ଭୁବନେଶ୍ୱର ୦୬/୧୦: ଏ ବର୍ଷ  କ’ଣ ଖରା ଦିନ ସରିବନି? ଏ ଗରମ କେବେ କମିବ? ଅକ୍ଟୋବର ମାସ ଆରମ୍ଭ ହୋଇଗଲାଣି । ତଥାପି ନିସ୍ତାର  ନାହିଁ । ଦିନରାତି ଗରମର ଜ୍ୱାଳା । ନା ଘରେ ଶାନ୍ତି ମିଳୁଛି ନା ବାହାରେ ଆଶ୍ୱସ୍ତି ଅଛି । ଏମିତି ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌ ।  

ଦିନ ତାପମାତ୍ରା ପ୍ରାୟତଃ ୩୫- ୩୬ ଡିଗ୍ରୀ ସେଲସିୟସ୍‌ ପାଖାପାଖି ରହୁଛି । ମଝିରେ ୩୭ ଡିଗ୍ରୀ ବି ଛୁଇଁଥିଲା । ଆର୍ଦ୍ରତା ପରିମାଣ ଏତେ ଯେ ଭୀଷଣ ଗୁଳୁଗୁଳି ସବୁଠି । ସାଧାରଣ ଲୋକେ ବୁଝିପାରୁନାହାନ୍ତି ଏ କେମିତିକା  ପାଣିପାଗ? ବିଶେଷଜ୍ଞ ବି ଚିନ୍ତିତ, ପାଣିପାଗର ଏଭଳି ଚରମ ରୂପରେ । ମନରେ ଆଶଙ୍କା-ଏ ସ୍ଥିତି କିଛି ବଡ଼ ବିପଦର ସଙ୍କେତ ଦେଖାଉଛି  କି? ଖରାଦିନ କ’ଣ ଏମିତି  ଲମ୍ବି ଚାଲିବ? କେମିତି ତିଷ୍ଠି ରହିବ ଜନଜୀବନ? 

ଶନିବାର ଝାରସୁଗୁଡ଼ା  ତାପମାତ୍ରା ଥିଲା ୩୬.୪  ଡିଗ୍ରୀ, ପାରଳାଖେମୁଣ୍ଡି ୩୬.୨,  ଭୁବନେଶ୍ୱର ୩୫.୫, ସମ୍ବଲପୁର  ୩୫.୯, ବଲାଙ୍ଗୀର ୩୫.୪, ବୌଦ୍ଧ  ୩୫.୮, କେନ୍ଦ୍ରାପଡ଼ା ୩୫, ସୁନ୍ଦରଗଡ଼  ୩୫.୩, ମାଲକାନଗିରି ୩୫.୧ ଡିଗ୍ରୀ।  ଆର୍ଦ୍ରତା ପରିମାଣ ସକାଳେ ୮୦ରୁ ୯୦%, ସନ୍ଧ୍ୟାରେ ୭୦ରୁ ୯୦%  ରହୁଛି । ଭୁବନେଶ୍ୱର ତାପମାତ୍ରା  ସ୍ୱାଭାବିକଠାରୁ ୩.୨ ଡିଗ୍ରୀ  ଓ ସମ୍ବଲପୁରରେ  ୨.୬ ଡିଗ୍ରୀ ଅଧିକ  ରହିଛି । ରାତିରେ ବି  ବାତାବରଣ ବିଶେଷ  ଥଣ୍ଡା ପଡ଼ୁନି । ପାରଦ  ୨୫-୨୭ ଡିଗ୍ରୀ ପାଖାପାଖି  ରହୁଛି । ପୁରୀରେ ରାତି ତାପମାତ୍ରା ୨୯ ଡିଗ୍ରୀ ଛୁଇଁଥିଲା । ଅନୁମାନ  କରାଯାଇପାରେ, ଗରମ କେଉଁଭଳି  ଚରମ ରୂପ ନେଇଛି । ପରିସ୍ଥିତି ଏମିତି  ହେଲାଣି ସହରରୁ ଗାଁ ଏବେ ନିୟମିତ  ଶୀତତାପ ନିୟନ୍ତ୍ରିତ (ଏସି) ବ୍ୟବହାର  ବଢ଼ିଯାଇଛି । ବିନା ପଙ୍ଖାରେ ମିନିଟିଏ  ରହିବା କଷ୍ଟକର ହୋଇପଡ଼ୁଛି । 

ଓଡ଼ିଶାରେ ଏ ବର୍ଷ ଯେମିତି ଗ୍ରୀଷ୍ମର  ବିଦାୟ ହୋଇନାହିଁ । ଜୁନ୍‌ ଅଧାରୁ ମୌସୁମୀ  ପ୍ରବେଶ କରିଛି ସତ, ମାତ୍ର ଗରମ ଏ  ବର୍ଷ କମିନାହିଁ ଏଯାଏଁ । ବର୍ଷା ପରିମାଣ  ସ୍ୱାଭାବିକ ଥିଲେ ବି ଗରମ, ଗୁଳୁଗୁଳି  ଜାରି ରହିଛି । ଅକ୍ଟୋବର ଆରମ୍ଭ ସହ  ବର୍ଷା କମିଥିବାବେଳେ ଗରମ, ଗୁଳୁଗୁଳି  ଜ୍ୱାଳା ବଢ଼ିଯାଇଛି । ଚଳିତ ସପ୍ତାହରେ  ବାଲେଶ୍ୱରରେ ତାତି ସର୍ବକାଳୀନ ରେକର୍ଡ ଭାଙ୍ଗିଥିଲା । ପାଣିପାଗ ପୂର୍ବାନୁମାନ ଯାହା, ଏବେ ବିଶେଷ ବର୍ଷା ନାହିଁ ।  କାଁ ଭାଁ ବର୍ଷା ହୋଇପାରେ ଦଶହରା ପୂଜା ଭିତରେ । ବିସ୍ତୀର୍ଣ୍ଣ  ଅଞ୍ଚଳରେ ବର୍ଷା ସମ୍ଭାବନା କମ୍‌ । ଦିନ ତାପମାତ୍ରା କିମ୍ବା  ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ନାହିଁ ।  

କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ  ପଶୁପାଳକ କହିଛନ୍ତି, ଆସନ୍ତା କୁମାର ପୂର୍ଣ୍ଣମୀ ଯାଏଁ ପାଗ  ଏମିତି ରହିବ । ୧୪ ତାରିଖ ଯାଏଁ ବିଶେଷ ବର୍ଷା ନାହିଁ ।  ଦକ୍ଷିଣ ଆରବ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ  କେରଳ ଉପକୂଳ ଆଡ଼କୁ ଆସିବା ସମ୍ଭାବନା ଅଛି । ଏପଟେ  ଆସନ୍ତା ୬/୭ ତାରିଖବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ତାମିଲନାଡ଼ ଉପକୂଳ ଆଡ଼କୁ  ଗତି କରିପାରେ । ଉଭୟ ପଟୁ ଆସୁଥିବା ଘୂର୍ଣ୍ଣିବଳୟ  ଏକାଠି ମିଶି ଏକ ଲଘୁଚାପ ହୋଇପାରେ, ଯାହାକି  ଘନୀଭୂତ ହୋଇ ଅବପାତ ଓ ପରେ ଗଭୀର ଅବପାତ  ରୂପ ନେଇପାରେ ଆରବ ସାଗରରେ । ମାତ୍ର ତାହା ବାତ୍ୟା  ରୂପ ନେବ କି ନାହିଁ, ଏବେ କହି ହେବନି । ଏହାର ୧୫/୧୬ ତାରିଖବେଳକୁ ଗୁଜରାଟ ଆଡ଼କୁ ଯାଇପାରେ ।  ଏହାର ପ୍ରଭାବରେ ଓଡ଼ିଶାରେ ୧୩/୧୪ ତାରିଖବେଳକୁ  କିଛି ବର୍ଷା ହୋଇପାରେ । ବର୍ତ୍ତମାନ ରାଜ୍ୟରେ ଗରମ,  ଗୁଳୁଗୁଳି ଜାରି ରହିବ । ୭/୮ ତାରିଖରେ ହାଲୁକା  ବର୍ଷା ସହ ଗରମ କିଛି ମାତ୍ରାରେ କମିପାରେ ।  

ପ୍ରଫେସର ପଶୁପାଳକଙ୍କ କହିବାନୁସାରେ ଏ ବର୍ଷ  ଯେଉଁଭଳି ଗରମ ହେଉଛି, ତାହା ସ୍ୱାଭାବିକ ନୁହେଁ ।  ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ବିଳମ୍ବ ହେଉଛି ।  ଏପଟେ ଉତ୍ତର-ପଶ୍ଚିମ ମୌସୁମୀ ଆଗମନ ବି ବିଳମ୍ବିତ  ହେଉଛି । ଓଡ଼ିଶାରେ ବି ମୌସୁମୀ ପ୍ରତ୍ୟାବର୍ତ୍ତନ ୬ ଦିନ ବିଳମ୍ବ ହୋଇପାରେ । ୧୫ ସୁଦ୍ଧା ଓଡ଼ିଶାରୁ  ମୌସୁମୀ ପ୍ରତ୍ୟାବର୍ତ୍ତନ ହେବାର ସମ୍ଭାବନା କମ୍‌ ।  

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା  ମହାନ୍ତି କହିଛନ୍ତି, ବର୍ତ୍ତମାନ ଆକାଶ ମେଘମୁକ୍ତ  ରହୁଥିବାବେଳେ ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହୁଛି ।  ସେଥିପାଇଁ ଅଧିକ ଗରମ ଅନୁଭୂତ ହେଉଛି । ମାତ୍ର  ଏହାକୁ ଅସ୍ୱାଭାବିକ କୁହାଯିବନି । ବର୍ତ୍ତମାନ ସମୟରେ ସବୁଠି କଂକ୍ରିଟ ଜଙ୍ଗଲ ବଢ଼ିଯାଇଛି । ସେଥିପାଇଁ ଉଚ୍ଚ ତାପମାତ୍ରା ଅଧିକ ସମୟ ବାୟୁମଣ୍ଡଳରେ ରହୁଛି । ଆମର  ଜୀବନ ଶୈଳୀ ବଦଳିଥିବାବେଳେ ଏସିରେ ଆମେ ଅଭ୍ୟସ୍ତ ହୋଇଗଲୁଣି । ତେଣୁ ଗରମ ସହିବା କଷ୍ଟକର ହୋଇ  ପଡ଼ୁଛି । ଆଉ ଏକ ଦିଗ ହେଲା, ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଏବେ ବର୍ଷା ଦିନ ଭିତରେ ଯେତିକି ହେବା କଥା,  ତାହା କିଛି ଘଣ୍ଟା ଭିତରେ ହୋଇଯାଉଛି । ଅର୍ଥାତ୍‌ ପୂର୍ବଭଳି  ଝିପିଝିପି ବା ଝରି ବର୍ଷା ହେଉନି । ଅଧିକ ସମୟ ଧରି  ଝିପିଝିପି ବର୍ଷା ହେଲେ ବାତାବରଣ ଥଣ୍ଡା ପଡ଼ିଥାଏ । ମାତ୍ର  ଏବେ ଅସରାଏ, ଦୁଇ ଅସରା ବର୍ଷା ହେଉଛି । ଏହାପରେ  ପୁଣି ଗରମ ଲାଗୁଛି । 

ପାଣିପାଗ ବିଭାଗର ଆକଳନ ହେଲା, ରବିବାର  ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନ, ଉତ୍ତର  ଉପକୂଳର ସ୍ଥାନେ ସ୍ଥାନେ ଏବଂ ମୟୂରଭଞ୍ଜ, କେନ୍ଦୁଝର,  ଢେଙ୍କାନାଳରେ ସ୍ଥାନେ ସ୍ଥାନେ ହାଲୁକାରୁ ମଧ୍ୟମ ବର୍ଷା  ସମ୍ଭାବନା ଅଛି । ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ ।  

ଅକ୍ଟୋବରରେ ଯେଉଁଭଳି ଅସ୍ୱାଭାବିକ ଗରମ ହେଉଛି,  ତାହା ଅନେକ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ବିଗାଡ଼ୁଛି ।  ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ ବର୍ତ୍ତମାନ ସମୟରେ  ଏଭଳି ଖରା, ଗୁଳୁଗୁଳି ଯୋଗୁ ଲୋକେ ଅଧିକ ଦୁର୍ବଳ  ଅନୁଭବ କରୁଛନ୍ତି । କ୍ଳାନ୍ତି ଲାଗିବା ସହ ଡିହାଇଡ୍ରେସନ  ସମସ୍ୟା ଦେଖା ଦେଇପାରେ । ଶ୍ୱାସକ୍ରିୟାରେ ବି ସମସ୍ୟା  ଆଣିପାରେ । ଶିଶୁ, ବୟସ୍କ, ଗର୍ଭବତୀ ମହିଳାଙ୍କ ପାଇଁ ଏ ପାଗ କଷ୍ଟକର ହୋଇପଡ଼େ ।ପଦାରେ କାମ କରୁଥିବା  ଶ୍ରମିକଙ୍କ ପାଇଁ ଏଭଳି ପାଗ ଅସ୍ୱସ୍ତିକର ହୋଇଥାଏ ।  ତେଣୁ ସତର୍କତା ଅବଲମ୍ବନ କରିବା ସହ ପର୍ଯ୍ୟାପ୍ତ ପାଣି  ପିଇବା ଉଚିତ ।  

ପାଣିପାଗର ଏଭଳି ଅସ୍ୱାଭାବିକ ରୂପ ଦେଖି  ବିଶେଷଜ୍ଞ ବି ଚକିତ । ସାରା ବିଶ୍ୱରେ ଭୟାବହ ପ୍ରଭାବ  ଦେଖାଇଲାଣି ଜଳବାୟୁ ପରିବର୍ତ୍ତନ ।ବରଫ ଆଚ୍ଛାଦିତ  ଆଣ୍ଟାର୍କଟିକା ମହାସାଗର ଉପରେ ଭୟାନକ ହାରରେ ମାଡ଼ି  ଚାଲିଛି ସବୁଜିମା । ଭାରତରେ ବି ପ୍ରଭାବ ଦେଖାଇଲାଣି ଜଳବାୟୁ ପରିବର୍ତ୍ତନ । ମୌସୁମୀରେ ଗ୍ରୀଷ୍ମ ପ୍ରବାହ ନେଉଛି  ଜୀବନ । ଏ ବର୍ଷ ମୌସୁମୀ ସମୟରେ ଭାରତରେ ୧୭  ଜୀବନ ଯାଇଛି ଗ୍ରୀଷ୍ମ ପ୍ରବାହରେ । ସେପ୍ଟେମ୍ବର ଶେଷ  ସପ୍ତାହରେ ଆସାମର ବିଭିନ୍ନ ସ୍ଥାନରେ ତାପମାତ୍ରା ୩୯  ଡିଗ୍ରୀ ଟପିଥିଲା । ଦକ୍ଷିଣ-ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ  ବି ପଞ୍ଜାବରେ ଅସ୍ୱାଭାବିକ ଗରମ ଅନୁଭୂତ ହେଲାଣି ।  ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ବି ପାରଦ ୩୫ ଟପୁଛି ।