ଭୁବନେଶ୍ୱର,୩୦/୦୩: ଆଜି ବି ଜଳାଇବ ତାତି । ଭୀଷଣ ଖରା ଓ ତାତି ପ୍ରଭାବରେ ଅଧା ଓଡ଼ିଶା ଟକଟକ ହୋଇ ତାତିବ । ସବୁଠୁ ଭୟଙ୍କର ତାତିରେ କଲବଲ ହେବେ ପଶ୍ଚିମ ଓଡ଼ିଶାବାସୀ । ୬ ସହରରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ  ବହିବ । ଉପକୂଳ ଓଡ଼ିଶାରେ ବି ତ୍ରାହି ମିଳିବନି । ଭୀଷଣ ଗରମ ଓ ଗୁଳୁଗୁଳିରେ  ଆଉଟପାଉଟୁ ହେବ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । 

ପୂର୍ବାନୁମାନ କହୁଛି , ରବିବାର  ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର,  ବୌଦ୍ଧ, ବଲାଙ୍ଗୀର ଓ ଅନୁଗୁଳରେ  ଗ୍ରୀଷ୍ମପ୍ରବାହ ବହିପାରେ । ସମ୍ବଲପୁର,  ଝାରସୁଗୁଡ଼ା, ବଲାଙ୍ଗୀର ଓ ଟିଟିଲାଗଡ଼ରେ  ତାତି ୪୩ ଡିଗ୍ରୀ ସେଲସିୟସ୍‌ ଛୁଇଁବ ।  ଅନୁଗୁଳ, ବୌଦ୍ଧ, ଭବାନୀପାଟଣା ଓ ସୁନ୍ଦରଗଡ଼ରେ ତାପମାତ୍ରା ୪୨ ଡିଗ୍ରୀ  ରହିପାରେ । ଢେଙ୍କାନାଳରେ ୪୧ ଡିଗ୍ରୀ ଓ  ବରଗଡ଼, ମାଲକାନଗିରି ଓ ବାରିପଦାରେ  ତାତି ୪୦ ଡିଗ୍ରୀ ରହିବ ବୋଲି ପାଣିପାଗ  ବିଭାଗ ଆକଳନ କରିଛି । ସୋମବାର ଝାରସୁଗୁଡ଼ା,  ସମ୍ବଲପୁର, ବଲାଙ୍ଗୀର ଓ ଟିଟିଲାଗଡ଼ରେ  ତାପମାତ୍ରା ୪୨ ଡିଗ୍ରୀ ରହିପାରେ ।  ସୁନ୍ଦରଗଡ଼, ବୌଦ୍ଧ, ଭବାନୀପାଟଣା  ଓ ଅନୁଗୁଳରେ ତାତି ୪୧ ଡିଗ୍ରୀ ରହିବ ।  

ଶନିବାର ସମ୍ବଲପୁର ସବୁଠୁ ଅଧିକ  ତତଲା ଥିଲା । ଝାରସୁଗୁଡ଼ାରେ ୪୧.୮,  ହୀରାକୁଦରେ ୪୧.୭, ଝାରସୁଗୁଡ଼ାରେ  ୪୧.୬, ତାଳଚେର ଓ ବୌଦ୍ଧରେ ୪୧.୨,  ଅନୁଗୁଳରେ ୪୧.୧, ସୋନପୁରରେ  ୪୦.୫, ମାଲକାନଗିରି ଓ ସୁନ୍ଦରଗଡ଼ରେ  ୪୦.୨ ଡିଗ୍ରୀ ସେଲସିୟସ୍‌ ରେକର୍ଡ  ହୋଇଛି । ଶନିବାର ସାଢ଼େ ୧୧ଟାରେ  ସମ୍ବଲପୁରରେ ୩୮.୮, ଝାରସୁଗୁଡ଼ାରେ  ୩୮ ଓ ହୀରାକୁଦରେ ୩୭.୪ ଡିଗ୍ରୀ ତାପମାତ୍ରା ରହିଥିଲା । ଆର୍ଦ୍ରତା ଅଧିକ  ରହିବା ଯୋଗୁ ପ୍ରବଳ ଗରମ ଓ  ଗୁଳୁଗୁଳି ଅନୁଭୂତ ହୋଇଥିଲା ।