ଭୁବନେଶ୍ୱର,୨୧/୦୯: ଆସନ୍ତା ୨୫ ତାରିଖରେ ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ସେହିଭଳି ଅକ୍ଟୋବର ୧ରେ ଆଉ ଏକ ଲଘୁଚାପ ଆଶଙ୍କା ଏହା ପ୍ରଭାବରେ ୨୩ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବ । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଏହି ପୂର୍ବାନୁମାନ କରିଛି । ଆଇଏମ୍ଡି ଆକଳନ କହୁଛି, ୨୬ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବ ।
ରବିବାର ଓ ସୋମବାର ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ୨୩ ଓ ୨୪ ତାରିଖରେ କେନ୍ଦୁଝର ଓ ମୟୂରଭଞ୍ଜର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୨୫ ଓ ୨୬ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଅଛି ।
ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇଥିଲା । ବାଲେଶ୍ୱରରେ ୧୭.୮ମିମି, ବାରିପଦାରେ ୧୫.୬, ନୟାଗଡ଼ରେ ୧୫, ପୁରୀରେ ୧୩, ଦାରିଙ୍ଗିବାଡ଼ିରେ ୧୨, ଚାନ୍ଦବାଲିରେ ୯.୬ମିମି ବର୍ଷା ରେକର୍ଡ ହୋଇଛି । ଅପରାହ୍ନରେ ଭୁବନେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା ହୋଇଛି।