ଭୁବନେଶ୍ୱର,୧୭/୦୮: ଆସନ୍ତା ୧୮ ତାରିଖରେ ରାଜ୍ୟରେ ପୁଣି ଏକ ଲଘୁଚାପ  ସୃଷ୍ଟି ସମ୍ଭାବନା ଅଛି । ଉତ୍ତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି  ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

ପାଣିପାଗ ବିଭାଗର ଆକଳନ କହୁଛି, ରବିବାର ମାଲକାନଗିରି ଓ କୋରାପୁଟରେ  ବର୍ଷା ସମ୍ଭାବନା ଅଛି । ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ  ବି ବର୍ଷା ହେବ । ୨୪ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।

ସୋମବାର ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି ଓ କୋରାପୁଟରେ ପ୍ରବଳରୁ  ଅତିପ୍ରବଳ ବର୍ଷା ହୋଇପାରେ । ନବରଙ୍ଗପୁର,  କଳାହାଣ୍ଡି ଓ ନୂଆପଡ଼ାରେ ଅଧିକ ବର୍ଷା  ସମ୍ଭାବନା ଅଛି । 

୧୯ ତାରିଖରେ କୋରାପୁଟ ଓ କଳାହାଣ୍ଡିରେ  ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ।  ମାଲକାନଗିରି, ବଲାଙ୍ଗିର ସମେତ ଆଭ୍ୟନ୍ତରୀଣ  ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ  ପ୍ରବଳ ବର୍ଷା ଆକଳନ କରାଯାଇଛି ।

ଗତ ୨୪  ଘଣ୍ଟାରେ ଯାଜପୁରର ବରୀରେ ୮୫.୨ ମିମି ବର୍ଷା  ହୋଇଛି । ଶନିବାର ସକାଳରୁ ସନ୍ଧ୍ୟା ଭିତରେ  ଢେଙ୍କାନାଳରେ ୧୮.୬, ତାଳଚେରରେ ୧୬.୨ ଓ ପୁରୀରେ ୧୩ମିମି ବର୍ଷା ରେକର୍ଡ ହୋଇଛି ।