ଭୁବନେଶ୍ୱର, ୨୯/୧୦: ଭୀଷଣ ତାତି । ଜଳିଲା ସାରା ଓଡ଼ିଶା । ଟକଟକ ହୋଇ ତାତିରେ ଫୁଟିଲା ଝାରସୁଗୁଡ଼ା । ପାରଦ ୪୩ ଡିଗ୍ରୀ ସେଲସିୟସ ଛୁଇଁଲା, ପାଲଟିଗଲା ଦେଶର ସବୁଠାରୁ  ଉତ୍ତପ୍ତ ସହର । ଭୁବନେଶ୍ୱର  ସମେତ ୧୮ ସହରରେ ତାଉ  ୪୦ ଡିଗ୍ରୀ ଡେଇଁଲା ।

ପାଣିପାଗ ପୂର୍ବାନୁମାନ, ଆସନ୍ତା ଦୁଇଦିନ ଟିକିଏ ବି ନିସ୍ତାର  ମିଳିବନି । ଗ୍ରୀଷ୍ମ ପ୍ରବାହରେ କଲବଲ ହେବ ଓଡ଼ିଶା । ୧ ତାରିଖବେଳକୁ ହାଲୁକା ଖସିପାରେ  ପାରଦ । ସମ୍ଭବତଃ କାଳବୈଶାଖୀ  କିଛି ଆଶ୍ୱସ୍ତି ଦେଇପାରେ । ବିଭିନ୍ନ ମଡେଲ୍‌ର  ପୂର୍ବାନୁମାନ ଅନୁସାରେ ଦକ୍ଷିଣ ଚୀନ ସାଗରରେ ଥିବା ଲଘୁଚାପର ଅଂଶ ବଙ୍ଗୋପସାଗରକୁ ପଶିବ  ଆସନ୍ତା ସପ୍ତାହରେ । ଏହା  ପ୍ରଭାବରେ ଏପ୍ରିଲ ୩ରୁ ୫  ତାରିଖ ଭିତରେ ଦକ୍ଷିଣ ପୂର୍ବ  ବଙ୍ଗୋପସାଗର ଓ ଆଣ୍ଡାମାନ  ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି  ହୋଇପାରେ । ଏହା ଘନୀଭୂତ  ହୋଇ ଅବପାତ ରୂପ ନେବାର  କିଛି ପରିମାଣରେ ସମ୍ଭାବନା  ରହିଛି । ଏପରିକି ଆଉ ଏକ  ମଡେଲ୍‌ ଗ୍ରୀଷ୍ମ କାଳୀନ ବାତ୍ୟା  ସମ୍ଭାବନା ନେଇ ମଧ୍ୟ ଆକଳନ କରିଛନ୍ତି । ମାତ୍ର ଏବେଠାରୁ ସ୍ପଷ୍ଟ  ଆକଳନ ସହଜ ନୁହେଁ । ପାଣିପାଗ ବୈଜ୍ଞାନିକଙ୍କ ମତରେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଯେତେ ଶକ୍ତିଶାଳୀ ହେବ, ତାହା ସେତେ ଅଧିକ  ଜଳୀୟବାଷ୍ପ ଟାଣି ନେବ । ଫଳରେ  ଗ୍ରୀଷ୍ମ ପ୍ରବାହ ଆହୁରି ବଢ଼ିପାରେ । 

ବର୍ତ୍ତମାନର ପାଣିପାଗ  ପୂର୍ବାନୁମାନ ଅନୁସାରେ ଶନିବାର ଝାରସୁଗୁଡ଼ା,  ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ ଓ କଳାହାଣ୍ଡିରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ । ଝାରସୁଗୁଡ଼ା ସମେତ  ସମ୍ବଲପୁର, ବଲାଙ୍ଗୀର, ଟିଟିଲାଗଡ଼ ଓ ସୋନପୁରରେ  ପାରଦ ୪୩ ଡିଗ୍ରୀ ରହିପାରେ । ଭୁବନେଶ୍ୱର,  କଟକ ସମେତ ଉପକୂଳ ଓଡ଼ିଶାରେ ତାତି ୩୮ରୁ  ୪୦ ଡିଗ୍ରୀ ମଧ୍ୟରେ ରହିବା ସମ୍ଭାବନା ଅଛି ।  

ରବିବାର (୩୦ ତାରିଖ) ଝାରସୁଗୁଡ଼ା,  ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର,  କଳାହାଣ୍ଡିରେ ଗ୍ରୀଷ୍ମ ପ୍ରବାହ ଆଶଙ୍କା ଅଛି । ସୋନପୁର, ଟିଟିଲାଗଡ଼ ଓ ବଲାଙ୍ଗୀରରେ ସର୍ବାଧିକ  ୪୩ ଡିଗ୍ରୀ ରହିପାରେ ପାରଦ । କେତେକ ସ୍ଥାନରେ  ତାତି ୪୧/୪୨ ଡିଗ୍ରୀ ରହିପାରେ। ଉପକୂଳରେ  ୩୭ରୁ ୪୦ ଡିଗ୍ରୀ ରହିପାରେ ପାରଦ । ୩୧  ତାରିଖରୁ ଗ୍ରୀଷ୍ମ ପ୍ରବାହ ସତର୍କ ସୂଚନା ନାହିଁ ।  ତଥାପି ରାଜ୍ୟରେ ତାତି ଲାଗି ରହିବ । ପଶ୍ଚିମରେ  ୪୧-୪୨ ଡିଗ୍ରୀ ଓ ଉପକୂଳରେ ୩୬ରୁ ୩୯ ଡିଗ୍ରୀ  ରହିପାରେ ତାପମାତ୍ରା ।  

ଏପ୍ରିଲ ପହିଲାରୁ ତାତି ପ୍ରକୋପ ସାମାନ୍ୟ କମିବ । ପଶ୍ଚିମ ଓଡ଼ିଶାରେ ପାରଦ ୪୦-୪୧ ଡିଗ୍ରୀ  ରହିପାରେ । ଉପକୂଳରେ ୩୬-୩୭ ଡିଗ୍ରୀ ପ୍ରାୟତଃ  ରହିପାରେ । ୧ ତାରିଖ ପରେ କାଳବୈଶାଖୀ  ବର୍ଷା ସମ୍ଭାବନା ଥିବା ଅନୁମାନ କରାଯାଉଛି । 

ରାଜ୍ୟରେ ଶୁକ୍ରବାର ଭୀଷଣ ଗରମ  ଅନୁଭୂତ ହୋଇଛି । ସକାଳ ୧୦ଟାରୁ ତାତି  ପ୍ରକୋପ ବଢ଼ି ଚାଲିଥିଲା । ଦିନ ୧ଟାବେଳକୁ  ଅସମ୍ଭାଳ ଥିଲା ତତଲା ପବନ । ଝାରସୁଗୁଡ଼ା  ପରେ ସମ୍ବଲପୁର ତାପମାତ୍ରା ୪୧.୬, ହୀରାକୁଦ  ୪୧.୨, ବୌଦ୍ଧ ୪୧.୨, ବଲାଙ୍ଗୀର ୪୧.୨, ଟିଟିଲାଗଡ଼ ୪୧.୨, ସୁନ୍ଦରଗଡ଼ ୪୧.୧, ଅନୁଗୁଳ  ୪୦.୯, ତାଳଚେର ୪୦.୮, ପାରଳାଖେମୁଣ୍ଡି  ୪୦.୫, ସୋନପୁର ୪୦.୫, ଭବାନୀପାଟଣା  ୪୦.୫, ବାରିପଦା ୪୦.୪, ରାଉରକେଲା  ୪୦.୪, ଚାନ୍ଦବାଲି ୪୦.୪, ଭୁବନେଶ୍ୱର  ୪୦.୨, ଜଗତସିଂହପୁର ୪୦.୨ ଡିଗ୍ରୀ ଥିଲା ।