ଲାଞ୍ଜିଗଡ଼,୫/୭(ଆପ୍ର): ସାରା ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଥିବା ବେଳେ ଅନେକ ସ୍ଥାନରେ ଜନଜୀବନ ପ୍ରଭାବିତ ସହ ଅନେକ ଚାଷୀଙ୍କ ଚାଷ କ୍ଷୟକ୍ଷତି ଘଟିଛି। ସେହିପରି ଲଗୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ଉପର ଦମାଘାଟି ଗାଁର ରାମପୁରିଆ ହରିଜନଙ୍କ ଘର କାନ୍ଥ ଭୁଶୁଡି ପଡ଼ିଥିବା ବେଳେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନା ମୁତାବକ, ରାମପୁରିଆ ଜଣେ ଦିନମଜୁରିଆ ଖଟିଖିଆ ହୋଇଥିବା ବେଳେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଝାଟି ମାଟି କୁଡ଼ିଆରେ ଦୀର୍ଘ ବର୍ଷ ହେଲା ମୁଣ୍ଡ ଗୁଞ୍ଜି ଆସୁଥିଲେ l ହେଲେ ବର୍ତ୍ତମାନ ତାଙ୍କର ଝାଟିମାଟି କୁଡ଼ିଆ ଲଗୁଚାପ ଜନିତ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ଯାଇଛି ଯାହାଫଳରେ ସେ ମୁଣ୍ଡ ଗୁଞ୍ଜିବା ପାଇଁ ଅନ୍ୟ ଘରେ ଆଶ୍ରୟ ନେଇଛନ୍ତି।
ସେହିପରି ବିଜେପୁର ପଞ୍ଚାୟତ ସ୍ଥିତ ବିଜେପୁର ଗ୍ରାମର ରାମଦାସ ନାଏକଙ୍କ ଘରର କାନ୍ଥ ମଧ୍ୟ ଭୁସୁଡ଼ି ଯାଇଛି। ଶ୍ରୀ ନାଏକଙ୍କ ଘରେ ସ୍ତ୍ରୀ ଧନମାଳୀ ନାଏକ ଓ ତିନି ପୁଅ ମଦନ ନାଏକ, ଆକାଶ ନାଏକ ଓ ମୁକୁନ୍ଦ ନାଏକ ଘର ଭିତରେ ଶୋଇ ଥିବାବେଳେ ହଠାତ କାନ୍ଥଟି ଭୁଶୁଡି ପଡିଥିଲା। ଦିନ ବେଳେ ଏହି ଘଟଣା ଘଟିଲା ବୋଲି ଅଳ୍ପକେ ପରିବାର ଲୋକେ ବର୍ତ୍ତି ଯାଇଥିଲେ। ଶ୍ରୀ ନାଏକଙ୍କ ପରିବାର ମଧ୍ୟ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ଯୋଗୁଁ ବ୍ଲକ ବା ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ରାମପୁରିଆ ହରିଜନ ଓ ରାମଦାସ ନାଏକ ସରକାରଙ୍କ ପାଖରେ ଗୁହାରି କରିଛନ୍ତି।