ଭୁବନେଶ୍ୱର,୨୮/୦୯:  ରବିବାରଠାରୁ କମିଯିବ ବର୍ଷା । ଅଳ୍ପ କିଛି  ସ୍ଥାନରେ ବିକ୍ଷିପ୍ତ ବର୍ଷା ହୋଇପାରେ ।  ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଥିବା ଅବପାତ  ଶ୍ରୀକାକୁଲମ  ପାଖରେ ପହଞ୍ଚିବା ପରେ କ୍ରମଶଃ  ଦୁର୍ବଳ ହୋଇଛି । ରବିବାର ସନ୍ଧ୍ୟା  ସୁଦ୍ଧା ଏହା ଆହୁରି ଦୁର୍ବଳ ହୋଇଯିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

ବରିଷ୍ଠ ପାଣିପାଗ ବିଶେଷଜ୍ଞ  ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ  କହିଛନ୍ତି, ଶନିବାର ଭୋର୍‌ ୫ଟାରୁ ଏହି ଅବପାତ ଶ୍ରୀକାକୁଲମ ପାଖରେ  ସ୍ଥଳଭାଗ ଅତିକ୍ରମ କରିଛି । ଏହା ସ୍ଥଳଭାଗ ପାଖରେ ପହଞ୍ଚିବା ମାତ୍ରେ  କ୍ରମଶଃ ଦୁର୍ବଳ ହୋଇଥିଲା । ଏହା  ଆଗକୁ ଆହୁରି ଦୁର୍ବଳ ହୋଇଯିବ ।  ଏଥିପାଇଁ ବର୍ଷା କମିଯିବ । ୩୦ ତାରିଖ  ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ  ପାଗ ଶୁଖିଲା ରହିବ । ମୌସୁମୀ  ପ୍ରଭାବରେ ଅଳ୍ପ କିଛି ସ୍ଥାନରେ ସ୍ୱଳ୍ପ  ବର୍ଷା ହୋଇପାରେ । ୩୦ରେ କେନ୍ଦ୍ରୀୟ  ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର  ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି  ହୋଇପାରେ । ୧ ତାରିଖରେ ଏହା ପୁଣି  ଲଘୁଚାପ ରୂପ ନେବ । ୧ ତାରିଖରେ  ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । ୨ରେ  ରାଜ୍ୟତମାମ ସ୍ୱଳ୍ପରୁ ମଧ୍ୟମ ପରିମାଣର  ବର୍ଷା ହୋଇପାରେ । କିଛି ସ୍ଥାନରେ  ଭାରୀ ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ପାଣିପାଗ ବିଭାଗର ଆକଳନ  କହୁଛି, ୨୪ ଘଣ୍ଟାରେ ଅବପାତ ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପକୁ ଖସି ଆସିବ । ଏହା ଦୁର୍ବଳ ହେଉଥିବାରୁ ୨୮ ତାରିଖ(ରବିବାର) ଉପକୂଳ  ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି  ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ୨୯ ତାରିଖରେ ମଧ୍ୟ ଉପକୂଳ ଓଡ଼ିଶା  ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ କାଁ  ଭାଁ ବର୍ଷା ସମ୍ଭାବନା ଅଛି । କିନ୍ତୁ କୌଣସି  ସ୍ଥାନରେ ଅଧିକ ବର୍ଷା ହେବନି ବୋଲି  ପୂର୍ବାନୁମାନ ଦିଆଯାଇଛି ।

୧ତାରିଖରେ  ହେବାକୁ ଥିବା ଲଘୁଚାପ ପ୍ରଭାବରେ  ପୁଣି ବର୍ଷା ବଢ଼ିବ । ଦକ୍ଷିଣ ଓଡ଼ିଶାର କିଛି  ସ୍ଥାନରେ ଅଧିକ ବର୍ଷା ହୋଇପାରେ । ମାଲକାନଗିରି, କୋରାପୁଟ, ରାୟଗଡ଼ା,  ଗଜପତି ଓ ଗଞ୍ଜାମ ଜିଲ୍ଲାର କିଛି  ସ୍ଥାନରେ ଅଧିକ ବର୍ଷା ହୋଇପାରେ ।  ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି  ସହ ବର୍ଷା ସମ୍ଭାବନା ଅଛି । ୨ ଓ ୩  ତାରିଖରେ ଦକ୍ଷିଣ ଓଡ଼ିଶାର ଅନେକ  ସ୍ଥାନରେ ଭାରୀ ବର୍ଷା ହେବ ବୋଲି  ପାଣିପାଗ ବିଭାଗ ଆକଳନ କରିଛି ।

ଜଳସମ୍ପଦ ବିଭାଗ ସର୍ବୋଚ୍ଚ  ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି,  ମହାନଦୀ ଶାଖା ନଦୀରେ ଜଳସ୍ତର  ବଢିବ, ହେଲେ ବନ୍ୟା ସ୍ଥିତି ରହିବନି ।  ବର୍ଷା ଧୀରେ ଧୀରେ କମିବ ବୋଲି  ଆଇଏମ୍‌ଡି ଆକଳନ କରିଛି । ଗତ  ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ  ଅଧିକ ବର୍ଷା ହୋଇଛି । ୪୯ ବ୍ଲକ୍‌ରେ  ୫୦ ମିମିରୁ ଅଧିକ ବର୍ଷା ହୋଇଛି ।  କାଳିମେଳା ବ୍ଲକ୍‌ରେ ୧୨୧ ମିମି ବର୍ଷା  ହୋଇଛି । ବର୍ଷା ଯୋଗୁ କିଛି ନଦୀର  ଜଳସ୍ତର ବଢୁଛି, କିନ୍ତୁ କୌଣସିଠାରେ  ବିପଦ ସଙ୍କେତ ଛୁଇଁନି । ମହାନଦୀ  ସମେତ ଏହାର ଶାଖା ନଦୀରେ  ଜଳସ୍ତର ବି ବଢ଼ିପାରେ । ଲୁଣା,  ପାଇକା, ଚିତ୍ରୋତ୍ପଳା, ଦୟା, ଭାର୍ଗବୀ,  କୁଆଖାଇ ଓ କାଠଯୋଡ଼ିରେ ଜଳସ୍ତର  ବଢ଼ିବ । ହୀରାକୁଦର ଜଳ ଧାରଣ  କ୍ଷମତା ୬୩୦ ଫୁଟ ଥିବା ବେଳେ  ଆଜି ସକାଳୁ ଜଳସ୍ତର ୬୨୭.୮୫  ଫୁଟ ରହିଛି । ମୁଣ୍ଡୁଳିରେ ଜଳସ୍ତର ବଢ଼ି  ୬ ଲକ୍ଷ କ୍ୟୁସେକ୍‌ ହେବ । ହୀରାକୁଦ  ଗେଟ୍‌ ବନ୍ଦ ପରେ ରବିବାର ସନ୍ଧ୍ୟାରେ  ଜଳସ୍ତର କମିବ ବୋଲି ସେ କହିଛନ୍ତି ।