ରାଉରକେଲା, ୨୬।୭: ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ସୁନ୍ଦରଗଡ଼ । ଲଗାତାର ବର୍ଷା ଯୋଗୁଁ ଘର ଭାଙ୍ଗିବା ସହ ପାହାଡ଼ ପାଣି ମାଡ଼ି ଆସି ହିଡ଼ ଭାଙ୍ଗି ଜମିରେ ପାଣି ପଶିଛି । ଶୁକ୍ରବାର ରାତିଠାରୁ ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷା ଲାଗି ରହିଛି । ଫଳରେ ସୁନ୍ଦରଗଡ଼ର ରାଣୀବଗିଚା ଅଞ୍ଚଳରେ ପାଣି ପଶିଯାଇଛି ।
ସେହିପରି ବାଲିଶଙ୍କରାରେ ୬ରୁ ଅଧିକ ମାଟି ଘର ଭାଙ୍ଗି ଥିବାବେଳେ ବି. କାରୁଆବାହାଲରେ ପାହାଡ଼ରୁ ପାଣି ମାଡ଼ି ଆସି ଜମିର ହିଡ଼ ଭାଙ୍ଗି ଘାଇ ସୃଷ୍ଟି ହୋଇଛି । ଫଳରେ ଜମିରେ ପାଣି ମାଡ଼ି ଯିବା ସହ ଅନେକ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଯାଇଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମନ୍ଦିରା ଡ୍ୟାମ୍ର ୧୧ଟି ଗେଟ୍ ମଧ୍ୟରୁ ୮ଟି ଗେଟ୍ ଖୋଲାଯାଇଛି । ରାଉରକେଲାର ତଳିଆ ଅଞ୍ଚଳ ବାଲୁଘାଟ ଓ ପଲପଲ ବସ୍ତିରେ ପାଣି ପଶିବା ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ବର୍ଷା ଲାଗି ରହିଛି ।