ନୂଆଦିଲ୍ଲୀ : ଇରାନ ଉପରେ ଆମେରିକା-ଇସ୍ରାଏଲର ନିରନ୍ତର ଆକ୍ରମଣ ଜାରି ରହିଛି । ଏହି ସମୟରେ ତେହେରାନର ଦ୍ବିତୀୟ ସର୍ବୋଚ୍ଚ ଶକ୍ତିଶାଳୀ ନେତା ଅଲି ଲାରିଜାନିଙ୍କୁ ଏୟାର ଷ୍ଟ୍ରାଇକ କରି ହତ୍ୟା କରିଥିବା ଦାବି କରିଛି ଇସ୍ରାଏଲ । ଲାରିଜାନିଙ୍କ ମୃତ୍ୟୁ ଦାବି ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏକ ପ୍ରମୁଖ ବିବୃତ୍ତି ଜାରି କରିଛନ୍ତି। ନେତାନ୍ୟାହୁ କହିଛନ୍ତି କି, "ଆମେ ଇରାନରେ ବର୍ତ୍ତମାନର ଶାସନକୁ ଦୁର୍ବଳ କରୁଛୁ, ଯାହା ଦ୍ୱାରା ଲୋକମାନେ ଏହାକୁ କ୍ଷମତାଚ୍ୟୁତ କରିବାର ସୁଯୋଗ ପାଇବେ। ଏହା ଏକାଥରେ ଘଟି ନଥାନ୍ତା, କି ଏହା ସହଜ ହୋଇ ନଥାନ୍ତା। କିନ୍ତୁ ଯଦି ଆମେ ନିରନ୍ତର ପ୍ରୟାସ ଜାରି ରଖୁ, ତେବେ ଆମେ ସେମାନଙ୍କୁ ସେମାନଙ୍କ ଭବିଷ୍ୟତ ନିଜ ହାତରେ ନେବାର ସୁଯୋଗ ଦେବୁ। ଆମେ ଉପସାଗରୀୟ ଅଞ୍ଚଳରେ ଆମର ଆମେରିକୀୟ ସହଯୋଗୀ ମାନଙ୍କୁ ସମର୍ଥନ କରୁଛୁ। ଆମେ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବରେ ସହାୟତା ପ୍ରଦାନ କରିବୁ । ଆଗକୁ ଆହୁରି ଆଶ୍ଚର୍ଯ୍ୟଜନକ ପ୍ରକାଶ ଆସିବାକୁ ବାକି ଅଛି।" ଲାରିଜାନିଙ୍କ ମୁଣ୍ଡ ଉପରେ ୧୦ ମିଲିୟନ ଡଲାରର ପୁରସ୍କାର ଥିଲା, କିନ୍ତୁ ଆମେ ତାଙ୍କୁ ମାଗଣାରେ ହତ୍ୟା କରିଦେଲୁ।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଆହୁରି କହିଛନ୍ତି କି, ଲାରିଜାନିଙ୍କ ହତ୍ୟା ଇରାନବାସୀଙ୍କୁ ସେମାନଙ୍କ ଶାସକ ମାନଙ୍କୁ କ୍ଷମତାଚ୍ୟୁତ କରିବାର ସୁଯୋଗ ଦେବ। ସେ କହିଛନ୍ତି, "ଆମେ ଅଲି ଲାରିଜାନି ଏବଂ ବାସିଜ୍ କମାଣ୍ଡରଙ୍କୁ ନିପାତ କରିଛୁ। ଆମେ ଏହି ଶାସନକୁ ଦୁର୍ବଳ କରୁଛୁ ଯାହା ଦ୍ଵାରା ଇରାନବାସୀ ଏହାକୁ କ୍ଷମତାଚ୍ୟୁତ କରିବାର ସୁଯୋଗ ପାଇବେ।"
ସେପେଟ ଇସ୍ରାଏଲର ଏହି ଦାବିକୁ ଇରାନ ଖଣ୍ଡନ କରିଛି। ଲାରିଜାନିଙ୍କ ଅଫିସ କହିଛି ଯେ, ଖୁବ୍ ଶୀଘ୍ର ଇରାନର ସର୍ବୋଚ୍ଚ ସୁରକ୍ଷା ପରିଷଦ ମୁଖ୍ୟ ନିଜର ବାର୍ତ୍ତା ଜାରି କରିବେ। ଏହା ପୂର୍ବରୁ ଇସ୍ରାଏଲ ମିଡିଆ ଡିଫେନ୍ସ ଫୋର୍ସ ଏକ ରିପୋର୍ଟ ପ୍ରକାଶ କରିଥିଲା। ଏଥିରେ କୁହାଯାଇଥିଲା ସୋମବାର ରାତିରେ ଲାରିଜାନିଙ୍କ ଠିକଣା ଉପରେ ଆକ୍ରମଣ କରାଯାଇଛି। ଏହି ଆକ୍ରମଣ ଗୁଇନ୍ଦା ରିପୋର୍ଟ ଅନୁସାରେ କରାଯାଇଛି। ଆକ୍ରମଣରେ ଲାରିଜାନିଙ୍କ ମୃତ୍ୟୁ ହୋଇଛି। ଖାମେନଇେଙ୍କ ହତ୍ୟା ପରେ ଲାରିଜାନି ହିଁ ସେନାକୁ ସମ୍ଭାଳୁଥିଲେ । ସେ ସମସ୍ତ ଜରୁରୀ ନିଷ୍ପତ୍ତି ନେଉଥିଲେ। କାରଣ ଇରାନର ନୂତନ ସର୍ବୋଚ୍ଚ ନେତା ବର୍ତ୍ତମାନ ଆହତ ଅଛନ୍ତି। ଖାମେନେଇଙ୍କ ଖୁବ୍ ଘନିଷ୍ଠ ଥିଲେ ଲାରିଜାନି। ଜୁନ୍ ୨୦୨୫ରେ ଲାରିଜାନିଙ୍କୁ ଖାମେନେଇଙ୍କ ସର୍ବୋଚ୍ଚ ସୁରକ୍ଷା ପରିଷଦର ସଚିବ ଭାବରେ ନିଯୁକ୍ତ କରାଯାଇଥିଲା।