ଭୁବନେଶ୍ୱର,୦୯/୦୮: ଦକ୍ଷିଣ ପୂର୍ବ ଓ ସଂଲଗ୍ନ କେନ୍ଦ୍ରୀୟ  ପୂର୍ବ ବଙ୍ଗୋପସାଗରରେ ରବିବାର ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।  ଏହା ପ୍ରଭାବରେ ଆସନ୍ତା ୪ ଦିନ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ବର୍ଷା ଯୋଗୁ  ତାତି କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।   

ସୋମବାର ଓ ମଙ୍ଗଳବାର (୯ ତାରିଖରେ) ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାତି ୪୨ରୁ ୪୩ ଡିଗ୍ରୀ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବରୁ ଆକଳନ କରିଥିଲା । କିନ୍ତୁ ଘୂର୍ଣ୍ଣିବଳୟ  ପ୍ରଭାବ ଯୋଗୁ ତାତି କମିବ । ସୋମବାର କେବଳ ସମ୍ବଲପୁରକୁ  ଛାଡ଼ି ରାଜ୍ୟର ସବୁ ସ୍ଥାନରେ ତାତି ୪୦ ଡିଗ୍ରୀ ତଳେ  ରହିବ । ଉପକୂଳ ଓଡ଼ିଶାରେ ତାପମାତ୍ରା ୩୫ରୁ ୩୭ ଡିଗ୍ରୀ  ଭିତରେ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।   

ସୋମବାର ମାଲକାନଗିରି, କୋରାପୁଟ, ମୟୂରଭଞ୍ଜ ଓ  କେନ୍ଦୁଝରରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ୩୦ରୁ  ୪୦ କିମି ବେଗରେ ପବନ ବି ବହିପାରେ । ଘୂର୍ଣ୍ଣିବଳୟ  ସତ୍ତେ୍ୱ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ,  ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ  ଗଜପତିରେ ଗରମ ଓ ଗୁଳୁଗୁଳି ସ୍ଥିତି ରହିବ । 

ମଙ୍ଗଳବାର(୧୦  ତାରିଖ) ଉପକୂଳ ଓଡ଼ିଶାର ପାଗ ବଦଳିବ । ଉତ୍ତର ଓ  ଦକ୍ଷିଣ ଓଡ଼ିଶାରେ ବି ବର୍ଷା ହୋଇପାରେ । ବାଲେଶ୍ୱର,  ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର,  ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ,  ବୌଦ୍ଧ, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି,  ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ଘଡ଼ଘଡ଼ି  ସହ ବର୍ଷା ସମ୍ଭାବନା ଅଛି । ହାଲୁକା ପବନ ବି ବହିବ।   

୧୦ ତାରିଖରେ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ତାତି  ଖସିପାରେ । ବାକି ସୋନପୁର, ବୌଦ୍ଧ, ସମ୍ବଲପୁର, ଟିଟିଲାଗଡ଼  ଓ ବଲାଙ୍ଗୀରରେ ତାତି ୪୦ ଡିଗ୍ରୀ ଉପରେ ରହିବ ବୋଲି  କୁହାଯାଇଛି । ୧୧ ଓ ୧୨ ତାରିଖରେ ଦକ୍ଷିଣ ଓଡ଼ିଶା ଓ ଉପକୂଳ  ଓଡ଼ିଶାର ଅଧିକାଂଶ ସ୍ଥାନ ସମେତ ଆଉ କିଛି ସ୍ଥାନରେ ଘଡ଼ଘଡ଼ି  ସହ ବର୍ଷା ହୋଇପାରେ । 

ସୋମବାର ସମ୍ବଲପୁର ଓ ହୀରାକୁଦରେ  ତାପମାତ୍ରା ୪୦.୬ ଡିଗ୍ରୀ ଥିଲା। ଝାରସୁଗୁଡ଼ାରେ ୪୦,  ରାଉରକେଲାରେ ୩୮.୧, ଭୁବନେଶ୍ୱରରେ ୩୭.୮, କେନ୍ଦୁଝର  ଓ ଚାନ୍ଦବାଲିରେ ୩୭.୩ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି ।