ଓ୍ବାଶିଂଟନ୍,୨୬।୪ : ୱାଶିଂଟନର ହିଲଟନ ହୋଟେଲରେ ହ୍ୱାଇଟ୍ ହାଉସ୍ କରେସପଣ୍ଡେଣ୍ଟଙ୍କ ରାତ୍ରୀଭୋଜନ ସମୟରେ ଗୁଳି ଚଳାଇଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ସନ୍ଦିଗ୍ଧ ବ୍ୟକ୍ତି ଜଣକ ହେଲେ କୋଲ୍ ଥମାସ ଆଲେନ୍ । ସେ ଦକ୍ଷିଣ କାଲିଫର୍ନିଆର। ଟ୍ରମ୍ପ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ହୋଟେଲରେ ଗୁଳି ଚଳାଇବା ପରେ ଆଲେନଙ୍କୁ ସୁରକ୍ଷା କର୍ମୀମାନେ ଗିରଫ କରିଥିଲେ। ସିବିଏସ ନ୍ୟୁଜ୍ ଅନୁଯାୟୀ, ସନ୍ଦିଗ୍ଧ ବ୍ୟକ୍ତି କର୍ତ୍ତୃପକ୍ଷଙ୍କ ନିକଟରେ ସ୍ୱୀକାର କରିଛନ୍ତି ଯେ ସେ ଟ୍ରମ୍ପଙ୍କ ଅଧିକାରୀଙ୍କୁ ଟାର୍ଗେଟ କରୁଥିଲେ। ଏବେ ତାଙ୍କୁ ସୋମବାର କୋର୍ଟରେ ହାଜର କରାଯିବ।

ଗୁଳିକାଣ୍ଡ ପରେ, ରାଷ୍ଟ୍ରପତି ଟ୍ରମ୍ପ ହ୍ୱାଇଟ୍ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ, ଯେଉଁ ସମୟରେ ସେ କହିଥିଲେ ଯେ ସନ୍ଦିଗ୍ଧ ବ୍ୟକ୍ତି ଜଣେ ମାନସିକ ରୋଗୀ। ଏହି ସମୟରେ,ସୁରକ୍ଷା ଏଜେନ୍ସି ଗୁଡ଼ିକ ସନ୍ଦିଗ୍ଧ ବ୍ୟକ୍ତିଙ୍କ ପ୍ରୋଫାଇଲ୍ ତଦନ୍ତ ଆରମ୍ଭ କରିବା ପରେ ଅନେକ ଖୁଲାସା ହୋଇଥିଲା। ତଦନ୍ତରୁ ଆଲେନଙ୍କ ପୃଷ୍ଠଭୂମି ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ ପାଇଛି। ୩୧ ବର୍ଷୀୟ ଆଲେନ ଲସ୍ ଆଞ୍ଜେଲସ୍ ନିକଟସ୍ଥ ଟୋରାନ୍ସ ଅଞ୍ଚଳର ବାସିନ୍ଦା। ସେ ବୃତ୍ତିରେ ଜଣେ ଶିକ୍ଷକ ଏବଂ ଭିଡିଓ ଗେମ୍ ଡେଭଲପର।

ଆଲେନଙ୍କ ଲିଙ୍କଡଇନ୍ ପ୍ରୋଫାଇଲ୍ ଅନୁସାରେ, ସେ C2 ‘ଏଜୁକେସନ୍’ ନାମକ ଏକ ଟ୍ୟୁସନ କମ୍ପାନୀରେ ପାର୍ଟ ଟାଇମ୍ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ। କମ୍ପାନୀର ସୋସିଆଲ ମିଡିଆ ପୋଷ୍ଟରୁ ଜଣାପଡିଛି ଯେ, ଡିସେମ୍ବର ୨୦୨୪ ରେ ‘ଟିଚର ଅଫ୍ ଦ ମନ୍ଥ’ ଭାବରେ ସମ୍ମାନିତ ହୋଇଥିଲେ।

ଆଲେନ୍ ୨୦୧୭ ରେ କାଲିଫର୍ନିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (କାଲଟେକ୍)ରୁ ମେକାନିକାଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ। ଗତ ବର୍ଷ, ସେ ‘କାଲିଫର୍ନିଆ ଷ୍ଟେଟ୍ ୟୁନିଭର୍ସିଟି-ଡୋମିଙ୍ଗୁଏଜ୍ ହିଲ୍ସ’ରୁ କମ୍ପ୍ୟୁଟର ସାଇନ୍ସରେ ମାଷ୍ଟର ଡିଗ୍ରୀ ମଧ୍ୟ ହାସଲ କରିଥିଲେ। ଏହା ସ୍ପଷ୍ଟ ଯେ ସେ ବହୁତ ଶିକ୍ଷିତ। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଆଲେନଙ୍କର ରାଜନୈତିକ ସମ୍ପର୍କ ମଧ୍ୟ ଅଛି। ଫେଡେରାଲ ନିର୍ବାଚନ କମିଶନ (FEC) ରେକର୍ଡ ଅନୁଯାୟୀ, କୋଲ୍ ଥମାସ ଆଲେନ ଅକ୍ଟୋବର ୨୦୨୪ ରେ କମଳା ହାରିସଙ୍କ ରାଷ୍ଟ୍ରପତି ଅଭିଯାନ ପାଇଁ ୨୫ ଡଲାର ଦାନ କରିଥିଲେ।