ଭୁବନେଶ୍ୱର,୧୭/୦୫: ସାରା ଓଡ଼ିଶାରେ ଦିନ ତମାମ ଭୀଷଣ ଖରା । ଉପକୂଳରେ ତାତିକୁ ଅସମ୍ଭାଳ  ଗୁଳୁଗୁଳି । ଅପରାହ୍ନ ଓ ସନ୍ଧ୍ୟାରେ କିଛି  କିଛି ସ୍ଥାନରେ କାଳବୈଶାଖୀ ଆଣୁଛି ବର୍ଷା, ପବନ । ଏମିତି କାଳବୈଶାଖୀ  ସ୍ଥିତି ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରହିବ । ମାତ୍ର କାଳବୈଶାଖୀ ସତ୍ତେ୍ୱ ରାଜ୍ୟରେ ଗରମ ପ୍ରକୋପରୁ ବଡ଼ ଧରଣର ଆଶ୍ୱସ୍ତି ସମ୍ଭାବନା ଦେଖାଯାଉନି । ପାଣିପାଗ  କେନ୍ଦ୍ରର ପୂର୍ବାନୁମାନ କହୁଛି, ଆସନ୍ତା  ୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । 

ଶୁକ୍ରବାର ରାଜ୍ୟର ଅନେକ ସ୍ଥାନରେ  ତାପମାତ୍ରା ୩୮-୪୦ ଡିଗ୍ରୀ ସେଲସିୟସ୍‌  ଭିତରେ ଥିଲା । ସମ୍ବଲପୁର ତାପମାତ୍ରା  ୪୧.୨ ଡିଗ୍ରୀ, ସୁନ୍ଦରଗଡ଼ ୪୧.୨,  ଝାରସୁଗୁଡ଼ା ୪୦.୮, ହୀରାକୁଦ  ୪୦.୨, ବୌଦ୍ଧ ୪୦, ନୂଆପଡ଼ା ୩୯,  ବରଗଡ଼ ୩୯.୮, ସୋନପୁର ୩୯.୨, ଟିଟିଲାଗଡ଼ ୩୯, ଅନୁଗୁଳ ୩୮.୭,  ଭବାନୀପାଟଣା ୩୮.୬, ଭୁବନେଶ୍ୱର  ୩୮.୬, ରାଉରକେଲା ୩୮.୬,  ମାଲକାନଗିରି ୩୮.୫, ନବରଙ୍ଗପୁର  ୩୮.୫, ବଲାଙ୍ଗୀର ୩୮.୫,  ଢେଙ୍କାନାଳ ୩୮.୩, ବାରିପଦା ୩୮  ଡିଗ୍ରୀ ସେଲସିୟସ୍‌ ଥିଲା । ଆଭ୍ୟନ୍ତରୀଣ  ଓ ପଶ୍ଚିମ ଓଡ଼ିଶାରେ ତାତି ପ୍ରକୋପ  ଅସ୍ତବ୍ୟସ୍ତ କରୁଥିବାବେଳେ ଉପକୂଳରେ  ଭୀଷଣ ଗୁଳୁଗୁଳି ନାକେଦମ କରୁଛି ।  ଭୁବନେଶ୍ୱରରେ ଦିନ ତମାମ ୫୦%  ଉପରେ ଆର୍ଦ୍ରତା ଥିଲା । 

ଅପରାହ୍ନରେ ବହୁ ଜାଗାରେ କାଳବୈଶାଖୀ ହୋଇଛି । ଶୁକ୍ରବାର ଅପରାହ୍ନ  ସାଢ଼େ ୫ଟା ସୁଦ୍ଧା ଦାରିଙ୍ଗିବାଡ଼ିରେ  ୪୩ ମିଲିମିଟର, ଭଦ୍ରକରେ ୨୯  ମିମି, ରାୟଗଡ଼ାରେ ୧୦, ନୟାଗଡ଼ରେ  ୮, ଯାଜପୁରରେ ୮, ହୀରାକୁଦ ଓ  କୋରାପୁଟରେ ବି ହାଲୁକା ବର୍ଷା  ହୋଇଛି । କଟକ ଓ ଭୁବନେଶ୍ୱରରେ  ଅପରାହ୍ନରେ ବାଦଲ ଘୋଟି ଆସିଥିଲେ  ମଧ୍ୟ ସନ୍ଧ୍ୟା ସୁଦ୍ଧା ବର୍ଷା ହୋଇନଥିଲା । 

ପାଣିପାଗ କେନ୍ଦ୍ର ପୂର୍ବାନୁମାନ  ହେଲା, ଆସନ୍ତା ୬ ଦିନ ପର୍ଯ୍ୟନ୍ତ  ତାପମାତ୍ରାରେ ବିଶେଷ ପରିବର୍ତ୍ତନ  ସମ୍ଭାବନା ନାହିଁ । ଅନୁଗୁଳ, ଝାରସୁଗୁଡ଼ା,  ସମ୍ବଲପୁର, ସୁନ୍ଦରଗଡ଼, କଳାହାଣ୍ଡି,  ବଲାଙ୍ଗୀର, ସୋନପୁର, ବୌଦ୍ଧ,  ବରଗଡ଼, ନୂଆପଡ଼ାରେ ତାପମାତ୍ରା ୪୦  ଡିଗ୍ରୀ ପାଖାପାଖି କିମ୍ବା ତା’ଠାରୁ ଅଧିକ  ରହିପାରେ ।  

ଶନିବାର ରାଜ୍ୟର ଗୋଟିଏ  ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ  ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି ।  କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ରାୟଗଡ଼ାରେ  କାଳବୈଶାଖୀ ପ୍ରଭାବରେ ୫୦-୬୦  କିମି ବେଗରେ ପବନ ସହ ବଜ୍ରପାତ  ଆଶଙ୍କା ଅଛି ଅପରାହ୍ନ ଓ ସନ୍ଧ୍ୟାରେ । ଏ  ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ନବରଙ୍ଗପୁର, କଳାହାଣ୍ଡି, ଗଞ୍ଜାମ,  ଗଜପତି, ବାଲେଶ୍ୱର, ସୁନ୍ଦରଗଡ଼, ଭଦ୍ରକରେ ଧୂଳିଝଡ଼, ୪୦-୫୦ କିମି  ପବନ ଓ ବଜ୍ରପାତ ଆଶଙ୍କା ଥିବାରୁ  ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।  ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ,  ଗଜପତି, କଟକ ଓ ଜଗତସିଂହପୁରରେ  ଶନିବାର ଗରମ ସହ ଗୁଳୁଗୁଳି ନୟାନ୍ତ  କରିପାରେ । ଆସନ୍ତା ୨୨ ତାରିଖ  ପର୍ଯ୍ୟନ୍ତ ପ୍ରତିଦିନ କିଛି କିଛି ସ୍ଥାନରେ  କାଳବୈଶାଖୀ ସମ୍ଭାବନା ରହିଛି । ମାତ୍ର ଏହା ସତ୍ତେ୍ୱ ବି ତାତି ପ୍ରକୋପରୁ ବଡ଼  ଆଶ୍ୱସ୍ତି ସମ୍ଭାବନା ଦେଖାଯାଉନି ।