ଭୁବନେଶ୍ୱର,୨୭/୧୦: ଆନ୍ଧ୍ରପ୍ରଦେଶର କାକିନାଡ଼ା ଓ ୟାନାମ୍ ଦେଇ ସ୍ଥଳଭାଗରେ ପ୍ରବେଶ କରିବା ପରେ ସିଧା ମାଲକାନଗିରି ମୁହାଁ ହେବ ବାତ୍ୟା ମୋନ୍ଥା । ୨୯ ତାରିଖ ଭୋର୍ରେ ବାଲିମେଳା ଜଳଭଣ୍ଡାର ଦେଇ ପ୍ରବେଶ କରିବ । ସେତେବେଳକୁ ପବନର ବେଗ ସାମାନ୍ୟ କମିଥିବ ସତ, କିନ୍ତୁ ୬୦ରୁ ୭୦ କିଲୋମିଟର ବେଗରେ ମାଡ଼ ହେଉଥିବ । ତା ସାଙ୍ଗକୁ ପ୍ରବଳରୁ ଅତି ପ୍ରବଳ ବର୍ଷା । ମାଲକାନଗିରିରୁ କୋରାପୁଟ ଜିଲ୍ଲାର ଜୟପୁର, ବୋରିଗୁମା ଦେଇ ନବରଙ୍ଗପୁରରେ ପଶିବ । ଉମରକୋଟ ଅତିକ୍ରମ କରି ଛତିଶଗଡ଼କୁ ଯିବ ବାତ୍ୟା । ଏଭଳି ଗତିପଥ ପୂର୍ବାନୁମାନ ଦେଇଛି ପାଣିପାଗ ବିଭାଗ । ୨୯ ତାରିଖ ଦିନତମାମ୍ ଓଡ଼ିଶା ଉପରେ ରହିବ ମୋନ୍ଥା । ପ୍ରଭାବରେ ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା ଓ କନ୍ଧମାଳରେ ପବନ ସହ ଭାରୀ ବର୍ଷା ହୋଇପାରେ ।
ବଙ୍ଗୋପସାଗର ରେ ସୃଷ୍ଟି ହେଲା #ବାତ୍ୟା #ମୋନ୍ଥା
— usd (@usd0705) October 26, 2025
ଏହା ଗୋପାଳପୁର ଠାରୁ 860 କିମି ଏବଂ କାକିନାଡ଼ା ଠାରୁ 710 କିମି ଦୂରରେ କେନ୍ଦ୍ରୀଭୂତ ରହିଛି l
ଏହା 28 ତାରିଖ ସକାଳ ସୁଦ୍ଧା ଆହୁରି ଘନୀଭୂତ ହୋଇ ଗୋଟିଏ ଭୀଷଣ ବାତ୍ୟା ର ରୂପ ନେବାର ସମ୍ଭାବନା ରହିଛି l pic.twitter.com/odsShYSepc
ପାଣିପାଗ ବିଭାଗର ସୂଚନା ମୁତାବକ ସୋମବାର ସକାଳେ ବାତ୍ୟା ରୂପ ନେଲା ଗଭୀର ଅବପାତ । ଉତ୍ତର-ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବ । ଏହା ଗୋପାଳପୁର ଠାରୁ ୮୬୦ କିମି ଏବଂ କାକିନାଡ଼ା ଠାରୁ ୭୧୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି l୨୮ ତାରିଖ ସକାଳେ (ମଙ୍ଗଳବାର) ଭୀଷଣ ବାତ୍ୟା (ପବନର ବେଗ ୮୦ରୁ ଅଧିକ)ରେ ରୂପାନ୍ତରିତ ହେବ । ସଂଧ୍ୟା ୬ଟାରୁ ୯ଟା ମଧ୍ୟରେ ସ୍ଥଳଭାଗରେ ପ୍ରବେଶ କରିବ ଆନ୍ଧ୍ର ଉପକୂଳ ଦେଇ ।
ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ରହିବନି । ତଥାପି ୨୯ ତାରିଖ ଯାଏ ଦକ୍ଷିଣ ଓଡ଼ିଶା ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ସୋମବାରଠାରୁ ବର୍ଷା ଆରମ୍ଭ ହୋଇଯିବ । ବାତ୍ୟା ମୁକାବିଲା ପାଇଁ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚଳାଇଛନ୍ତି । ୯ଟି ଜିଲ୍ଲାରେ ସରକାରୀ ଛୁଟି ବାତିଲ ହୋଇଛି । କ୍ଷତିଗ୍ରସ୍ତ ହେବାକୁ ଥିବା ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର ପାଇଁ ୧୨୮ଟି ଟିମ୍ ଗଢ଼ିଛି ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍ଆରସି) ।
ସୋମବାର ଗଜପତି, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ପୁରୀ, ଗଞ୍ଜାମ ଓ ଗଜପତିରେ କିଛି ସ୍ଥାନରେ ୩୦ରୁ ୪୦ କିମି ବେଗରେ ପବନ ବହିପାରେ । ୫୦ କିମି ବେଗରେ ଝଟ୍କା ପବନ ମଧ୍ୟ ବହିବ ବୋଲି ପାଣିପାଗ ବିଭାଗ କହିଛି । ବାତ୍ୟା ପାଇଁ ୯ଟି ଜିଲ୍ଲାରେ ସରକାରୀ ଛୁଟି ବାତିଲ କରାଯାଇଛି । କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, କଳାହାଣ୍ଡି, ବାଲେଶ୍ୱର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ସେଠାକାର ଜିଲ୍ଲାପାଳ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରବିବାର ଏସ୍ଆରସି କାର୍ଯ୍ୟାଳୟରେ ବାତ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ୨୪ ଓଡ୍ରାଫ୍, ୫ଟି ଏନଡିଆରଏଫ୍ ଓ ୯୯ ଅଗ୍ନିଶମ ଟିମ୍ ମୁତୟନ ହେବେ । ସୋମବାର ୫ଟା ସୁଦ୍ଧା ତଳିଆ ଅଞ୍ଚଳରୁ ଲୋକଙ୍କ ସ୍ଥାନାନ୍ତର ଶେଷ ହେବ । କେବଳ ରେଡ୍ ୱାର୍ଣ୍ଣିଂ ପାଇଥିବା ଜିଲ୍ଲା ନୁହେଁ, ଅନ୍ୟ ଜିଲ୍ଲାରେ ମଧ୍ୟ ପ୍ରସ୍ତୁତି କରାଯାଇଛି ବୋଲି ସେ କହିଛନ୍ତି ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପୁଣି କହିଛନ୍ତି, ସର୍ବାଧିକ ପ୍ରଭାବିତ ହେବାକୁ ଥିବା ୮ଟି ଜିଲ୍ଲା ବ୍ୟତୀତ ଅନ୍ୟ ୨୨ଟି ଜିଲ୍ଲାରେ ବାତ୍ୟା ପ୍ରଭାବରେ ବର୍ଷାର ସମ୍ଭାବନା ଅଛି । ବାତ୍ୟା ସ୍ଥିତିର ମୁକାବିଲା ପାଇଁ ସବୁ ବିଭାଗ ସହ ଆଲୋଚନା ହୋଇଛି । ଆବଶ୍ୟକ ପଡ଼ିଲେ ପଡ଼ୋଶୀ ଜିଲ୍ଲାକୁ ସହାୟତା ପାଇଁ ମଧ୍ୟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗଜପତି ଜିଲ୍ଲାରେ ସମ୍ଭାବ୍ୟ ଭୂସ୍ଖଳନର ଆଶଙ୍କା ଥିବାରୁ ସେଠାରେ ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଓ ଅଗ୍ନିଶମ ବାହିନୀଙ୍କୁ ଆଗୁଆ ନିୟୋଜିତ କରାଯାଇଛି। ଜରୁରୀ ହେଲେ ଅଧିକ ଟିମ୍ ପଠାଯିବ । ମହେନ୍ଦ୍ରଗିରି ଭଳି ଉଚ୍ଚସ୍ଥାନରେ ଥିବା ଲୋକଙ୍କୁ ସମତଳ ସ୍ଥାନକୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା ହୋଇଛି ।
ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଶକ୍ତି ବିଭାଗ ସହ ଆଲୋଚନା ହୋଇଛି । ଡାକ୍ତରଖାନା, ଜରୁରୀ ସେବା, ପିଇବା ପାଣି ଯୋଗାଇବାକୁ ବିକଳ୍ପ ଶକ୍ତିର ବ୍ୟବସ୍ଥା କରାଯାଇଛି । ବୟସ୍କ, ଶିଶୁଙ୍କୁ ଆଗୁଆ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯିବ । ଗର୍ଭବତୀଙ୍କୁ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖିବାର ବ୍ୟବସ୍ଥା ହୋଇଛି । ମତ୍ସ୍ୟଜୀବୀମାନେ ସମୁଦ୍ରରୁ ଫେରି ଆସିଲେଣି । ୨୭ରୁ ୩୧ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ସମୁଦ୍ର କୂଳରେ ରହୁଥିବା ପର୍ଯ୍ୟଟକମାନେ ସମୁଦ୍ର ତଟକୁ ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ସହ ସ୍କୁଲ ଘର ଓ ଗୋଷ୍ଠୀକୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏବେ ଧାନ ଅମଳର ସମୟ । ଆଗାମୀ ୨୪ ଘଣ୍ଟାରେ ନିଜର ଶସ୍ୟକୁ ସୁରକ୍ଷିତ ରଖିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି । ସହରାଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ଅଛି । ଆବଶ୍ୟକ ପଡ଼ିଲେ ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଆଗୁଆ ପାଣିପମ୍ପର ବ୍ୟବସ୍ଥା କରାଯାଉଛି । ଜଳସମ୍ପଦ ବିଭାଗ ସହ ନଦୀର ଜଳସ୍ତର ନେଇ ଆଲାଚନା ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି । ବାତ୍ୟା ସୁଯୋଗରେ କଳାବଜାରୀ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାଇ ଦେଇଛନ୍ତି ।
ଉଦ୍ଧାରକାରୀ ଟିମ୍କୁ ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାକୁ ପଠାଇ ଦିଆଯାଇଛି ବୋଲି ଏସ୍ଆରସି ଦେଓ ରଞ୍ଜନ ସିଂ ସୂଚନା ଦେଇଛନ୍ତି । ୮ଟି ଜିଲ୍ଲାରେ ୧୨୮ଟି ଟିମ୍ ନିୟୋଜିତ ହୋଇଛନ୍ତି । ମାଲକାନଗିରିକୁ ଓଡ୍ରାଫ୍ର ୩ଟି ଟିମ୍, ଗୋଟିଏ ଏନଡିଆରଏଫ୍ ଓ ୮ଟି ଅଗ୍ନିଶମ ଟିମ୍ ପଠାଯାଇଛି । କୋରାପୁଟରେ ୧୮ଟି ଟିମ୍, ନବରଙ୍ଗପୁରରେ ୧୩ଟି, ଗଜପତିରେ ୧୧ଟି, ଗଞ୍ଜାମରେ ୨୭, କନ୍ଧମାଳରେ ୧୬ ଓ କଳାହାଣ୍ଡିକୁ ୧୬ଟି ଟିମ୍ ପଠାଯାଇଛି । ବାତ୍ୟା ପାଇଁ ସ୍କୁଲ ଛୁଟି ଘୋଷଣା ହେବ କି ନା, ତାହା ସୋମବାର ନିଷ୍ପତ୍ତି ନିଆଯିବ । ସୋମବାର ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ । ୨୮ ଓ ୨୯ ତାରିଖରେ ଅଧିକ ବର୍ଷା ହେବ ବୋଲି ସେ କହିଛନ୍ତି। ସେପଟେ ଆନ୍ଧ୍ରପ୍ରଦେଶରେ ବାତ୍ୟା ଲ୍ୟାଣ୍ଡଫଲ କରିବ । ସେଠାରେ ଅଧିକ ପ୍ରଭାବ ରହିବ । ଏଥିପାଇଁ କଟକ ମୁଣ୍ଡଳୀରୁ ଏନଡିଆରଏଫ ଟିମ୍ ଆନ୍ଧ୍ରପ୍ରଦେଶ ଯାଇଛନ୍ତି।
ବରିଷ୍ଠ କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୨୮ ତାରିଖ ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶର କାକିନାଡା ପାଖରେ ବାତ୍ୟା ଉପକୂଳ ଛୁଇଁବ । ସନ୍ଧ୍ୟା ୬ଟାରୁ ୧୦ଟା ଭିତରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ସରିବ । ଲ୍ୟାଣ୍ଡଫଲ ପରେ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଛତିଶଗଡ଼ରେ ପହଞ୍ଚି ଜଗଦଲପୁର ଓ ରାୟପୁରର ପଶ୍ଚିମରେ ଗତି କରିପାରେ । ଏଭଳି ହେଲେ ଅବିଭକ୍ତ କୋରାପୁଟ ଓ ନୂଆପଡ଼ାରେ ୪୦ରୁ ୫୦କିମି ବେଗରେ ପବନ ବହିପାରେ । କିନ୍ତୁ ଯଦି ମାଲକାନଗିରି ଦେଇ ଗତି କରିବ ଅବିଭକ୍ତ କୋରାପୁଟ, ଗଞ୍ଜାମ, ଗଜପତି, ନୂଆପଡ଼ା ସହିତ କଳାହାଣ୍ଡିରେ ୫୦ରୁ ୬୦ କିମି ବେଗରେ ପବନ ବହିବ ।
ପ୍ରଫେସର ପଶୁପାଳକଙ୍କ ଆକଳନ ଅନୁସାରେ, ବାତ୍ୟା ପ୍ରଭାବରେ ଦକ୍ଷିଣ ଉପକୂଳରେ ଭାରୀ ବର୍ଷା ହେବ । ସୋମବାର ଅପରାହ୍ନରୁ ଗଞ୍ଜାମ, ଗଜପତି, ରାୟଗଡ଼ା, ଖୋର୍ଦ୍ଧା ଓ ପୁରୀରେ ବର୍ଷା ହେବ । ହାରାହାରି ବର୍ଷା ପରିମାଣ ୨୫ରୁ ୪୦ମିମି ରହିବ । ୨୮ ଓ ୨୯ ତାରିଖରେ ପୂରା ଉପକୂଳ ଓଡ଼ିଶାରେ ବର୍ଷା ହେବ । ଗଜପତି, ଗଞ୍ଜାମ ଓ ଖୋର୍ଦ୍ଧାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ନୟାଗଡ଼, ଢେଙ୍କାନାଳ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜରେ ମଧ୍ୟମ ପରିମାଣର ବର୍ଷା ସମ୍ଭାବନା ଅଛି । ୨୭ରୁ ୩୦ ତାରିଖ ଭିତରେ ଗୋପାଳପୁର, ବ୍ରହ୍ମପୁର, ହିଞ୍ଜିଳି, ରମ୍ଭା ଓ ବାଲୁଗାଁରେ ୧୫୦ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ସେ ସତର୍କ କରାଇଛନ୍ତି ।