ଭୁବନେଶ୍ୱର,୧୭/୦୯: ଦୁର୍ଗାପୂଜାକୁ ଭିଜାଇବ ବର୍ଷା । ସୃଷ୍ଟି  ହୋଇପାରେ ଲଘୁଚାପ । ଆସନ୍ତା  ୨୫ ଓ ୨୬ ତାରିଖ ବେଳକୁ ଉତ୍ତର  ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ  ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ଅଛି । ଏହା ଘନୀଭୂତ  ହୋଇ ଅବପାତ ରୂପ ନେବ । ଏହାର  ପ୍ରଭାବରେ ୨୭ ଓ ୨୮ ତାରିଖରେ  ବର୍ଷା ହେବ। ୨୯ ତାରିଖରେ ବି  ବର୍ଷା ହୋଇପାରେ । ବରିଷ୍ଠ ପାଣିପାଗ  ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ  ପଶୁପାଳକ ଏହି ପୂର୍ବାନୁମାନ  କରିଛନ୍ତି ।

ପ୍ରଫେସର ପଶୁପାଳକ  ଆକଳନ କରି କହିଛନ୍ତି, ୨୫ ବା  ୨୬ ତାରିଖରେ ଲଘୁଚାପ ସୃଷ୍ଟି  ହୋଇପାରେ ବୋଲି ବିଭିନ୍ନ ମଡେଲ ଆକଳନ କରିଛନ୍ତି । ୨୬ ତାରିଖରୁ ରାଜ୍ୟରେ ପାଗ ବଦଳିବ । ୨୭ ଓ  ୨୮ ତାରିଖ ରାଜ୍ୟର ଅଧିକାଂଶ  ସ୍ଥାନରେ ମଧ୍ୟମ ଧରଣର ବର୍ଷା  ହେବ । ଦକ୍ଷିଣ ଓଡ଼ିଶାରେ ଭାରୀ  ବର୍ଷା ହୋଇପାରେ । ଅନ୍ୟ  କିଛି ସ୍ଥାନରେ ବି ଭାରୀ ବର୍ଷା  ହୋଇପାରେ । ୨୮ ତାରିଖ  ହେଉଛି ଦଶହରାର ଷଷ୍ଠୀ ପୂଜା ।  ଷଷ୍ଠୀ ଓ ସପ୍ତମୀ ପୂଜା ସମୟରେ  ବର୍ଷା ହୋଇପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି ।

ସୃଷ୍ଟି ହୋଇଥିବା ଲଘୁଚାପ ୨୯  ତାରିଖ ବେଳକୁ ପଶ୍ଚିମ ଓଡ଼ିଶା ଦେଇ  ଛତିଶଗଡ଼ ଓ ପରେ ନାଗପୁର ଆଡ଼କୁ  ଯିବ । ୨୯ରେ ବର୍ଷା ଆଶଙ୍କା ଅଛି ।  ୩୦ ତାରିଖ ପରେ ପାଗ ଶୁଖିଲା ରହିବ । ଏହା ପ୍ରାଥମିକ ଆକଳନ । ୨୧ ତାରିଖ  ବେଳକୁ ଠିକ୍‌ ଆକଳନ କରିହେବ ବୋଲି ସେ କହିଛନ୍ତି । ଆସନ୍ତା ୧୭ ତାରିଖ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ  ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ  ବିଭାଗ ଆକଳନ କରିଛି ।

୧୮ ତାରିଖରେ ମଧ୍ୟ ରାଜ୍ୟର  ବିକ୍ଷିପ୍ତ ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ ବୋଲି ପାଣିପାଗ  ବିଭାଗ ପୂର୍ବାନୁମାନ କରିଛି । ରୁଆ ଧାନରେ ଶୀଘ୍ର ଶୀର୍ଷ  ଯବକ୍ଷାରଜାନ ପ୍ରୟୋଗ କରିବାକୁ ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି । ସାର ନ ପକାଇଲେ ଗଛର ଅଭିବୃଦ୍ଧି  କମିଯିବ । ୨୯ ତାରିଖ ପରେ ବର୍ଷାକୁ ଦେଖି ଦ୍ୱିତୀୟ ଶୀର୍ଷ  ସାର ପ୍ରୟୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି । ମୁଗ,  ବିରି, କୋଳଥ, ଅଳସି ଭଳି ପ୍ରାକ୍‌ ରବି ଫସଲ ଶୀଘ୍ର ବୁଣନ୍ତୁ ।  ୬୦ରୁ ୭୦ ଦିନିଆ କମ୍‌ ଅବଧି ବିଶିଷ୍ଟ କିସମ ଚୟନ କରନ୍ତୁ । ଅକ୍ଟୋବର ମାସରେ ଅଧିକ ବର୍ଷା ହୋଇପାରେ ।  ଏଣୁ ଅଧିକ ବିଳମ୍ବ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।