ଭୁବନେଶ୍ୱର,୧୭/୦୮: ଆସନ୍ତା ୧୮ ତାରିଖରେ ରାଜ୍ୟରେ ପୁଣି ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ଅଛି । ଉତ୍ତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ପାଣିପାଗ ବିଭାଗର ଆକଳନ କହୁଛି, ରବିବାର ମାଲକାନଗିରି ଓ କୋରାପୁଟରେ ବର୍ଷା ସମ୍ଭାବନା ଅଛି । ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବି ବର୍ଷା ହେବ । ୨୪ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।
ସୋମବାର ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି ଓ କୋରାପୁଟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ାରେ ଅଧିକ ବର୍ଷା ସମ୍ଭାବନା ଅଛି ।
୧୯ ତାରିଖରେ କୋରାପୁଟ ଓ କଳାହାଣ୍ଡିରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ମାଲକାନଗିରି, ବଲାଙ୍ଗିର ସମେତ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆକଳନ କରାଯାଇଛି ।
ଗତ ୨୪ ଘଣ୍ଟାରେ ଯାଜପୁରର ବରୀରେ ୮୫.୨ ମିମି ବର୍ଷା ହୋଇଛି । ଶନିବାର ସକାଳରୁ ସନ୍ଧ୍ୟା ଭିତରେ ଢେଙ୍କାନାଳରେ ୧୮.୬, ତାଳଚେରରେ ୧୬.୨ ଓ ପୁରୀରେ ୧୩ମିମି ବର୍ଷା ରେକର୍ଡ ହୋଇଛି ।