ଭୁବନେଶ୍ୱର,୦୫/୦୬: ଦକ୍ଷିଣ ପଶ୍ଚିମ  ମୌସୁମୀ ବାୟୁ ୯ ଦିନ (ମେ ୨୮) ତଳେ  ଯେଉଁଠି ଥିଲା ସେଇଠି ଅଟକିଛି । ଆଗକୁ  ବଢ଼ିବାର ନାଁ ନେଉନି । ଏହା ଦକ୍ଷିଣ ଓଡ଼ିଶାର  କିଛି ଅଂଶକୁ ଛୁଇଁଛି । ଆସନ୍ତା ୫ଦିନ ଯାଏ  ମୌସୁମୀ ଆଗେଇବନି ବୋଲି ପାଣିପାଗ  ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଆଗକୁ  ଭୀଷଣ ଗ୍ରୀଷ୍ମପ୍ରବାହ ହେବ । ୭ ତାରିଖରେ କିଛି ସ୍ଥାନରେ ତାତି ୪୨ ଡିଗ୍ରୀ ସେଲସିୟସ୍‌ ଟପିବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର  ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।  

୫ ତାରିଖରୁ ତାପମାତ୍ରା ବଢ଼ିଯିବ । ଓଡ଼ିଶା  ଓ ସଂଲଗ୍ନ ରାଜ୍ୟ ସହିତ ସମସ୍ତ କେନ୍ଦ୍ରୀୟ ଓ ଉତ୍ତର ଭାରତରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ବହିପାରେ। ୭ରୁ ୧୦ ତାରିଖ ଭିତରେ ତାତି ୪  ଡିଗ୍ରୀ ବଢ଼ିବ । ୧୦ରୁ ୧୨ ତାରିଖ ଭିତରେ ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ ୮ ଡିଗ୍ରୀ ବଢ଼ିପାରେ । ଗରମ ସହିତ ପଶ୍ଚିମା ଝାଞ୍ଜି ପବନ  ବହିପାରେ । ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼,  ସମ୍ବଲପୁର, ବରଗଡ଼, ବୌଦ୍ଧ, ସୋନପୁର,  ବଲାଙ୍ଗୀର, ଢେଙ୍କାନାଳ ଓ ଅନୁଗୁଳ ଉତ୍ତପ୍ତ  ଅଞ୍ଚଳ ପାଲଟିବ । ଆଭ୍ୟନ୍ତରୀଣ କଟକ, ଖୋର୍ଦ୍ଧା,  ପୁରୀର କିଛି ଅଞ୍ଚଳ, ନୟାଗଡ଼ ଓ ଆଭ୍ୟନ୍ତରୀଣ  ଗଞ୍ଜାମରେ ଗରମ ଓ ଗୁଳୁଗୁଳି ଅସମ୍ଭାଳ କରିବ ।  

ଗୁରୁବାରଠାରୁ ପୂରା ରାଜ୍ୟରେ ତତଲା ପବନ ବହିପାରେ । ବାଲେଶ୍ୱର, କେନ୍ଦ୍ରାପଡ଼ା, ଭଦ୍ରକ ଓ  ଯାଜପୁରରେ ବଙ୍ଗୋପସାଗରୀୟ ପବନ ବହିବା  ଯୋଗୁ ତାପମାତ୍ରା ବିଶେଷ ବଢ଼ିବନି ବୋଲି ଡ.  ପଶୁପାଳକ କହିଛନ୍ତି । ଜୁନ୍‌ ମାସରେ ମୌସୁମୀ  ଅଗ୍ରଗତି ବିଳମ୍ବ ହେଲେ ଗ୍ରୀଷ୍ମପ୍ରବାହ ବହିଥାଏ ।  ୨୦୨୩ ମସିହା ଜୁନ୍‌ ୧୨ ତାରିଖରେ ରାଜ୍ୟର ୧୬ଟି  ସ୍ଥାନର ତାପମାତ୍ରା ୪୩ ଡିଗ୍ରୀ ପାର୍‌ କରିଥିଲା ।  ସମ୍ବଲପୁରରେ ତାତି ୪୫.୬ ଡିଗ୍ରୀ ଛୁଇଁଥିଲା ।  ଭୁବନେଶ୍ୱରରେ ତାପମାତ୍ରା ୪୪.୩ ଡିଗ୍ରୀ ଥିଲା ।  ସେବେ ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୮ ଡିଗ୍ରୀ  ଅଧିକ ରହିଥିଲା । ୨୦୧୬ ଜୁନ୍‌ ୧୩ରେ ବଲାଙ୍ଗୀର  ଓ ସମ୍ବଲପୁରରେ ତାତି ୪୨ ଡିଗ୍ରୀ ଛୁଇଁଥିଲା । କିଛି ମଡେଲ ଆକଳନ ଅନୁସାରେ, ଜୁନ୍‌  ୧୧ରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି  ହୋଇପାରେ । ଏହା ପ୍ରଭାବରେ ପୂର୍ବା ପବନ  ବହିବ । ଉପକୂଳରେ ୧୧ ତାରିଖରୁ ତାପମାତ୍ରା  କମିବ । ଆଭ୍ୟନ୍ତରରେ ୧୩ରୁ କମିବ । ଅନେକ  ସ୍ଥାନରେ ବର୍ଷା ହୋଇପାରେ । ୧୭ ତାରିଖ ବେଳକୁ  ଲଘୁଚାପ ସୃଷ୍ଟିର ମଧ୍ୟ ସମ୍ଭାବନା ଅଛି । ଜୁନ୍‌ ୧୫  ପରେ ବର୍ଷାକୁ ଦେଖି ଖରିଫ୍‌ ଫସଲ ଲଗାଇବାକୁ  ଡ. ପଶୁପାଳକ ପରାମର୍ଶ ଦେଇଛନ୍ତି ।  

ଗୁରୁବାର ବାଲେଶ୍ୱର, ଭଦ୍ରକ,  ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର,  ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଅସମ୍ଭାଳ ଗରମ ଓ ଗୁଳୁଗୁଳି ହୋଇପାରେ । ବାଲେଶ୍ୱର ଓ ପୁରୀରେ ଗ୍ରୀଷ୍ମପ୍ରବାହ ବହିବାର  ଆଶଙ୍କା ଅଛି । ବୁଧବାର କାଳବୈଶାଖୀ ପ୍ରଭାବରେ  ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ  ବର୍ଷା ହୋଇପାରେ । ବୁଧବାର ଅପରାହ୍ନ ଓ  ସନ୍ଧ୍ୟାରେ ରାଜ୍ୟର ବହୁ ସ୍ଥାନରେ କାଳବୈଶାଖୀ  ବର୍ଷା ଡରାଇଛି । ବଜ୍ରପାତ ସହିତ ପ୍ରବଳ ବର୍ଷିଛି ।  ଭୁବନେଶ୍ୱରରେ ୪୩.୮ ମିମି ବର୍ଷା ହୋଇଛ