ଭୁବନେଶ୍ୱର,୧୯/୦୮: ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇ ଦକ୍ଷିଣ ଓଡ଼ିଶା ଉପକୂଳ ଏବଂ ଉତ୍ତର ଆନ୍ଧ୍ର ଉପକୂଳ ପାଖରେ ଅଛି । ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ଏହା ଗୋପାଳପୁର  ନିକଟରେ ସ୍ଥଳଭାଗରେ ପ୍ରବେଶ କରିପାରେ ।  

ପାଣିପାଗ ବିଭାଗର ଆକଳନ ହେଲା, ରାଜ୍ୟରେ ବର୍ତ୍ତମାନ ବର୍ଷା ପାଗ ଲାଗି ରହିବ । ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ପାଗରେ  ବଡ଼ ପରିବର୍ତ୍ତନ ସମ୍ଭାବନା ନାହିଁ । ପ୍ରାୟତଃ ପ୍ରତିଦିନ ଅନେକ ସ୍ଥାନରେ ବର୍ଷା ହୋଇପାରେ । ମଙ୍ଗଳବାର ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା  ଥିବାବେଳେ ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ବଲାଙ୍ଗୀର  ଓ ରାୟଗଡ଼ାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ଅସରାଏ  ଲେଖାଏଁ ବର୍ଷା ହୋଇପାରେ । ୨୦ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ୪୫ରୁ ୫୫  କିମି ବେଗରେ ପବନ ସହ ମଝିରେ ମଝିରେ ପବନର ଝଟକା ୬୫ କିମି ଛୁଇଁପାରେ । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।  

ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲା ବେହାଲ ହୋଇପଡ଼ିଛି । ଜିଲ୍ଲାର ପୋଟରୁ, କାଙ୍ଗୁରକୋଣ୍ଡା, କାଲିମେଳା କନ୍ୟାଶ୍ରମ ପୋଲ ଉପରେ ପାଣି ଚାଲିଥିଲା । ମାଲକାନଗିରି-ମୋଟୁ ଜାତୀୟ ରାଜପଥରେ ଯାନବାହାନ ଅଟକି ଥିବାବେଳେ ମୋଟୁ, କାଲିମେଳା ପଡ଼ିଆକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବିଭିନ୍ନ ସ୍ଥାନରେ ପୋଲଗୁଡ଼ିକ ପାଣିରେ ବୁଡ଼ିଥିବାରୁ ଯାତ୍ରୀବାହୀ  ବସ ସହ ଅନେକ ଯାନବାହାନ ଉଭୟ ପାଶ୍ୱର୍ରେ ଅଟକି ରହିଥିବା ଦେଖିବାକୁ ମିଳିଛି । ସୁକ୍‌ମା  ରାସ୍ତାର ଚାଲାଣଗୁଡ଼ା ପୋଲ ବନ୍ୟା ଜଳରେ ବୁଡିଯାଇଥିବାରୁ ଛତିଶଗଡ଼କୁ ଯୋଗାଯୋଗ  ବିଚ୍ଛିନ୍ନ ହୋଇଯାଇଛି । ସାବେରୀ, ସିଲେରୁ, ତମସା, ପାଙ୍ଗମ, ସପ୍ତଧାରା ଆଦି ନଦୀ ନାଳ  ଏବଂ ସତୀଗୁଡା, ବାଲିମେଳା ଡ୍ୟାମରେ ଜଳସ୍ତର ବଢ଼ିବାରେ ଲାଗିଛି ।ବନ୍ୟା ମୁକାବିଲା  ପାଇଁ ପ୍ରଶାସନ ତରଫରୁ ସମସ୍ତ ପଞ୍ଚାୟତ, ବ୍ଲକ କ୍ଷେତ୍ର କର୍ମଚାରୀଙ୍କୁ ସଜାଗ ରହିବାକୁ  ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ପଡ଼ିଲେ ସମସ୍ତ ତଳି ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ଭାବେ  ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାତିରେ  ବର୍ଷା ପ୍ରକୋପ ସାମାନ୍ୟ କମିଥିବା ପରିଲକ୍ଷିତ ହୋଇଛି । କୋରାପୁଟର ଝଞ୍ଜାବତୀ ନଦୀରେ  ଭାସିଯାଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଲକ୍ଷ୍ମୀପୁର ବ୍ଲକ୍‌ କାକିରିଗୁମ୍ମା ଥାନା ତଳମେଟିଂ  ରାସ୍ତାରେ ପାହାଡ଼ରୁ ଅତଡ଼ା ଧସି ରାସ୍ତା ଅବରୋଧ ହୋଇଛି । ଉଭୟ ରାସ୍ତାରେ ଯାତାୟାତ  ଅଟକିଯାଇଛି । ଉଭୟ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ବୈପାରିଗୁଡା ବ୍ଲକ  ଗୁପ୍ତେଶ୍ୱର ପଞ୍ଚାୟତରେ ବନ୍ୟା ପରିସ୍ଥିତି ଉପୁଜିଛି । ଏକ ପୋଲ ଭାଙ୍ଗିଯିବା ସହ ୩ଟି  ଗ୍ରାମର ଲୋକଙ୍କ ଗମନାଗମନ ବାଧାପ୍ରାପ୍ତ ହୋଇଛି । ରାସ୍ତାରେ ପାଣି ଚାଲିଛି ।   

ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ (ସକାଳ ୮ଟା ୩୦ ସୁଦ୍ଧା) କୋଟପାଡ଼ରେ  ୧୩୦ ମିଲିମିଟର, ମାଲକାନଗିରିରେ ୧୧୦, କୋରୁକୁଣ୍ଡାରେ ୯୦, ପାତ୍ରପୁରରେ ୯୦,  କୋଷଗୁମୁଡାରେ ୮୦, କୋଦଳାରେ ୭୦, ପୁରୁଷୋତ୍ତମପୁରରେ ୭୦, ଗୋଷାଣୀରେ  ୭୦, ପୋଲସରାରେ ୭୦, ଚିତ୍ରକୋଣ୍ଡାରେ ୭୦, ଧରାକୋଟରେ ୬୦, ହିଞ୍ଜିଳିରେ ୬୦,  ମାଥିଲିରେ ୬୦, ପଡ଼ିଆରେ ୬୦, ଓଡ଼ଗାଁରେ ୬୦, ବୋରିଗୁମ୍ମାରେ ୫୦ ମିମି ବର୍ଷା ରେକର୍ଡ  ହୋଇଥିଲା ।  ସକାଳରୁ ସନ୍ଧ୍ୟା ସାଢ଼େ ୫ଟା ଭିତରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା  ହୋଇଥିବାବେଳେ ପାରଳାଖେମୁଣ୍ଡିରେ ୫୦, କୋରାପୁଟରେ ୬୪, ନବରଙ୍ଗପୁରରେ ୩୩  ମିମି ବର୍ଷା ହୋଇଛି । ବହୁ ସ୍ଥାନରେ ହାଲୁକାରୁ ମଧ୍ୟମ ଓ ଝିପିଝିପି ବର୍ଷା ହୋଇଛି ।  

ବର୍ଷା ସତ୍ତେ୍ୱ ଏବେ ବି ୮ଟି ଜିଲ୍ଲାରେ ନିଅଣ୍ଟିଆ ସ୍ଥିତି ରହିଛି । ଗଜପତିରେ ୩୪%,  ରାୟଗଡ଼ାରେ ୩୨%, କଳାହାଣ୍ଡିରେ ୩୦%, ପୁରୀରେ ୨୮%, ବଲାଙ୍ଗୀରରେ ୨୭%,  ନବରଙ୍ଗପୁରରେ ୨୧%, ଯାଜପୁରରେ ୨୧%, ଖୋର୍ଦ୍ଧାରେ ୨୧% ବର୍ଷା କମ୍‌ ଅଛି ।