ଭୁବନେଶ୍ୱର ୧୭/୦୬: ଦେଶର ଉଭୟ ପଶ୍ଚିମ ଏବଂ ପୂର୍ବ ଭାଗରେ ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଯୋଗୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି। ଆଗକୁ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି। 

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସକାଳ ସାଢ଼େ ୫ଟାରେ ଦକ୍ଷିଣ-ପଶ୍ଚିମ ବାଂଲାଦେଶ ପାର୍ଶ୍ଵବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ୨୪ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହେବା ସହ ଉତ୍ତର-ପଶ୍ଚିମ ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଲଘୁଚାପ ଯୋଗୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୩ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। 




ସେହିଭଳି ଦେଶର ପଶ୍ଚିମ ଭାଗରେ ମଧ୍ୟ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଦକ୍ଷିଣ ଗୁଜରାଟ ଏବଂ ତା’ର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ରହିଛି । 

ଏପଟେ ମଙ୍ଗଳବାର ରାଜ୍ୟର ଅଧିକାଂଶ  ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା  ହୋଇପାରେ । ଝାରସୁଗୁଡ଼ା, ଦେବଗଡ଼,  ବାଲେଶ୍ୱର, ଯାଜପୁର, ସମ୍ବଲପୁର, ଅନୁଗୁଳ,  ଢେଙ୍କାନାଳ ଓ ବରଗଡ଼ର ସ୍ଥାନେ ସ୍ଥାନେ  ପ୍ରବଳ ବର୍ଷା ହୋଇପାରେ । କିଛି ଜିଲ୍ଲାରେ  ଘଡ଼ଘଡ଼ି ସହ ପବନ ଆଶଙ୍କା ରହିଛି । ୧୮  ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ  ହାଲୁକାରୁ ମଧ୍ୟମ କେନ୍ଦୁଝର ଏବଂ  ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହୋଇପାରେ ।  ୧୯ରୁ ବର୍ଷା ପରିମାଣ କମିପାରେ ।