ଭୁବନେଶ୍ୱର,୧୭/୦୭: ରାଜ୍ୟରେ ଏବେ ବଡ଼ ବର୍ଷା  ହେବାର ସମ୍ଭାବନା ନାହିଁ ।  ଗୁରୁବାର ରାଜ୍ୟର ଅଳ୍ପ କିଛି  ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।  ବର୍ଷା ସମ୍ଭାବନା କମ୍‌ ଥିବାବେଳେ  ୨୩ଟି ଜିଲ୍ଲାରେ ବଜ୍ରପାତ ଓ  ୩୦ରୁ ୪୦ କିମି ବେଗରେ  ପବନ ବହିବାର ଆଶଙ୍କା  ରହିଛି । ଏଭଳି ସ୍ଥିତି ୧୯ ତାରିଖ  ପର୍ଯ୍ୟନ୍ତ ରହିପାରେ । ୨୦ରୁ  ରାଜ୍ୟର ଅନେକ ସ୍ଥାନରେ ବର୍ଷା  ହୋଇପାରେ । 

ପାଣିପାଗ ବିଭାଗର  ପୂର୍ବାନୁମାନରୁ ଏଭଳି ସୂଚନା  ମିଳିଛି । ବୁଧବାର ଦିନ ଭିତରେ  ଅନୁଗୁଳରେ ୪୮ ମିଲିମିଟର  ବର୍ଷା ହୋଇଥିବାବେଳେ ଆଉ  କିଛି ସ୍ଥାନରେ ହାଲୁକା ବର୍ଷା  ହୋଇଛି । ପାଗ ମେଘୁଆ ଥିଲେ  ମଧ୍ୟ ବହୁ ସ୍ଥାନରେ ବିଶେଷ  ବର୍ଷା ହୋଇନାହିଁ । 

ଗୁରୁବାର  ସୁନ୍ଦରଗଡ଼, ଝାରସୁଗୁଡ଼ା,  ବରଗଡ଼, ସମ୍ବଲପୁର,  ଦେବଗଡ଼, ଅନୁଗୁଳ,  ଢେଙ୍କାନାଳ, କେନ୍ଦୁଝର,  ମୟୂରଭଞ୍ଜ, ସୋନପୁର, ବୌଦ୍ଧ,  ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି,  କନ୍ଧମାଳ, ନବରଙ୍ଗପୁର,  ରାୟଗଡ଼ା, କୋରାପୁଟ,  ମାଲକାନଗିରି, ବାଲେଶ୍ୱର,  ଭଦ୍ରକ, ଗଞ୍ଜାମ, ଗଜପତି ଜିଲ୍ଲାର  ଗୋଟିଏ କିମ୍ବା ଦୁଇଟି ସ୍ଥାନରେ  ବଜ୍ରପାତ ସହ ୩୦ରୁ ୪୦ କିମି  ବେଗରେ ପବନ ବହିପାରେ ।  ବଜ୍ରପାତ ନେଇ ଲୋକେ ସତର୍କ  ରହିବାକୁ ପରାମର୍ଶ ଦିଆଯାଇଛି ।