ବ୍ରହ୍ମପୁର,୨୦/୦୫: ସୁନାପୁରରେ ରହିଛି ଇକୋ ରିଟ୍ରିଟ୍‌ । ଏହି ବିଚ୍‌କୁ ମିଳିଛି ବ୍ଲୁ-ଫ୍ଲାଗ୍‌ ମାନ୍ୟତା । ବର୍ଷ ସାରା ସୁନାପୁର  ବେଳାଭୂମିରେ ପର୍ଯ୍ୟଟକ ଏକାଠି ହୁଅନ୍ତି । ଏବେ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବଢ଼ାଇବା ଏବଂ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ  କରିବାକୁ ବଡ଼ ପ୍ରକଳ୍ପ ହାତକୁ ନିଆଯାଇଛି । ବେଳାଭୂମିରେ ୱାଟର୍‌ ସ୍ପୋର୍ଟସ୍‌ କମ୍ପେ୍ଲକ୍ସ  ଭିତ୍ତିଭୂମି ନିର୍ମାଣ ହେବାକୁ ଯାଉଛି । ରାଜ୍ୟ  ପର୍ଯ୍ୟଟନ ବିଭାଗ ଅନୁଦାନରେ ବ୍ରହ୍ମପୁର  ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଏହି ଭିତ୍ତିଭୂମି  ନିର୍ମାଣ ପାଇଁ ଟେଣ୍ଡର୍‌ ଆହ୍ୱାନ କରିଛନ୍ତି ।  ଏଥିସହିତ ଗୋପାଳପୁର ବେଳାଭୂମିରେ  ଦିବ୍ୟାଙ୍ଗ୍‌ ଅନୁକୂଳ ଭିତ୍ତିଭୂମି ନିର୍ମାଣ ପାଇଁ  ମଧ୍ୟ ବିଡିଏ ଟେଣ୍ଡର୍‌ ଆହ୍ୱାନ କରାଯାଇଛି  ବୋଲି ବିଡିଏ ସଚିବ ରମେଶ ଚନ୍ଦ୍ର ହାଁସଦା  କହିଛନ୍ତି । ଉଭୟ ପ୍ରକଳ୍ପ ପାଇଁ ପର୍ଯ୍ୟଟନ  ବିଭାଗ ପ୍ରାୟ ୨ କୋଟି ୬୬ ଲକ୍ଷ ଟଙ୍କା  ଖର୍ଚ୍ଚ କରିବ । 

ଜାତୀୟ ଓ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ  ସୋନପୁର ବେଳାଭୂମିକୁ ଟାଣି ଆଣିବା  ପାଇଁ ରାଜ୍ୟ ସରକାରଙ୍କ ଏହା ଏକ  ପ୍ରୟାସ । ଏଠାରେ ୱାଟର୍‌ ସ୍ପୋର୍ଟସ୍‌  କମ୍ପେ୍ଲକ୍ସ ଭିତ୍ତିଭୂମି ନିର୍ମାଣ ଏବଂ ଜଳ  କ୍ରୀଡ଼ା ଉପକରଣ ଉପଲବ୍ଧ କରାଇବାକୁ  ପ୍ରସ୍ତାବ ଦିଆଯାଇଥିଲା । ପର୍ଯ୍ୟଟନ ବିଭାଗ  ଏହାକୁ ଅନୁମୋଦନ କରିବା ସହ ବିଡିଏ  ଜରିଆରେ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ  ହାତକୁ ନିଆଯାଇଛି । ଉଭୟ ୱାଟର୍‌  ସ୍ପୋର୍ଟସ୍‌ କମ୍ପେ୍ଲକ୍ସ ଭିତ୍ତିଭୂମି ଓ ଦିବ୍ୟାଙ୍ଗ  ଅନୁକୂଳ ସୁବିଧା ଭିତ୍ତିଭୂମି ପାଇଁ ୧୬  ତାରିଖରେ ଟେଣ୍ଡର୍‌ ଆହ୍ୱାନ କରାଯାଇଛି ।  ଜୁନ୍‌ ୯ ତାରିଖ ଟେଣ୍ଡର୍‌ ଦାଖଲର ଶେଷ  ଦିନ ରହିଛି । ୱାଟର୍‌ ସ୍ପୋର୍ଟସ୍‌ କମ୍ପେ୍ଲକ୍ସ  ଭିତ୍ତିଭୂମିରେ ପାର୍କିଂ ଲଟ୍‌ ନିର୍ମାଣ, ପାଥ୍‌ ୱେ,  ପାର୍କ ଓ ଦୁଇଟି ଜେଟି ଉପଲବ୍ଧ ରହିବ ।  ଏହା ପରେ ୱାଟର୍‌ ସ୍ପୋର୍ଟସ୍‌ ଉପକରଣ  ଭାବେ ଜେଟ୍‌ସ୍କି, ବାନାନା ବୋଟ୍‌, ସ୍ପିଡ୍‌  ବୋଟ୍‌ ଆଦି ଏଠାରେ ରହିବା ସୂଚନା  ମିଳିଛି । ଏଥିପାଇଁ ୨ କୋଟି ୪୪ ଲକ୍ଷ  ଟଙ୍କାର ବ୍ୟୟ ବରାଦ ହୋଇଛି ।  

ୱାଟର୍‌ ସ୍ପୋର୍ଟସ୍‌ କମ୍ପେ୍ଲକ୍ସ ଭିତ୍ତିଭୂମି ସହ  ଗୋପାଳପୁର ବେଳାଭୂମିକୁ ଦିବ୍ୟାଙ୍ଗଙ୍କ  ପାଇଁ ଅନୁକୂଳ କରାଯିବାକୁ ପର୍ଯ୍ୟଟନ  ବିଭାଗ ପ୍ରାୟ ୨୧ ଲକ୍ଷରୁ ଅଧିକ ଟଙ୍କା  ବ୍ୟୟ କରିବ । ଏଥି ପ୍ରକଳ୍ପ ଅନ୍ତର୍ଗତ  ବାଲିରେ ମ୍ୟାଟ୍‌ ପଡ଼ିବ । ବେଳାଭୂମି  ବୁଲିବାକୁ ଆସୁଥିବା ଦିବ୍ୟାଙ୍ଗଙ୍କ ପାଇଁ  ଟ୍ରାଇ ସାଇକଲ୍‌ ଓ ବେଳାଭୂମି ପର୍ଯ୍ୟନ୍ତ  ରେଲିଂ ସୁବିଧା ରହିବ । ବ୍ଲୁ-ଫ୍ଲାଗ୍‌ ବିଚ୍‌  ମାନ୍ୟତା ପାଇଁ ଏହି ସୁବିଧା ଜରୁରୀ ।  ଦିବ୍ୟାଙ୍ଗ ଅନୁକୂଳ ଭିତ୍ତିଭୂମି ନିର୍ମାଣ ପରେ  ଗୋପାଳପୁରକୁ ବ୍ଲୁ-ଫ୍ଲାଗ୍‌ ବିଚ୍‌ ମାନ୍ୟତା  ପ୍ରଦାନ ପାଇଁ ଆବେଦନ କରାଯିବ ବୋଲି  ଅନୁମାନ କରାଯାଉଛି ।