ଭୁବନେଶ୍ୱର,୦୪/୦୯: ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ରାଜ୍ୟର  ବିଭିନ୍ନ ନଦୀର ଜଳସ୍ତର ଫୁଲୁଛି । ବୈତରଣୀର ଜଳସ୍ତର ସତର୍କ ସଙ୍କେତ ଟପିଛି ।  ବ୍ରାହ୍ମଣୀ ଓ ସୁବର୍ଣ୍ଣରେଖା ନଦୀ ଜଳସ୍ତର ବି ବଢୁଛି । ମହାନଦୀ ଜଳସ୍ତର ୬୨୫.୯୭  ଫୁଟ ରହିଛି । ସେପଟେ ଗୁରୁବାର ପଶ୍ଚିମ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ବିଭିନ୍ନ  ସ୍ଥାନରେ ଭାରୀ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଗୁରୁବାର ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ପ୍ରବଳ ବର୍ଷା  ହୋଇପାରେ । ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର,  ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ବରଗଡ଼, ଦେବଗଡ଼, ଅନୁଗୁଳ,  ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା,  ବଲାଙ୍ଗୀର, କଳାହାଣ୍ଡି ସମେତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ  ବର୍ଷା ଆଶଙ୍କା ଅଛି ।

ଶୁକ୍ରବାର ପଶ୍ଚିମ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି  ସହ ବର୍ଷା ହୋଇପାରେ । ଶନିବାର ଓ ରବିବାର ମଧ୍ୟ ଉପକୂଳ ଓଡ଼ିଶାର କିଛି  ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ବୁଧବାର ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଯାଜପୁରରେ  ସର୍ବାଧିକ ୧୨୧ ମିମି ବର୍ଷା ଢାଳିଛି । ଚାନ୍ଦବାଲିରେ ୮୫.୬ମିମି, କେନ୍ଦୁଝରରେ  ୩୬.୮, ସମ୍ବଲପୁରରେ ୩୫.୨, ବାରିପଦାରେ ୩୩.୨, ପାରଳାଖେମୁଣ୍ଡିରେ ୨୮,  ମାଲକାନଗିରିରେ ୧୨.୪, ରାୟଗଡ଼ାରେ ୧୪.୪ ମିମି ବର୍ଷା ହୋଇଛି । ନିର୍ଧୁମ  ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି ।

ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ  ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି, ବୈତରଣୀ ନଦୀ ଜଳସ୍ତର ଆଖୁଆପଦାରେ ସତର୍କ  ସଙ୍କେତ ଉପରେ ରହିଛି । ସୁବର୍ଣ୍ଣରେଖାରେ ମଧ୍ୟ ବିପଦ ସଙ୍କେତର ୪ ମିଟର ତଳେ  ଜଳ ପ୍ରବାହିତ ହେଉଛି । କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ । ୧୬ଟି ବ୍ଲକ୍‌ରେ  ୫୦ ମିମି ରୁ ଅଧିକ ବର୍ଷା ହେଲେ ବି ବନ୍ୟା ସ୍ଥିତି ସୃଷ୍ଟି ହେବନି । ହୀରାକୁଦରେ  ୬ଟି ଓ ରେଙ୍ଗାଲିରେ ଗୋଟିଏ ଫାଟକ ଖୋଲା ରହିଛି । ଲଗାଣ ବର୍ଷାରେ ତଳିଆ  ଅଞ୍ଚଳରେ ପାଣି ଜମୁଛି । ବର୍ଷା କମିଲେ ପାଣି କମିଯିବ ବୋଲି ସେ କହିଛନ୍ତି।