ଭୁବନେଶ୍ୱର,୦୧/୦୭: ଆସନ୍ତା ୫ ଦିନ ଯାଏ ରାଜ୍ୟର  ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ବେଶି ବର୍ଷିପାରେ  ଉତ୍ତର ଓ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ । ଜୁଲାଇ ୫ରୁ ବର୍ଷା ପରିମାଣ କମିପାରେ । ହେଲେ ସମଗ୍ର ଜୁଲାଇ ମାସରେ ରାଜ୍ୟରେ  ଭଲ ବର୍ଷା ସମ୍ଭାବନା  ଅଛି । ଉପକୂଳ  ଏବଂ ସୀମାନ୍ତବର୍ତ୍ତୀ  ପଶ୍ଚିମ ଓଡ଼ିଶାରେ ସ୍ବାଭାବିକଠାରୁ  ଢେର ଅଧିକ ବର୍ଷା  ହୋଇପାରେ । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)  ଏଭଳି ପୂର୍ବାନୁମାନ ଦେଖାଇଛି । 

ଜୁନ୍‌ ମାସ ଆରମ୍ଭରୁ  ବର୍ଷା ଗାଏବ ରହିଥିଲା । ମାସ ଅଧା ଯାଏଁ ନିଅଣ୍ଟିଆ ସ୍ଥିତି  ଥିଲା ଅଧିକାଂଶ ଜିଲ୍ଲାରେ । ମାସ ସରିଲାବେଳକୁ ରାଜ୍ୟରେ ୧୭% ଅଧିକ ବର୍ଷା ରେକର୍ଡ ହୋଇଛି । ପାଣିପାଗର ତାଜା  ପୂର୍ବାନୁମାନ ହେଲା, ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ମଙ୍ଗଳବାର  ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ  ବର୍ଷା ହୋଇପାରେ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁରରେ ପ୍ରବଳରୁ ପ୍ରବଳତର ବର୍ଷା ସହ ଘଡ଼ଘଡ଼ି  ଏବଂ ୩୦-୪୦ କିମି ପବନ ବହିପାରେ । ମୟୂରଭଞ୍ଜ, କେନ୍ଦୁଝର, ବରଗଡ଼, ସୋନପୁର, ଅନୁଗୁଳ, ଦେବଗଡ଼ରେ ସ୍ଥାନେ ସ୍ଥାନେ ବଜ୍ରପାତ, ପବନ ସହ  ପ୍ରବଳ ବର୍ଷା ଆଶଙ୍କା ଅଛି । ବାଲେଶ୍ୱର, ଭଦ୍ରକ,  ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ,  ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଢେଙ୍କାନାଳରେ  ବଜ୍ରପାତ ଓ ପବନ ହୋଇପାରେ । ବୁଧବାର ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ଥିବାବେଳେ ମୟୂରଭଞ୍ଜ,  ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ସମେତ ଉତ୍ତର  ଓ ପଶ୍ଚିମ ଓଡ଼ିଶାରେ ବେଶି ବର୍ଷା ଆଶଙ୍କା ରହୁଛି ।  

ଅନ୍ୟପଟେ ପାଣିପାଗ ବିଭାଗ ପକ୍ଷରୁ ଜୁଲାଇ  ମାସ ପାଇଁ ଜାରି ହୋଇଥିବା ପୂର୍ବାନୁମାନରେ  ଦର୍ଶାଯାଇଛି, ଏଇ ମାସରେ ଦେଶରେ ସ୍ୱାଭାବିକଠାରୁ  ଅଧିକ ବର୍ଷା ସମ୍ଭାବନା ଅଛି । ଉତ୍ତର ପୂର୍ବ  ଭାରତକୁ ଛାଡ଼ିଦେଲେ ବାକି ପ୍ରାନ୍ତରେ ବର୍ଷା  ସ୍ୱାଭାବିକ କିମ୍ବା ତା’ଠାରୁ ଅଧିକ ହୋଇପାରେ ।  

ଆଇଏମଡି ଜାରି କରିଥିବା ପୂର୍ବାନୁମାନ ଚିତ୍ର  ଦେଖାଉଛି ଯେ ଓଡ଼ିଶାରେ ଜୁଲାଇ ମାସରେ ଭଲ ବର୍ଷା  ସମ୍ଭାବନା ରହିଛି । ସାରା ଓଡ଼ିଶାରେ ସ୍ୱାଭାବିକଠାରୁ  ଅଧିକ ବର୍ଷା ହୋଇପାରେ । ବିଶେଷ କରି ସମୁଦ୍ର ସଂଲଗ୍ନ  ଉପକୂଳବର୍ତ୍ତୀ ଜିଲ୍ଲା ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ (ଗଞ୍ଜାମରୁ  ମୟୂରଭଞ୍ଜ) ଓ ସୀମାନ୍ତବର୍ତ୍ତି ପଶ୍ଚିମ ଓଡ଼ିଶାରେ  ସ୍ୱାଭାବିକଠାରୁ ଢେର ଅଧିକ ବର୍ଷା ସମ୍ଭାବନା ଅଛି ।  

ଜୁନ୍‌ ପହିଲାରୁ ୩୦ ତାରିଖ ଭିତରେ ରାଜ୍ୟରେ  ହେବା କଥା ୨୦୯.୩ ମିଲିମିଟର ବର୍ଷା । ହୋଇଛି ୨୪୫  ମିମି । ନୂଆପଡ଼ା, ଗଜପତି, ଝାରସୁଗୁଡ଼ାକୁ ଛାଡ଼ି ଦେଲେ  ବାକି ୨୭ ଜିଲ୍ଲାରେ ବର୍ଷା ଭଲ ହୋଇଛି । ଏପରିକି  ୧୨ ଜିଲ୍ଲାରେ ବର୍ଷା ସ୍ୱାଭାବିକଠାରୁ ଅଧିକ ଓ ୧୫  ଜିଲ୍ଲାରେ ବର୍ଷା ପରିମାଣ ସ୍ୱାଭାବକି ଅଛି । ମୟୂରଭଞ୍ଜ  ଓ ଜଗତସିଂହପୁରରେ ସର୍ବାଧିକ ୬୯% ଲେଖାଏଁ  ଅଧିକ ବର୍ଷା ରେକର୍ଡ ହୋଇଥିବାବେଳେ ବୌଦ୍ଧରେ  ୬୪%, ସୋନପୁରରେ ୫୬%, ଦେବଗଡ଼ରେ  ୫୩%, ସୁନ୍ଦରଗଡ଼ରେ ୫୧%, କେନ୍ଦ୍ରାପଡ଼ାରେ ୪୧%, କେନ୍ଦୁଝରରେ ୩୭%, କଟକରେ ୩୦%,  ବାଲେଶ୍ୱରରେ ୩୨%, ଢେଙ୍କାନାଳରେ ୩୦%,  ଭଦ୍ରକରେ ୨୦% ଅଧିକ ବର୍ଷା ହୋଇଛି ଜୁନ୍‌ ମାସରେ ।