ଭୁବନେଶ୍ୱର,୩୧/୧୦: ବାତ୍ୟା, ବର୍ଷାର ପ୍ରଭାବ କମିଲା । ଏବେ ଥଣ୍ଡା  । ଆସନ୍ତା ୨ ତାରିଖରୁ ରାଜ୍ୟରେ ପାଗ ଶୁଖିଲା ହେବ । ମେଘୁଆ ପାଗ ଦୂରେଇଯିବ । ପାଗ ଶୁଖିଲା ସହ ରାତିର ପାରଦ ବି ତଳମୁହାଁ ହେବ । ରାତି ତାପମାତ୍ରା ପ୍ରାୟ ୩ରୁ  ୪ ଡିଗ୍ରୀ କମିଯିବ । ଝାରସୁଗୁଡ଼ା, ରାଉରକେଲା,  ପାଲଲହଡ଼ା, ବାଦାମପାହାଡ଼ରେ ପାରଦ ୧୫ରୁ ୧୭  ଡିଗ୍ରୀକୁ ଖସି ଯାଇପାରେ ପୂର୍ବାନୁମାନ କରାଯାଉଛି । 

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର  ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି,  ରାଜ୍ୟକୁ ଉତ୍ତରା ପବନ ବହିବା ଆରମ୍ଭ କରିଛି ।  ଏବେ ଯେଉଁ ମେଘୁଆ ପାଗ ଅଛି, ତାହା ଧୀରେ  ଧୀରେ ପଳାଇବ । ପହିଲି ଶୀତ ଆରମ୍ଭ ହେବ ।  ୩୧ ତାରିଖ ରାତିରୁ କନ୍ଧମାଳ(ବାଲିଗୁଡ଼ା ଓ  ଫୁଲବାଣୀ) ଓ ଗଜପତି(ଗଦାପୁର ଓ ମୋହନା) ରେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀରୁ କମିପାରେ ।  ବାଲିଗୁଡ଼ା, ଦାରିଙ୍ଗିବାଡ଼ି, ଗଦାପୁର ଓ ମୋହନାରେ  ରାତି ତାପମାତ୍ରା ୧୭ରୁ ୧୮ ଡିଗ୍ରୀ ରହିବ ।  ଉତ୍ତର ଭାରତର ଦିଲ୍ଲୀ, ଚଣ୍ଡିଗଡ଼, ଲୁଧିଆନା  ଭଳି ଥଣ୍ଡା ଅନୁଭୂତ ହୋଇପାରେ । ୫ ତାରିଖ  ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୨୦ ଡିଗ୍ରୀ ତଳକୁ  ଖସିପାରେ ବୋଲି ମଧ୍ୟ ସେ ଆକଳନ କରିଛନ୍ତି ।

ନଭେମ୍ବର ୧ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଓ  ଏହାର ଉତ୍ତରରେ ଥିବା ଉପକୂଳ ଓ ସଂଲଗ୍ନ  ଜିଲ୍ଲାରେ ହାଲୁକାରୁ ସ୍ୱଳ୍ପ ପରିମାଣର ବର୍ଷା  ସମ୍ଭାବନା ହୋଇପାରେ । ୩୧ ତାରିଖରେ ମିଆଁମାର  ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ।  କିନ୍ତୁ ଉତ୍ତରା ପବନ ବହିବା ଯୋଗୁ ଘୂର୍ଣ୍ଣିବଳୟ  ଅଧିକ ଘନୀଭୂତ ହେବନି । ୨ ତାରିଖ ବେଳକୁ  ସ୍ଥିତି ଅଧିକ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ  ଡକ୍ଟର ଶରତ ସାହୁ କହିଛନ୍ତି, ଶୁକ୍ରବାର ଉପକୂଳ  ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ  ବର୍ଷା ସମ୍ଭାବନା ଅଛି । ଗୁରୁବାର ପୁରୀ, ଚାନ୍ଦବାଲି,  ଗୋପାଳପୁର, ସମ୍ବଲପୁର ଭଳି ସ୍ଥାନରେ କାଁ ଭାଁ  ବର୍ଷା ହୋଇଛି । ବାୟୁମଣ୍ଡଳରେ ଜଳୀୟବାଷ୍ପର  ମାତ୍ରା ଅଧିକ ରହିଛି । ଏବେ ବି ପବନ  ବଙ୍ଗୋପସାଗରରୁ ଆସୁଥିଲା । ଏଥିପାଇଁ କିଛି  ସ୍ଥାନରେ ବର୍ଷା ହୋଇଛି । ଶୁକ୍ରବାରଠାରୁ ବର୍ଷା  ପ୍ରାୟତଃ କମିଯିବ ଓ ପାଗ ଖରାଟିଆ ରହିବ ।

ଅକ୍ଟୋବର ମାସରେ ରାଜ୍ୟରେ ସ୍ୱାଭାବିକ ଠାରୁ  ୫୪% ଅଧିକ ବର୍ଷା ହୋଇଛି । ୧୧୦ ମିଲିମିଟର  ହେବା କଥା, ହୋଇଛି ହାରାହାରି ୧୭୦ ମିମି ।  ୮ଟି ଜିଲ୍ଲା ସୋନପୁର, ବଲାଙ୍ଗୀର, ନୂଆପଡ଼ା,  କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମାଲକାନଗିରି  ଓ ଗଜପତିରେ ସ୍ୱାଭାବିକ ଠାରୁ ୬୦ ପ୍ରତିଶତରୁ  ଅଧିକ ବର୍ଷା ହୋଇଛି । ୧୩ଟି ଜିଲ୍ଲା ବରଗଡ଼,  ସମ୍ବଲପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର,  ଢେଙ୍କାନାଳ, କଟକ୍‌, ଖୋର୍ଦ୍ଧା, ପୁରୀ, ଗଞ୍ଜାମ,  କେନ୍ଦ୍ରାପଡ଼ା, ନୟାଗଡ଼ ଓ ଓ କନ୍ଧମାଳରେ ୨୦ରୁ  ୫୯ ପ୍ରତିଶତ ଅଧିକ ବର୍ଷା ହୋଇଛି ବୋଲି  ପାଣିପାଗ ବିଭାଗ ସୂଚନା ଦେଇଛି ।