ଭୁବନେଶ୍ୱର,୦୫/୦୬: ଯାହାକୁ ଦେଖିବ ଖୁଁଖୁଁ,  ସୁଁସୁଁ । କାଶି କାଶି ଗଳା ପଡ଼ିଗଲାଣି । ବୟସ୍କଙ୍କ ଠାରୁ  ନେଇ ଛୋଟ ପିଲା ପର୍ଯ୍ୟନ୍ତ ସମସ୍ତଙ୍କୁ ଥଣ୍ଡା, ଜ୍ୱର । ଦିନେ କି ଦୁଇଦିନ ନୁହେଁ ୭ରୁ ୧୫ ଦିନ ପର୍ଯ୍ୟନ୍ତ ଜ୍ୱର ଲାଗି  ରହୁଛି । ବାହାରକୁ ଓ କର୍ମ କ୍ଷେତ୍ରକୁ ଗଲେ ଡର ଲାଗୁଛି।  ଗୋଟିଏ ପଟେ କରୋନାର ନୂଆ ଭାରିଏଣ୍ଟ ବ୍ୟାପୁଥିବା  ବେଳେ ଅନ୍ୟପଟେ ଭାଇରାଲ ଜ୍ୱର ଚିନ୍ତାକୁ ଦ୍ୱିଗୁଣିତ  କରୁଛି । 

ସାରା ଓଡ଼ିଶାରେ ବର୍ତ୍ତମାନ ଭାଇରାଲ ଜ୍ୱରକୁ  ନେଇ ଭୟ । ହଠାତ୍‌ ପାଗରେ ପରିବର୍ତ୍ତନ ହୋଇଛି ।  କେତେବେଳେ ଖରା ତ କେତେବେଳେ ବର୍ଷା ହେଉଛି ।  ଏଭଳି ସ୍ଥିତିରେ ଭାଇରାଲ ଜ୍ୱର ହେବା ସ୍ୱାଭାବିକ କଥା  ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।   ଏବେ ପ୍ରାକ ମୌସୁମୀ ସମୟ । ଯେହେତୁ ଗରମ  ସ୍ଥିତି ରହିଛି ଏଭଳି ସମୟରେ ଥଣ୍ଡା ହୁଏନି । ହେଲେ  ପାଗ ପରିବର୍ତ୍ତନ ଯୋଗୁ ଇନଫ୍ଲୁଏଞ୍ଜା ଭାଇରସ୍‌ ବ୍ୟାପୁଛି ।  ତେଣୁ ଜ୍ୱର,ଥଣ୍ଡା ହେଉଛି । ସେହିପରି ଆଉ ଏକ  ଭାଇରଲ ହେଲା ରେସପିରେରୋରି ସାନିଟିଆଲ । ଏହା  ଶ୍ୱାସରୋଗୀଙ୍କ ପାଇଁ ବିପଜ୍ଜନକ ।

ଦେଶରେ କରୋନା ବ୍ୟାପୁଛି । ଯେଉଁମାନଙ୍କ ଶରୀରରେ ରୋଗ ପ୍ରତିରୋଧକ  ଶକ୍ତି କମ୍‌ ଥିବ କିମ୍ବା ବହୁବିଧ ରୋଗରେ ଆକ୍ରାନ୍ତ  ହୋଇଥିବେ ସେମାନଙ୍କ ଶରୀରରେ ଏହାର ଲକ୍ଷଣ  ଦେଖାଦେବ । ଜ୍ୱର, ଥଣ୍ଡା ଅଧିକ ଦିନ ଲାଗିରହିଲେ  ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ସମ୍‌ ହସ୍ପିଟାଲର  ବରିଷ୍ଠ ଭେଷଜ ବିଶେଷଜ୍ଞ ଡା. ଶ୍ରୀକାନ୍ତ ଧର୍‌ କହିଛନ୍ତି,  ଯେଉଁ ବ୍ୟକ୍ତି ମଧୁମେହ, ଉଚ୍ଚ ରକ୍ତଚାପ, କର୍କଟ, ଶ୍ୱାସ ଭଳି ରୋଗରେ ପୀଡ଼ିତ ସେମାନେ ସତର୍କ ରହିବା  ଆବଶ୍ୟକ । ଯଦି ଲକ୍ଷଣ ଦେଖାଯାଉଛି ତେଣୁ ତୁରନ୍ତ  ଆସି ସ୍ୱାସ୍ଥ୍ୟ ଯାଞ୍ଚ କରନ୍ତୁ ବୋଲି ସେ କହିଛନ୍ତି ।