ଭୁବନେଶ୍ୱର, ୧୯/୦୫: ରାଜ୍ୟରେ ଭୀଷଣ ଗୁଳୁଗୁଳି ଅନୁଭବ ହେବ । ଆଗକୁ ତାତି କମିବ ସତ, କିନ୍ତୁ ଗୁଳୁଗୁଳି ନାକେଦମ୍ କରିବ । ଦେଶର ଦକ୍ଷିଣ ପୂର୍ବ ଦିଗରୁ ଜଳୀୟବାଷ୍ପ ଆସିବ । ଏଥିପାଇଁ ଅଧିକ ଗୁଳୁଗୁଳି ଅନୁଭୂତ ହେବ । ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ ଦେଖାଇଛନ୍ତି । ଆସନ୍ତା ସପ୍ତାହରେ ଦୁଇଟି ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।
ପ୍ରଫେସର ପଶୁପାଳକଙ୍କ ଆକଳନ କହୁଛି, ଆସନ୍ତା ୨୩ ତାରିଖରେ କେନ୍ଦ୍ରୀୟ ପୂର୍ବ ଆରବସାଗରରେ ମହାରାଷ୍ଟ୍ର ଉପକୂଳଠାରୁ ଦୂରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ପରେ ଏହା ଲଘୁଚାପ ରୂପ ନେବ । କ୍ରମଶଃ ଏହା ଘନୀଭୂତ ହୋଇ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୨୫ ତାରିଖରେ ବାତ୍ୟା ରୂପ ନେଇପାରେ । ୨୭ରେ ଭୀଷଣ ବାତ୍ୟା ରୂପ ନେବାର ଆଶଙ୍କା ଅଛି । ଏହା ୨୯ ତାରିଖରେ ଗୁଜୁରାଟ ଉପକୂଳ ଛୁଇଁପାରେ ବୋଲି ସେ କହିଛନ୍ତି ।
ପୁଣି ୨୭ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରର ଥାଇଲାଣ୍ଡ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ୨୮ରେ ଏହା ଲଘୁଚାପ ଓ ୨୯ରେ ଅବପାତରେ ପରିଣତ ହେବ । ୨୯ ଓ ୩୦ ତାରିଖ ବେଳକୁ ଏହା ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳ ଛୁଇଁବ ବୋଲି ସେ ଆକଳନ କରିଛନ୍ତି । ତେବେ ଏହା ପ୍ରାଥମିକ ଆକଳନ ଓ ପରେ ଏହା ବଦଳିପାରେ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ଦେଶର ଦକ୍ଷିଣ ପୂର୍ବ ଦିଗରୁ ଜଳୀୟବାଷ୍ପ ଭରା ପବନ ଆସୁଛି । ଏଥିପାଇଁ ଗୁଳୁଗୁଳି ରହୁଛି । ଆଗକୁ ମୌସୁମୀ ଆସିବ । ମୌସୁମୀ ଆସିବା ଆଗରୁ ପ୍ରବଳ ଗୁଳୁଗୁଳି ହୁଏ । ମୌସୁମୀ ପହଞ୍ଚିଲେ ଗରମ କମ୍ ହୁଏ ସତ କିନ୍ତୁ ଗୁଳୁଗୁଳି କମେ ନାହିଁ । ଏଣୁ ଆଗକୁ ଆହୁରି ଭୀଷଣ ଗୁଳୁଗୁଳି ହୋଇପାରେ ବୋଲି ସେ ଆକଳନ କରିଛନ୍ତି ।
ରବିବାର ଉପକୂଳ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଥିଲା । ସକାଳ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୨.୬ଡିଗ୍ରୀ ରହିଥିଲା । କିନ୍ତୁ ଆର୍ଦ୍ରତା ୬୯% ଛୁଇଁ ଯାଇଥିଲା । ଏଥିପାଇଁ ସକାଳୁ ୪୦ରୁ ୪୧ ଡିଗ୍ରୀ ଭଳି ତାତି(ରିଅଲ ଫିଲ୍) ଲାଗିଥିଲା । ଭୀଷଣ ଗୁଳୁଗୁଳି ସମସ୍ତଙ୍କୁ ନାକେଦମ କରିଥିଲା ।
ରବିବାର ସକାଳୁ କଟକରେ ତାପମାତ୍ରା ୩୧.୬ ଡିଗ୍ରୀ ଥିଲା । କିନ୍ତୁ ଆର୍ଦ୍ରତା ୭୫%ରେ ପହଞ୍ଚି ଯାଇଥିଲା । ଏତେ ଅଧିକ ଆର୍ଦ୍ରତା ପାଇଁ ପ୍ରଚଣ୍ଡ ଗୁଳୁଗୁଳି ହୋଇଥିଲା । ୪୩ ଡିଗ୍ରୀ ଭଳି ତାତି(ରିଅଲ ଫିଲ୍) ଅନୁଭୂତ ହୋଇଥିଲା । ଦେହରୁ ଗମ୍ ଗମ୍ ହୋଇ ଝାଳ ବାହାରୁଥିଲା । ସକାଳ ସାଢ଼େ ୮ଟା ବେଳକୁ ପୁରୀରେ ତାପମାତ୍ରା ୩୨ ଡିଗ୍ରୀ ରହିଥିଲା । ଆର୍ଦ୍ରତା ଥିଲା ୭୯% ଥିବାରୁ ୪୫ ଡିଗ୍ରୀ ଭଳି ତାତି ଅନୁଭବ ହେଉଥିଲା । ଗରମ ଓ ଗୁଳୁଗୁଳିରେ ଲୋକେ ଅଣନିଶ୍ୱାସୀ ହୋଇଥିଲେ । ପୂରା ଉପକୂଳ ଓଡ଼ିଶାରେ ଏଭଳି ଅସ୍ୱାଭାବିକ ଗୁଳୁଗୁଳି ସ୍ଥିତି ରହିଥିଲା । ସକାଳୁ ବାଲେଶ୍ୱରରେ ୮୮%, ଅନୁଗୁଳରେ ୭୪%, ତାଳଚେରରେ ୮୦% ଆର୍ଦ୍ରତା ଥିଲା ।
ରବିବାର ପଶ୍ଚିମ ଓଡ଼ିଶାର ମାତ୍ର ୩ଟି ଜିଲ୍ଲାକୁ ଛାଡ଼ି ବାକି ସବୁଠି ତାପମାତ୍ରା ୪୦ ଡିଗ୍ରୀ ତଳେ ଥିଲା । ସମ୍ବଲପୁରରେ ୪୦.୬, ବଲାଙ୍ଗୀରରେ ୪୦.୨ ଓ ନୂଆପଡ଼ାରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା ।
ସୋମବାର ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଓ ଗଜପତିରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଜୋର୍ରେ ପବନ ବହିବା ସହ ୪୦ରୁ ୫୦ କିମି ବେଗରେ ଝଟ୍କା ବି ଦେଇପାରେ । ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ବଲାଙ୍ଗୀର ଓ ନୂଆପଡ଼ାରେ ଘଡ଼ଘଡ଼ି ଓ ବର୍ଷା ସହିତ ୩୦ରୁ ୪୦ କିମି ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ମଙ୍ଗଳବାର (୨୦ ତାରିଖ)ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି ଓ ଗଞ୍ଜାମରେ ବର୍ଷା ଓ ଘଡ଼ଘଡ଼ି ସହିତ ୩୦ରୁ ୪୦ କିମି ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ୨୧, ୨୨, ୨୩ ଓ ୨୪ ତାରିଖରେ ମଧ୍ୟ ଦକ୍ଷିଣ ଓଡ଼ିଶା, ଉତ୍ତର ଓଡ଼ିଶା ଓ ଅନ୍ୟ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।