ଭୁବନେଶ୍ୱର,୦୭/୦୭: ରବିବାର ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଏହାର ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ପ୍ରଭାବରେ ସୋମବାର ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କେନ୍ଦୁଝର, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏହି ୭ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସୋମବାର ବଲାଙ୍ଗିର, ସୋନପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନୟାଗଡ଼, କଟକ, ଢେଙ୍କାନାଳରେ ଅଧିକ ବର୍ଷା ସମ୍ଭାବନା ରହିଛି । ଏହିସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ ।
୮ ତାରିଖରେ ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାରେ ଅଧିକ ବର୍ଷା ହେବ । ସେହିପରି ୯ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୦ରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଜିଲ୍ଲା, ୧୧ରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ଅଧିକ ବର୍ଷା ସମ୍ଭାବନା ରହିଥିବାରୁ ୟେଲେ। ୱାର୍ଣ୍ଣିଂ ଜାରି ହୋଇଛି ।
ରବିବାର ସକାଳରୁ ସଂଧ୍ୟା ଭିତରେ ବାରିପଦାରେ ସର୍ବାଧିକ ୯୩ ମିଲିମିଟର ବର୍ଷା ହୋଇଛି । ବାଲେଶ୍ୱରରେ ୬୭ ମିଲିମିଟର,ପାରାଦୀପରେ ୨୦.୨, ବଲାଙ୍ଗୀରରେ ୧୧.୫, ଢେଙ୍କାନାଳରେ ୧୨, ନୂଆପଡ଼ାରେ ୧୦.୨, ଟିଟିଲାଗଡ଼ରେ ୧୧ ମିଲିମିଟର ବର୍ଷା ହୋଇଛି । ଭୁବନେଶ୍ୱର, ପୁରୀରେ ପ୍ରବଳ ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ା ଦେଓଗାଁରେ ୩୦୬ ମିମି, ସମ୍ବଲପୁର ବାମରାରେ ୨୮୫.୪, ଝାରସୁଗୁଡ଼ା ଲଇକେରାରେ ୨୭୦.୪, କୋଲାବିରାରେ ୨୩୩, ସୁନ୍ଦରଗଡ଼ରେ ୨୦୭.୮, କେନ୍ଦୁଝର ବାଂଶପାଳରେ ୧୭୯.୯, ସୁନ୍ଦରଗଡ଼ ହେମଗିରିରେ ୧୭୬ ଓ କେନ୍ଦୁଝର ତେଲକୋଇରେ ୧୦୬ ମିମି ବର୍ଷା ହୋଇଛି।