ଭୁବନେଶ୍ୱର,୨୬/୦୪:  ରାଜ୍ୟରେ ଶନିବାର ତାତିର ପ୍ରକୋପ  ଜାରି ରହିବ । ଝାରସୁଗୁଡ଼ା, ବୌଦ୍ଧ, ସମ୍ବଲପୁର ଓ ବଲାଙ୍ଗୀରରେ ଗ୍ରୀଷ୍ମପ୍ରବାହ ବହିବ । ଉପକୂଳ ଓଡ଼ିଶା ସମେତ ନୟାଗଡ଼, ଗଞ୍ଜାମ ଓ ଗଜପତିରେ  ଗରମ ଓ ଗୁଳୁଗୁଳି ନାକେଦମ କରିବ । ରବିବାରଠାରୁ ତାତିରେ ସାମୟିକ ବିରତି ଲାଗିବ । ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି  ସହିତ ବର୍ଷା ହେବ । ଉତ୍ତର ଓ ଦକ୍ଷିଣ  ଓଡ଼ିଶାର କିଛି ସ୍ଥାନରେ ୫୦ରୁ ୬୦କିମି ବେଗରେ ପବନ ବହିପାରେ । ପାଣିପାଗ  ବିଭାଗ ଏଭଳି ପୂର୍ବାନୁମାନ କରିଛି ।

ଶନିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ,  ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼,  ଗଞ୍ଜାମ ଓ ଗଜପତିରେ ଅସହ୍ୟ ଗରମ  ଓ ଗୁଳୁଗୁଳି ହୋଇପାରେ । ତେବେ  ମାଲକାନଗିରି, ଗଞ୍ଜାମ, କୋରାପୁଟ  ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ୩୦ରୁ ୪୦ କିମି  ବେଗରେ ପବନ ବହିପାରେ । 

୨୭ ତାରିଖ(ରବିବାର)  କାଳବୈଶାଖୀ ପ୍ରଭାବରେ ଅଧିକ ବର୍ଷା ହେବ । କୋରାପୁଟ, ଗଞ୍ଜାମ,  ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ଓ ଭଦ୍ରକରେ ଅପରାହ୍ନରେ  ଝଡ଼ ବର୍ଷା ଆଶଙ୍କା ଅଛି । ଏହି  ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି  କରାଯାଇଛି । ମାଲକାନଗିରି, ରାୟଗଡ଼ା,  ଗଜପତି, କନ୍ଧମାଳ, କଳାହାଣ୍ଡି,  ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା,  ବଲାଙ୍ଗୀର, ବରଗଡ଼, ସୋନପୁର,  ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ,  ଯାଜପୁର, ଦେବଗଡ଼, ସମ୍ବଲପୁର ଓ  ଝାରସୁଗୁଡ଼ାରେ ଘଡ଼ଘଡ଼ି ଓ ବର୍ଷା ସହିତ  ୪୦ କିମି ବେଗରେ ପବନ ବହିପାରେ । 

୨୮ ତାରିଖରେ ମୟୂରଭଞ୍ଜ,  କେନ୍ଦୁଝର, ଭଦ୍ରକ, ଅନୁଗୁଳ, ଗଞ୍ଜାମ  ଓ ବାଲେଶ୍ୱରରେ ପ୍ରବଳ ବର୍ଷା ଓ ପବନ ହେବ । ଏହି ସବୁ ସ୍ଥାନରେ ୫୦ରୁ  ୬୦କିମି ବେଗରେ ପବନ ବହିପାରେ ।  ଯାଜପୁର ଓ ସୁନ୍ଦରଗଡ଼ରେ ବର୍ଷା ସହିତ  ୫୦ରୁ ୬୦କିମି ବେଗରେ ବହିବ  ବୋଲି ପାଣିପାଗ ବିଭାଗ ଆକଳନ  କରିଛି । ଉପକୂଳ ଓଡ଼ିଶା ସମେତ  ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି  ସହ ବର୍ଷା ଆଶଙ୍କା ଅଛି । ୨୯ ତାରିଖରେ ନୟାଗଡ଼,  ଖୋର୍ଦ୍ଧା, ବାଲେଶ୍ୱର, ମୟୂରଭଞ୍ଜ ଓ  କଟକରେ ଝଡ଼ ବର୍ଷା ଆଶଙ୍କା ଅଛି ।  

ଶୁକ୍ରବାର ବଲାଙ୍ଗୀର, ନୂଆପଡ଼ା, ରାୟଗଡ଼ା, ଗଞ୍ଜାମ, ନୟାଗଡ଼ ଓ ଗଜପତିର ଅଧିକାଂଶ  ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ବଲାଙ୍ଗୀରରେ ଝଡ଼ ବର୍ଷା ହୋଇଛି । ଗଛ ପଡ଼ିବା ଯୋଗୁ ଦୁଇ ଜଣ ପ୍ରାଣ ହରାଇଛନ୍ତି ।