ନୂଆଦିଲ୍ଲୀ,୯।୧୦: ହରିୟାଣାରେ ମିଳିଥିବା ଶୋଚନୀୟ ପରାଜୟ ପରେ କଂଗ୍ରେସକୁ ତା’ର ସହଯୋଗୀ ଦଳଙ୍କ କଡା ସମାଲୋଚନା ଜାରି ରଖିଛନ୍ତି । ଏହା ଭିତରେ ଆମ୍ ଆଦମୀ ପାର୍ଟି ସ୍ପଷ୍ଟ କରିଛି ସେ ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନ ଏକାକୀ ଲଢିବ। ଆଗକୁ ଦଳ କଂଗ୍ରେସ ସହ ମେଣ୍ଟ କରିବନି। ଆପ୍‌ର ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା କକ୍କଡ ବୁଧବାର କହିଛନ୍ତି, ପାର୍ଟି ଦିଲ୍ଲୀ ବିଧାନସଭା ନିର୍ବାଚନ ଏକାକୀ ଲଢିବ। 

ସମାଚାର ଏଜେନ୍ସି  ଏଏନ୍‌ଆଇ ସହ କଥା ହୋଇ କକ୍କଡ କହିଛନ୍ତି, ଆମେ ଦିଲ୍ଲୀ ବିଧାନସଭା ନିର୍ବାଚନ ଏକାକୀ ଲଢିବୁ। ଗୋଟିଏ ପଟେ ଅତି ଆତ୍ମବିଶ୍ବାସୀ ରହିଛି କଂଗ୍ରେସ। ଅନ୍ୟପକ୍ଷେ ରହିଛି ଅଂହକାରୀ ଭାରତୀୟ ଜନତା ପାର୍ଟି। ଆମେ ନିଜର ମୁଣ୍ଡ ନୁଆଁଇ ରଖିବୁ ଓ ଗତ ୧୦ ବର୍ଷ ଭିତରେ  କରିଥିବା କାମକୁ  ଜନତାଙ୍କ ଆଗକୁ ଆଣିବୁ। ଏହା ସହ ଆମେ କଠିନ ପରିଶ୍ରମ କରିବୁ।’ ଦିଲ୍ଲୀରେ ବିଧାନସଭା  ନିର୍ବାଚନ ୨୦୨୫ର ଆରମ୍ଭରୁ ହେବାର ଅଛି। ୨୦୨୦ ରେ ବିଧାନସଭା ନିର୍ବାଚନରେ ଆପ୍‌ ୭୦ ରୁ ୬୨ ଆସନ ଜିତିଥିଲା ଓ ବିଜେପିକୁ ୮ଟି ଆସନ ମିଳିଥିଲା।

କକ୍କଡଙ୍କ ବୟାନ ସେହି ସବୁ ସମ୍ଭାବନାକୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରି ଦେଇଛି। ଯେଉଁଥିରେ କୁହାଯାଉଛି ଯେ, ଆପ୍‌ ଓ କଂଗ୍ରେସ ମିଶିକି ଦିଲ୍ଲୀ ବିଧାନସଭା ନିର୍ବାଚନରେ ଓହ୍ଲାଇ ପାରନ୍ତି। ଏବେ ନିର୍ବାଚନୀ ଋତୁରେ କଂଗ୍ରେସକୁ ବିଜେପି ଓ ଆପ୍‌ ସହ କଡା ମୁକାବିଲା କରିବାକୁ ହେବ। କୁହାଯାଉଛି ଯେ, ଏହି ଘୋଷଣା କଂଗ୍ରେସ ପାଇଁ ବଡ଼ ଝଟକା, କାରଣ ୨୦୧୩ ରୁ ଏହାର କୌଣସି ନେତା ଦିଲ୍ଲୀ ବିଧାନସଭା ପହଁଞ୍ଚି ନାହାନ୍ତି। ହରିୟାଣା ନିର୍ବାଚନକୁ ନେଇ କଂଗ୍ରେସ ଓ ଆପ୍‌ ଭିତରେ ମେଣ୍ଟକୁ ନେଇ ଆଲୋଚନା ହୋଇଥିଲା, ଯାହାର କୌଣସି ପରିଣାମ ବାହାରିନଥିଲା। ଏବେ  ଦିଲ୍ଲୀ ବିଧାନସଭା ନିର୍ବାଚନ ଏକାଠି ନଲଢିବା ନେଇ ଆପ୍‌ଘୋଷଣା କରିବା ପରେ କଂଗ୍ରେସକୁ ଲାଗିଛି ବଡ଼ ଝଟକା।