ଭୁବନେଶ୍ୱର,୦୧/୦୬:  ବର୍ତ୍ତମାନ ରାଜ୍ୟରେ ବିଶେଷ ବର୍ଷା  ସମ୍ଭାବନା ନାହିଁ । ତାପମାତ୍ରା ପ୍ରାୟ ୨ରୁ  ୪ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇପାରେ ।  ଏଭଳି ପୂର୍ବାନୁମାନ ଦେଖାଇଛି  ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ମୌସୁମୀର ସାମୟିକ ବିରତି ଯୋଗୁ ରାଜ୍ୟରେ ବର୍ଷା କମିଛି। କିଛି  କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ  ଘଡ଼ଘଡ଼ି ସହ ବର୍ଷା ହୋଇଛି । 

ଶନିବାର ଦିନ ଭିତରେ ନୟାଗଡ଼ରେ ୧୭  ମିଲିମିଟର ମିମି ବର୍ଷା ହୋଇଥିବାବେଳେ  କେନ୍ଦ୍ରାପଡ଼ା, ନୂଆପଡ଼ା, ବରଗଡ଼,  ଚାନ୍ଦବାଲି, କୋରାପୁଟରେ ଅସରାଏ  ଲେଖାଏଁ ବର୍ଷା ହୋଇଛି । ନୟାଗଡ଼ରେ  ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ  ସେଲସିୟସ୍‌ ଥିବାବେଳେ ବୌଦ୍ଧ  ୩୬.୮, କୋରାପୁଟ ୩୬.୬,  ତାଳଚେର ୩୬.୬, ଭୁବନେଶ୍ୱର  ୩୬.୨, ବାଲେଶ୍ୱର ୩୬, ଚାନ୍ଦବାଲି  ୩୫.୯ ଡିଗ୍ରୀ ସେଲସିୟସ୍‌ ଥିଲା।  ଉପକୂଳ ଓଡ଼ିଶାରେ ଗୁଳୁଗୁଳି ବଢ଼ିଛି ।  

ପାଣିପାଗ ବିଭାଗ ଅନୁସାରେ ରବିବାର ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନ ସମେତ ମୟୂରଭଞ୍ଜ, କେନ୍ଦୁଝର,  ମାଲକାନଗିରିରେ ଘଡ଼ଘଡ଼ି ସହ ହାଲୁକା  ବର୍ଷା ସମ୍ଭାବନା ଅଛି । ମୟୂରଭଞ୍ଜ,  ବାଲେଶ୍ୱର, ଭଦ୍ରକରେ କାଳବୈଶାଖୀ  ପ୍ରଭାବରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ହୋଇପାରେ ।  

ଶିକ୍ଷା ଓ ଅନୁସନ୍ଧାନ (ସୋଆ)  ପରିଚାଳିତ ଜଳବାୟୁ ଓ ପରିବେଶ  କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି, ବର୍ତ୍ତମାନ ପାଗରେ ବଡ଼ ପରିବର୍ତ୍ତନ ସମ୍ଭାବନା ନାହିଁ ।  କାଁ ଭାଁ ବର୍ଷା ହୋଇପାରେ । ଜୁନ୍‌ ୭  ତାରିଖରୁ ତାପମାତ୍ରା ବଢ଼ିବା ସହ  ଗରମ ବୃଦ୍ଧି ପାଇବା ସମ୍ଭାବନା ଅଛି ।