ଭୁବନେଶ୍ୱର,୦୮/୯: ଆସନ୍ତା ୧୩ ତାରିଖ  ଯାଏ କାଁ ଭାଁ ବର୍ଷା ହେବ । କିଛି ସ୍ଥାନରେ ପ୍ରବଳ  ବର୍ଷା ହୋଇପାରେ । ଉତ୍ତର ପଶ୍ଚିମ ବଙ୍ଗୋପସାଗର  ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଦକ୍ଷିଣ  ଓଡ଼ିଶା ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା  ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।  

୮ ତାରିଖରେ ମାଲକାନଗିରି, କୋରାପୁଟ,  ରାୟଗଡ଼ା ଓ ଗଜପତିର କିଛି ସ୍ଥାନରେ ଅଧିକ ବର୍ଷା  ହେବ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର  କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି ।  ୯ରେ ଆଭ୍ୟନ୍ତରୀଣ ଓ ଦକ୍ଷିଣରେ କାଁ ଭାଁ ବର୍ଷା ହେବ ।  ୧୦ ତାରିଖରେ ଦକ୍ଷିଣ ଓଡ଼ିଶାର ହାତଗଣତି କିଛି  ସ୍ଥାନରେ ବିକ୍ଷିପ୍ତ ବର୍ଷା ହୋଇପାରେ । ୧୧ରେ ମୟୂରଭଞ୍ଜ  ଓ କେନ୍ଦୁଝରର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ  ବର୍ଷା ଆଶଙ୍କା ଅଛି । ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର  କିଛି ସ୍ଥାନରେ ଅଧିକ ବର୍ଷା ହେବ । ୧୨ ଓ ୧୩ରେ  ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଅଧିକ ବର୍ଷିପାରେ  ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଦେଇଛି ।

ମହାନଦୀର ନରାଜଠାରେ ଜଳସ୍ତର ବିପଦ  ସଙ୍କେତ ପାଖାପାଖି ରହିଛି । ଏଠାରେ ବିପଦ  ସଙ୍କେତ ସ୍ତର ୨୬.୪୧ ମିଟର ହୋଇଥିବା ବେଳେ  ଜଳସ୍ତର ୨୫.୯୯ ମିଟର ଥିଲା । ତେବେ ମୁଣ୍ଡଳୀରେ  ସେକେଣ୍ଡକୁ ୬ ଲକ୍ଷ ୨୦ହଜାର କ୍ୟୁସେକ୍‌ ଜଳ ପ୍ରବାହିତ  ହେଉଛି । ଧୀରେ ଧୀରେ ଏହି ଜଳସ୍ତର କମୁଛି ।  ହୀରାକୁଦ ଡ୍ୟାମ୍‌ର ଜଳସ୍ତର ୬୨୬.୬୨ ଫୁଟ ରହିଛି ।  

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ  ପୂଜାରୀ କହିଛନ୍ତି, ମହାନଦୀରେ ବନ୍ୟା ସ୍ଥିତି ନାହିଁ  ।  ୧୦ ଲକ୍ଷ କ୍ୟୁସେକରୁ ଅଧିକ ଜଳ ପ୍ରବାହିତ ହେଲେ  ବନ୍ୟା ହୁଏ । ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ  କରିଛି । ବନ୍ୟା ସ୍ଥିତି ସୃଷ୍ଟି ହେଲେ ଏହାର ମୁକାବିଲା  ପାଇଁ ରାଜସ୍ୱ ବିଭାଗ ପ୍ରସ୍ତୁତ ଅଛି । ଜଳସମ୍ପଦ ବିଭାଗ  ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି, ମୁଣ୍ଡଳୀରେ  ବନ୍ୟା ଜଳ ସର୍ବୋଚ୍ଚ ସ୍ତରରେ ଅଛି । ହୀରାକୁଦରେ  ୪ଟି ଗେଟ୍‌ ଦେଇ ନିଷ୍କାସନ ହେଉଛି । ମୁଣ୍ଡଳୀରେ  ଧୀରେ ଧୀରେ ଜଳସ୍ତର କମିଯିବ । ରବିବାର ରାଜ୍ୟରେ  ଅଧିକ ବର୍ଷା ହୋଇନି । ମହାନଦୀର ଶାଖା ନରାଜ ଓ  କୁଶଭଦ୍ରାରେ ଜଳସ୍ତର ବିପଦ ସଙ୍କେତ ତଳେ ଅଛି ।  ସବୁ ଜରୁରି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ  ସହ ଜଳସମ୍ପଦ ବିଭାଗ ପ୍ରସ୍ତୁତ ହୋଇ ରହିଛି ।