ଭୁବନେଶ୍ୱର,୦୬/୧୨: ଆସନ୍ତା ୧୧ ତାରିଖ ଯାଏ ରାଜ୍ୟରେ କମ୍‌ ଶୀତ ଅନୁଭୂତ  ହେବ । କେନ୍ଦ୍ରୀୟ ଭାରତ, ଗୁଜରାଟ, ମହାରାଷ୍ଟ୍ର ଏବଂ ଓଡ଼ିଶା ସମେତ ପୂର୍ବ ଭାରତର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୫ ଡିଗ୍ରୀ ଅଧିକ ରହିବ । ୧୨ ତାରିଖରୁ  ଶୀତ ସାମାନ୍ୟ ବଢ଼ିପାରେ । ଉତ୍ତର ପଶ୍ଚିମ, କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ ଭାରତରେ ରାତି  ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିପାରେ । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)  ତାର ବିସ୍ତାରିତ ପାଣିପାଗ ଆକଳନ ରିପୋର୍ଟରେ ଏହି ପୂର୍ବାନୁମାନ ଦେଇଛି । 

ଡିସେମ୍ବର ପ୍ରଥମ ସପ୍ତାହ (୫ରୁ ୧୨ ତାରିଖ)ରେ ଉପକୂଳ ଓଡ଼ିଶା ଏବଂ ଦକ୍ଷିଣ  ଓଡ଼ିଶାରେ ସ୍ୱଳ୍ପ ବର୍ଷା ସମ୍ଭାବନା ଅଛି । ବିଭିନ୍ନ ସ୍ଥାନରେ ୧ରୁ ୫ମିମି ବର୍ଷା ହୋଇପାରେ ।  ଦ୍ୱିତୀୟ ସପ୍ତାହ ବା ୧୨ରୁ ୧୯ ତାରିଖ ଭିତରେ ଆଦୌ ବର୍ଷା ସମ୍ଭାବନା ନାହିଁ ଓ ପାଗ  ସମ୍ପୂର୍ଣ୍ଣ ଶୁଖିଲା ରହିବ । ୬ରୁ ୧୨ ତାରିଖ ଯାଏ ପଶ୍ଚିମ ଓଡ଼ିଶା ଏବଂ ଉତ୍ତର ଓଡ଼ିଶାରେ  ରାତି ତାପମାତ୍ରା ୧୦ରୁ ୧୪ ଡିଗ୍ରୀ ସେଲସିୟସ୍‌ ରହିପାରେ । ଉପକୂଳ ଓ ଦକ୍ଷିଣ  ଓଡ଼ିଶାରେ ରାତି ତାପମାତ୍ରା ୧୪ରୁ ୧୮ ଡିଗ୍ରୀ ରହିବ । ସେହିଭଳି ୧୩ରୁ ୧୯ ତାରିଖ ଯାଏ  ରାଜ୍ୟରେ ରାତି ତାପମାତ୍ରା ଖସିବ । ସର୍ବନିମ୍ନ ତାପମାତ୍ରା ୧୦ରୁ ୧୪ ଡିଗ୍ରୀ ରହିପାରେ । 

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କହୁଛି, ୬ ତାରିଖରେ  କୋରାପୁଟ, ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି, କେନ୍ଦୁଝର ଓ ରାୟଗଡ଼ାରେ  ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇପାରେ । ୮ ତାରିଖରେ  ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଗଜପତି, ବରଗଡ଼, ଝାରସୁଗୁଡ଼ା,  ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳରେ ସ୍ୱଳ୍ପରୁ ମଧ୍ୟମ ଧରଣର  ବର୍ଷା ସମ୍ଭାବନା ଅଛି । 

ଶନିବାରଠାରୁ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା  ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ବୋଲି ଆକଳନ କରାଯାଇଛି । ବୁଧବାର ନୟାଗଡ଼ରେ ରାତି ତାପମାତ୍ରା ସବୁଠୁ କମ୍‌ ୧୨.୬ ଡିଗ୍ରୀ ସେଲସିୟସ୍‌ ରହିଥିଲା ।