବପୁର ଡାକ୍ତରଖାନାକୁ ନେଇଆସିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଖବରପାଇ ବାସୁଦେବପୁର ତହସିଲଦାର ପ୍ରିୟବ୍ରତ ରାଉତରାୟ, ମୁନିସପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧାଂଶୁ ସ୍ୱାଇଁ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଥିବା ଦେଖିବାକୁ ମିଳିଛି। ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି।