ଭୁବନେଶ୍ୱର,୨୮/୧୧:  ଗୁରୁବାର ରାତିରୁ ରାଜ୍ୟରେ ଶୀତ  କମିବ । ରାତି ତାପମାତ୍ରା ପ୍ରାୟ ୪ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ । ଏହା ପ୍ରଭାବରେ  କମ୍‌ ଶୀତ ଅନୁଭୂତ ହେବ । ଉଭୟ  ପାଣିପାଗ ବିଭାଗ ଓ ପାଣିପାଗ ବିଶେଷଜ୍ଞ  ଏଭଳି ପୂର୍ବାନୁମାନ କରିଛନ୍ତି । ସେହିଭଳି ତାମିଲନାଡୁ ଓ ଶ୍ରୀଲଙ୍କା ଉପକୂଳରେ  ହେବାକୁ ଥିବା ବାତ୍ୟା ପ୍ରଭାବରେ  ରାଜ୍ୟରେ କାଁ ଭାଁ ବର୍ଷା ହୋଇପାରେ । 

ବରିଷ୍ଠ ପାଣିପାଗ ବିଶେଷଜ୍ଞ  ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ  କହିଛନ୍ତି, ଭୁବନେଶ୍ୱର ଓ ସଂଲଗ୍ନ  ଉପକୂଳ ଜିଲ୍ଲାରେ ୨୮ ତାରିଖ ରାତିରେ  ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ ଡିଗ୍ରୀ  ବଢ଼ିବ । ୨ ତାରିଖ ଯାଏ ରାତି ତାପମାତ୍ରା  ଅଧିକ ରହିବ ଓ ଶୀତ କମ୍‌ ରହିବ ।  ୩ ତାରିଖରେ ରାତି ତାପମାତ୍ରା ପୁଣି  ୨ ଡିଗ୍ରୀ କମିଯିବ । ୪, ୫ ଓ ୬  ତାରିଖରେ ଏଭଳି ତାପମାତ୍ରା ରହିବ ।  ଡିସେମ୍ବର ୧ ତାରିଖ ଯାଏ ଦିନରେ ପାଗ  କୋହଲା ରହିବ । ୩୦ ତାରିଖ ରାତିରେ  ଆଭ୍ୟନ୍ତରୀଣ ଜିଲ୍ଲାରେ ରାତି ତାପମାତ୍ରା  ୩ ଡିଗ୍ରୀ ବଢ଼ିବ । ୧ ତାରିଖରେ ପୁଣି  ୨ ଡିଗ୍ରୀ କମିବ । ଡିସେମ୍ବର ୫ ତାରିଖ  ଯାଏ ଏଭଳି ତାପମାତ୍ରା ରହିବ ବୋଲି  ସେ ପୂର୍ବାନୁମାନ କରିଛନ୍ତି । ଆସନ୍ତା  ୭ଦିନ ଯାଏ କୁହୁଡ଼ି ଦୃଶ୍ୟମାନ ହେବନି  ବୋଲି ମଧ୍ୟ ସେ ଆକଳନ କରିଛନ୍ତି । 

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା  ଅବପାତ ଆସନ୍ତା ୧୨ ଘଣ୍ଟାରେ ଛୋଟ  ବାତ୍ୟାରେ ପରିଣତ ହୋଇପାରେ ।  ସମୁଦ୍ର ଉପରେ ଥିବା ସମୟରେ ଏହାର  ପ୍ରଭାବ ଅଧିକ ରହିବ । ୩୦ ତାରିଖରେ  ବାତ୍ୟା ଉପକୂଳ ଛୁଇଁବା ବେଳକୁ ଦୁର୍ବଳ  ହୋଇଯିବ । ସ୍ଥଳଭାଗରେ କମ୍‌ ବର୍ଷା ଓ  ପବନ ହୋଇପାରେ । ତେବେ ଓଡ଼ିଶା  ଉପରେ ବାତ୍ୟାର ପ୍ରଭାବ ପଡ଼ିବାର  ସମ୍ଭାବନା କମ୍‌ । ଦକ୍ଷିଣ ଉପକୂଳ ତଥା  ଗଞ୍ଜାମରେ ହାଲୁକା ବର୍ଷା ହୋଇପାରେ ।  ଉପକୂଳ ଓଡ଼ିଶାରେ ଆସନ୍ତା ୪ ଦିନ  ପାଗ ମେଘୁଆ ରହିବ । ଏହା ପର  ତିନି ଦିନ ପାଗ ଆଂଶିକ ମେଘୁଆ ରହିବ । ଆଭ୍ୟନ୍ତରୀଣ ଅଞ୍ଚଳରେ ପାଗ  ଶୁଖିଲା ରହିବ । ୩୦ ତାରିଖରେ ପାଗ  ମେଘୁଆ ରହିବ ବୋଲି ପ୍ରଫେସର  ପଶୁପାଳକ ଆକଳନ କରିଛନ୍ତି । 

ପାଣିପାଗ ବିଭାଗର ପୂର୍ବାନୁମାନ  କହୁଛି, ୨୮, ୨୯ ଓ ୩୦ ତାରିଖରେ  ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶା  ସମେତ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା  ହୋଇପାରେ । ୨୮ ତାରିଖରେ କେନ୍ଦ୍ରାପଡ଼ା,  ଭଦ୍ରକ, ଜଗତସିଂହପୁର, ପୁରୀ,  ଗଞ୍ଜାମ ଓ ଗଜପତି ଜିଲ୍ଲାରେ ହାଲୁକା  ବର୍ଷା ହୋଇପାରେ । ୨୯ ତାରିଖରେ  ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା,  କୋରାପୁଟ ଓ ମାଲକାନଗିରିରେ ସ୍ୱଳ୍ପରୁ  ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି ।  ୩୦ ତାରିଖରେ ଉପକୂଳ ଓଡ଼ିଶା  ସମେତ ରାୟଗଡ଼ା, କୋରାପୁଟ,  ମାଲକାନଗିରି, ମୟୂରଭଞ୍ଜରେ ସ୍ୱଳ୍ପରୁ  ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି ।  ଆସନ୍ତା ତିନି ଦିନରେ ରାଜ୍ୟରେ ରାତି  ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ । 

ମଙ୍ଗଳବାର ରାତିରେ ଜି  ଉଦୟଗିରିର ତାପମାତ୍ରା ସବୁଠୁ କମ୍‌  ବା ୮.୪ ଡିଗ୍ରୀ ସେଲସିୟସ୍‌ ରହିଥିଲା ।  ଫୁଲବାଣୀରେ ୮.୫, ସିମିଳିଗୁଡ଼ାରେ  ୮.୭ ଓ ଭବାନୀପାଟଣାରେ ୧୦.୪  ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା ।