ଭୁବନେଶ୍ୱର,୧୬/୧୨: ରାଜ୍ୟରେ ଥଣ୍ଡା ପ୍ରକୋପ ଜାରି ରହିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ରାଜ୍ୟର ୯ଟି ସ୍ଥାନ ରବିବାର ୧୦ ଡିଗ୍ରୀ ତଳେ ରହିଥିଲା । ଜି ଉଦୟଗିରିର ରାତି ତାପମାତ୍ରା ସବୁଠୁ କମ୍ ବା ୫ ଡିଗ୍ରୀ ରେକର୍ଡ ହୋଇଛି । ଦାରିଙ୍ଗବାଡ଼ି ଓ ଫୁଲବାଣୀରେ ୬ ଡିଗ୍ରୀ, କୋରାପୁଟରେ ୬.୮, ନବରଙ୍ଗପୁରରେ ୯, ଅନୁଗୁଳରେ ୯.୬, ଭବାନୀପାଟଣାରେ ୯.୨, ବୌଦ୍ଧରେ ୯.୭, ଝାରସୁଗୁଡ଼ାରେ ୯.୮, କେନ୍ଦୁଝରରେ ୧୦.୮ ଡିଗ୍ରୀ ରେକର୍ଡ ହୋଇଛି । ଆସନ୍ତା ସପ୍ତାହେ ଯାଏ ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ମଙ୍ଗଳବାର ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି, କୋରାପୁଟ ଓ ଝାରସୁଗୁଡ଼ାରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବ ବୋଲି ଆକଳନ କରାଯାଇଛି । କୋରାପୁଟରେ ସ୍ୱାଭାବିକଠାରୁ ୬.୩ ଡିଗ୍ରୀ ତାପମାତ୍ରା କମ୍ ରହିଥିଲା । ଝାରସୁଗୁଡ଼ାରେ ସ୍ୱାଭାବିକଠାରୁ ୩.୫ ଡିଗ୍ରୀ କମ୍, ଭୁବନେଶ୍ୱରରେ ୩.୪, ଫୁଲବାଣୀରେ ସ୍ୱାଭାବିକଠାରୁ ୩.୧, ଭବାନୀପାଟଣାରେ ୨.୭, ଗୋପାଳପୁରରେ ୨ ଡିଗ୍ରୀ, କଟକରେ ୧.୯ ଓ ପୁରୀରେ ୧.୨ ଡିଗ୍ରୀ କମ୍ ରେକର୍ଡ ହୋଇଛି ।