ଭୁବନେଶ୍ୱର,୪/୦୧: ଆସନ୍ତା ଦୁଇ ଦିନ ରାଜ୍ୟରେ  ଘନ କୁହୁଡ଼ି ଦୃଶ୍ୟମାନ ହେବ । ମଙ୍ଗଳବାର ଓ ବୁଧବାର ଉପକୂଳ  ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଘନ କୁହୁଡ଼ି ଦେଖାଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୫ ଦିନ ଯାଏ  ଦିନ ଓ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି  ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।  

ମଙ୍ଗଳବାର ଭଦ୍ରକ,  କେନ୍ଦ୍ରାପଡ଼ା, ଜଗତସିଂହପୁର,  ଯାଜପୁର, କଟକ, ଖୋର୍ଦ୍ଧା ଓ  ଗଞ୍ଜାମରେ ଘନ କୁହୁଡ଼ି ଦୃଶ୍ୟମାନ  ହେବ । ବୁଧବାର ବାଲେଶ୍ୱର,  ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,  କଟକ, ଜଗତ୍‌ସିଂହପୁର, ପୁରୀ,  ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼ ଓ  ଗଜପତିରେ ଘନ କୁହୁଡ଼ି ଦେଖାଯିବ  ବୋଲି ପାଣିପାଗ ବିଭାଗ ପକ୍ଷରୁ  କୁହାଯାଇଛି । 

ଗତ ୨୧ ତାରିଖରୁ  ରାଜଧାନୀ ସମେତ ଉପକୂଳ ଓଡ଼ିଶା  ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ  ଘନ କୁହୁଡ଼ି ଦେଖା ଦେଉଛି ।  ଓଡ଼ିଶା ଉପକୂଳ ବଙ୍ଗୋପସାଗର  ଅଞ୍ଚଳରେ ଗୁରୁଚାପ ବଳୟର  ଉପସ୍ଥିତି ଯୋଗୁ କୁହୁଡ଼ି ହେଉଛି  ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି ।  ସୋମବାର ପାରଳାଖେମୁଣ୍ଡିରେ ଦିନ  ତାପମାତ୍ରା ସବୁଠୁ ଅଧିକ ଥିଲା ।  ଏଠାରେ ୩୬.୬ ଡିଗ୍ରୀ ସେଲସିୟସ୍‌  ରେକର୍ଡ ହୋଇଥିଲା । ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୩୦ ଡିଗ୍ରୀ  ଉପରେ ରହିଥିଲା । ଭୁବନେଶ୍ୱରରେ  ୩୨.୪ ଡିଗ୍ରୀ ଥିଲା । ରବିବାର  ଫୁଲବାଣୀରେ ରାତି ତାପମାତ୍ରା ୧୫  ଡିଗ୍ରୀ ଥିଲା । କଟକରେ ୨୦.୨,  ଭୁବନେଶ୍ୱରରେ ୨୧.୨ ଡିଗ୍ରୀ ଥିଲା ।