ଭୁବନେଶ୍ୱର,୨୩/୦୮: ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ପାଶ୍ୱର୍ବର୍ତ୍ତୀ ବାଂଲାଦେଶ ଅଞ୍ଚଳରେ  ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।  ଏହା ପ୍ରଭାବରେ ରାଜ୍ୟର ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା  ହୋଇପାରେ । ସେପଟେ ରାଜ୍ୟର ପଶ୍ଚିମ ଓଡ଼ିଶା ସମେତ ବହୁ ସ୍ଥାନରେ ଲଗାଣ ବର୍ଷା ଯୋଗୁ ମହୀନଦୀ, ସୁବର୍ଣ୍ଣରେଖା  ଓ ବ୍ରାହ୍ମଣୀ ନଦୀର ଜଳସ୍ତର ବଢ଼ିଛି । 

ଶନିବାର ମୟୂରଭଞ୍ଜ, କେନ୍ଦୁଝର  ଓ ସୁନ୍ଦରଗଡ଼ରେ ଅଧିକ ବର୍ଷା ହେବ  ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ  କରିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର,  କେନ୍ଦ୍ରାପଡ଼ା, କଟକ,ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ,  ଗଜପତି, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳରେ  ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୨୪, ୨୫ରେ  ମୟୂରଭଞ୍ଜ ଓ ବାଲେଶ୍ୱରରେ ଭାରି ବର୍ଷା ଆଶଙ୍କା  ଅଛି । ୨୬ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର  ଓ ବାଲେଶ୍ୱରରେ ପ୍ରବଳ ବର୍ଷା ହୋଇପାରେ । ୨୫  ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ  ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଦେଇଛି । 

ଶୁକ୍ରବାର ସକାଳରୁ ସନ୍ଧ୍ୟା ଭିତରେ ରାଜ୍ୟରେ  ବହୁ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ହୀରାକୁଦରେ  ୪୨.୨, ରାଉରକେଲାରେ ୪୦, ବୌଦ୍ଧରେ ୩୪,  ସମ୍ବଲପୁରରେ ୩୧.୭, ଝାରସୁଗୁଡ଼ାରେ ୩୧.୬,  ବରଗଡ଼ରେ ୨୬.୮, ଭବାନୀପାଟଣାରେ ୨୫.୨,  ତାଳଚେରରେ ୧୮.୬, ସୋନପୁରରେ ୧୫.୨,  ଅନୁଗୁଳରେ ୧୨, ଟିଟିଲାଗଡ଼ରେ ୧୧.୨ ଓ  ଦାରିଙ୍ଗିବାଡ଼ିରେ ୧୦ ମିମି ରେକର୍ଡ ହୋଇଛି । 

ଉପରମୁଣ୍ଡରେ ବର୍ଷା ଯୋଗୁ ମହାନଦୀ  ଫୁଲୁଛି । ହୀରାକୁଦ ଡ୍ୟାମ ଜଳସ୍ତର ବଢୁଥିବାରୁ ଶନିବାର ଜଳ ନିଷ୍କାସନ କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ହୀରାକୁଦର ଜଳସ୍ତର ଏବେ  ୬୧୮.୩୯ ମିଟର ରହିଛି । ପ୍ରତି ସେକେଣ୍ଡରେ ୨ଲକ୍ଷ ୩୫ହଜାର କ୍ୟୁସେକ୍‌ ବନ୍ୟାଜଳ ପ୍ରବେଶ କରୁଛି । ସେହିଭଳି ରେଙ୍ଗାଲି ଡ୍ୟାମ୍‌ ଜଳସ୍ତର ବି  ବଢ଼ିଛି । ବୈତରଣୀ ନଦୀରେ ଆଖୁଆପଦାଠାରେ  ୧୬.୮୭ ମିଟର ଉଚ୍ଚତାର ଜଳ ପ୍ରବାହିତ ହେଉଛି ।  ବ୍ରାହ୍ମଣୀ ଓ ସୁବର୍ଣ୍ଣରେଖା ନଦୀ ଜଳସ୍ତର ବି ବଢୁଛି ।