ନୂଆଦିଲ୍ଲୀ : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ରବିବାର ଦେଇଛନ୍ତି ଆଶ୍ୱାସନା। କହିଛନ୍ତି , ପହଲଗାମ ଆତଙ୍କବାଦୀ ହମଲାରେ ଜୀବନ ହରାଇ ଥିବା ଠାଣେ ଜିଲ୍ଲାର ୩ ମୃତକଙ୍କ ପରିବାରକୁ ଯଥା ସମ୍ଭବ ସହାୟତା ପ୍ରଦାନ କରାଯିବ। ସଞ୍ଜୟ ଲେଲେ , ହେମନ୍ତ ଯୋଶୀ ଓ ଅତୁଲ ମୋନେଙ୍କ ଶୋକ ସନ୍ତପ୍ତ ପରିବାରକୁ ଭେଟିଛନ୍ତି ଏକନାଥ ସିନ୍ଦେ , ଯିଏ ୨୨ ଅପ୍ରେଲରେ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମରେ ଆତଙ୍କବାଦୀଙ୍କ ଦ୍ୱାରା ମୃତ୍ୟୁ ହୋଇଥିବା ୨୬ ଜଣ ଲୋକଙ୍କ ମଧ୍ୟରେ ଥିଲେ।   

ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପୀଡ଼ିତ ପରିବାରଙ୍କର ଦୁଃଖଦ କାହାଣୀ ଶୁଣି ଭାବପ୍ରବଣ ହୋଇଛନ୍ତି ଏବଂ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଗସ୍ତ ପରେ ମିଡ଼ିଆକୁ କହିଥିଲେ, ଆତଙ୍କୀଙ୍କ ନିଷ୍ଠୁରତାରେ ଏହି ପରିବାରର ୩ଜଣ ରୋଜଗାର କରୁଥିବା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହା ଖୁବ୍‌ ଯନ୍ତ୍ରଣାଦାୟକ।

ଏକନାଥ ସିନ୍ଦେଙ୍କ ଡୋମ୍ୱିଭଲି ଗସ୍ତ ବେଳେ କଲ୍ୟାଣର ସାଂସଦ ଶ୍ରୀକାନ୍ତ ସିନ୍ଦେ ଓ କିଛି ଶିବସେନା ନେତା ତାଙ୍କ ସହ ଉପସ୍ଥିତ ଥିଲେ। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ପରିବାରର ଜଣେ ସଦସ୍ୟଙ୍କୁ ତାଙ୍କର ପ୍ରିୟଜନଙ୍କ ସାମ୍ନାରେ ହିଁ ହତ୍ୟା କରାଯାଇ ଥିଲା। ଏମିତି ନିଷ୍ଠୁରତା ଅକ୍ଷମଣୀୟ । ସେ କହିଛନ୍ତି ମହାରାଷ୍ଟ୍ର ସରକାର ଓ ତାଙ୍କ ଦଳ ୩ଟି ପରିବାରକୁ ସାହାଯ୍ୟ କରିବାକୁ ପ୍ରତିବଦ୍ଧ। ସେ ଆଶ୍ୱାସନା ଦେଇଛନ୍ତି , ଆମେ ଏହି ପରିବାର ଗୁଡ଼ିକର ପିଲା ଓ ଆଶ୍ରିତଙ୍କର ଶିକ୍ଷା , ରୋଜଗାର ଓ କଲ୍ୟାଣ କ୍ଷେତ୍ରରେ ପୂରା ସହଯୋଗ ସୁନିଶ୍ଚିତ କରିବୁ।


ଡେପୁଟୀ ସିଏମ୍‌ ଏକନାଥ ସିନ୍ଦେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ ମଧ୍ୟ ସଞ୍ଜୟ ଲେଲେ , ହେମନ୍ତ ଯୋଶୀ ଓ ଅତୁଲ ମୋନେଙ୍କ ପରିବାର ସଦସ୍ୟଙ୍କୁ ସାକ୍ଷାତ କରିଛନ୍ତି ଏବଂ ନିଜର ସମ୍ୱେଦନା ବ୍ୟକ୍ତ କରିଛନ୍ତି ଏବଂ ଯଥାସମ୍ଭବ ସହାୟତାର ଆଶ୍ୱାସନା ଦେଇଛନ୍ତି। ସେ କହିଛନ୍ତି ଯୋଶୀ ତାଙ୍କର ସମର୍ଥକ , ଲେଲେଙ୍କ ପରିବାର ଶିବସେନା ଜିଲ୍ଲା ଉପ ପ୍ରମୁଖ ରାଜେଶ କଦମଙ୍କ ସହ ଘନିଷ୍ଠ ଭାବେ ରହିଛନ୍ତି।ସିନ୍ଦେ କହିଛନ୍ତି ଏହି ସବୁ ପରିବାର ଆମ ପରିବାର ଭଳି। ଆମେ ସୁନିଶ୍ଚିତ କରିବୁ ଯେ, ସେମାନଙ୍କର କୌଣସି ଆବଶ୍ୟକତା ଅପୂର୍ଣ୍ଣ ନରହୁ।