ଭୁବନେଶ୍ୱର,୦୪/୦୮:  ଆସନ୍ତା ୭ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଉତ୍ତର  ଓଡ଼ିଶା ଉପରେ ଏହି ଘୂର୍ଣ୍ଣିବଳୟ ରହିବ । ଏହା ପ୍ରଭାବରେ ୯ ତାରିଖ  ଯାଏଁ ପ୍ରବଳ ବର୍ଷା ହୋଇପାରେ । ସୋଆ ଜଳବାୟୁ ଓ ପରିବେଶ  କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ  ଏହି ପୂର୍ବାନୁମାନ କରିଛନ୍ତି । 

ସେ  କହିଛନ୍ତି, ଘୂର୍ଣ୍ଣିବଳୟ ପ୍ରଭାବରେ  ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ  ଭଲ ବର୍ଷା ହେବାର ସମ୍ଭାବନା ରହିଛି  କିନ୍ତୁ ଅତିପ୍ରବଳ ବର୍ଷା ଆଶଙ୍କା ନାହିଁ ।  ଏହି ବର୍ଷା ଚାଷ କାମକୁ ସୁହାଇବ ।  ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ବି ଭଲ  ବର୍ଷା ହେବ ବୋଲି ସେ ଆକଳନ  କରିଛନ୍ତି । 

ତେବେ ପାଣିପାଗ  ବିଭାଗର ପୂର୍ବାନୁମାନ କହୁଛି, ୬ ତାରିଖରୁ ରାଜ୍ୟରେ ବର୍ଷା ବଢ଼ିବ ।  କେନ୍ଦୁଝର, ମୟୂରଭଞ୍ଜ, ଗଜପତି,  ଗଞ୍ଜାମ ଓ ରାୟଗଡ଼ାରେ ପ୍ରବଳ  ବର୍ଷା ହେବାର ସମ୍ଭାବନା ଅଛି ।  ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ  ଓଡ଼ିଶାରେ ବି ଘଡ଼ଘଡ଼ି ସହ ବର୍ଷା  ହୋଇପାରେ । 

୬ରେ ବାଲେଶ୍ୱର,  ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,  କଟକ, ଜଗତସିଂହପୁର, ପୁରୀ,  ଖୋର୍ଦ୍ଧା, ସମେତ ପଶ୍ଚିମ ଓଡ଼ିଶା ଓ  ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୭ ତାରିଖରେ  କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଗଜପତି, ଗଞ୍ଜାମ,  ରାୟଗଡ଼ା, କୋରାପୁଟରେ ଅଧିକ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । 

ରବିବାର ଚାନ୍ଦବାଲିରେ  ସର୍ବାଧିକ ୫୨.୬ ମିମି ବର୍ଷା ହୋଇଛି । ଭଦ୍ରକରେ ୧୦ମିମି,  କେନ୍ଦ୍ରାପଡ଼ାରେ ୬.୪ ଓ ରାଉରକେଲାରେ ୩.୧ ମିମି ବର୍ଷା  ରେକର୍ଡ ହୋଇଛି ।