ଭୁବନେଶ୍ୱର,୧୨/୦୫: ଆଗକୁ ରାଜ୍ୟରେ ପ୍ରଚଣ୍ଡ ତାତି ଅନୁଭୂତ ହେବ । ପଶ୍ଚିମ ଓଡ଼ିଶା ତତଲା ଲୌହପିଣ୍ଡ  ପାଲଟିବ । କିଛି ସ୍ଥାନରେ ତାପମାତ୍ରା ୪୫  ଡିଗ୍ରୀ ଛୁଇଁବ । ସୋମବାର ସମ୍ବଲପୁର ଓ  ଟିଟିଲାଗଡ଼ରେ ତାତି ୪୪ ଡିଗ୍ରୀ ଛୁଇଁଯିବ ।  ମଙ୍ଗଳବାର ଏହି ଦୁଇ ସ୍ଥାନରେ ତାତି ୪୫  ଡିଗ୍ରୀ ରହିପାରେ । ଉତ୍ତର ଓ ଉପକୂଳ  ଓଡ଼ିଶାରେ ବି ଛଟପଟ କରିବ ତାତି ଓ ଗୁଳୁଗୁଳି । ପାଣିପାଗ ବିଭାଗ ଏଭଳି  ସତର୍କ କରାଇଛି । ସେପଟେ ବରିଷ୍ଠ  କୃଷି ପାଣିପାଗ ବିଷାରଦ ପ୍ରଫେସର  ଡା. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି,  ଆଗକୁ ତାତି ଆହୁରି ବଢ଼ିବ । 

ଆଞ୍ଚଳିକ ପାଣିପାଗ ବିଜ୍ଞାନ  କେନ୍ଦ୍ରର ଆକଳନ କହୁଛି, ସୋମବାର  ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ  ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିବ ।  ବଲାଙ୍ଗୀର, ଝାରସୁଗୁଡ଼ା,ଭବାନୀପାଟଣା, ସୁନ୍ଦରଗଡ଼ ଓ ଅନୁଗୁଳରେ ୪୩  ଡିଗ୍ରୀ, ନୂଆପଡ଼ା ଓ ବାରିପଦାରେ ୪୨, ବରଗଡ଼ ଓ ରାଉରକେଲାରେ ୪୧ ଡିଗ୍ରୀ ରହିପାରେ । ଆଭ୍ୟନ୍ତରୀଣ  ଓଡ଼ିଶାକୁ ବି ଜଳାଇବ ଭୀଷଣ ତାତି । ଭୁବନେଶ୍ୱର ଓ ଢେଙ୍କାନାଳରେ ତାତି ୪୨ ଡିଗ୍ରୀ ଛୁଇଁପାରେ । 

୧୩ ତାରିଖରେ ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼,  ବୌଦ୍ଧ ଓ ଅନୁଗୁଳରେ ତାତି ୪୪ ଡିଗ୍ରୀ ରହିପାରେ ।  ଭବାନୀପାଟଣା, ବାରିପଦା ଓ ନୂଆପଡ଼ାରେ ୪୩  ଡିଗ୍ରୀ ଛୁଇଁବ । ଉପକୂଳରେ ବି ୪୩ ଡିଗ୍ରୀ ପାଖାପାଖି  ରହିବ । ନୟାଗଡ଼ରେ ୪୩ ଡିଗ୍ରୀ, ଭୁବନେଶ୍ୱର,  କଟକ, ଖୋର୍ଦ୍ଧା, ଚାନ୍ଦବାଲି, ବାଲେଶ୍ୱରରେ ୪୨  ଛୁଇଁବ । 

୧୪ ତାରିଖରେ ପୂରା ଓଡ଼ିଶାରେ ପ୍ରଚଣ୍ଡ  ତାତି ଅନୁଭୂତ ହେବ । ପ୍ରାୟ ସବୁ ଜିଲ୍ଲାରେ ତାତି ୪୦  ଡିଗ୍ରୀ ଉପରେ ରହିବ । ପଶ୍ଚିମ, ଉତ୍ତର ଓ ଉପକୂଳ  ଓଡ଼ିଶାରେ ଭୟଙ୍କର ତାତି ଓ ଗୁଳୁଗୁଳି ହେବ । ପ୍ରଫେସର ଡା. ପଶୁପାଳକ କହିଛନ୍ତି, ୧୬ ତାରିଖ  ପରେ ତାତି ସାମାନ୍ୟ କମିପାରେ । ୨୨ ତାରିଖରୁ  ତାତି ବହୁତ ବଢ଼ିଯିବ । ଏବେ ତୁଳନାରେ ଆହୁରି  ପ୍ରଚଣ୍ଡ ତାତି ଅନୁଭୂତ ହେବ ବୋଲି ସେ କହିଛନ୍ତି ।  

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ୧୩  ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼,  ବଲାଙ୍ଗୀର, ବୌଦ୍ଧ, ଖୋର୍ଦ୍ଧା, କଟକ, କଳାହାଣ୍ଡି  ଓ ବାଲେଶ୍ୱରରେ ଗ୍ରୀଷ୍ମଲହରୀ ସ୍ଥିତି ରହିବ ।  ୧୪ ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର,  ସୁନ୍ଦରଗଡ଼, ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ,  କଟକ, ସୋନପୁର, କଳାହାଣ୍ଡି, ବାଲେଶ୍ୱର,  ନୟାଗଡ଼ ଓ ଭଦ୍ରକରେ ଗ୍ରୀଷ୍ମଲହରୀ ବହିପାରେ । 

 ୧୫ ତାରିଖରେ ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର,  ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର,  ନୂଆପଡ଼ା, ବୌଦ୍ଧ, ଖୋର୍ଦ୍ଧା, କଟକ, ସୋନପୁର,  କଳାହାଣ୍ଡି ଓ ନୟାଗଡ଼ରେ ଗ୍ରୀଷ୍ମପ୍ରବାହ ରହିବ ।

ରବିବାର ସମ୍ବଲପୁରରେ ଦିନ ତାପମାତ୍ରା ସବୁଠୁ  ଅଧିକ ବା ୪୩.୨ ଡିଗ୍ରୀ ରହିଥିଲା । ଏଠାରେ  ତାତି ସ୍ୱାଭାବିକଠାରୁ ପ୍ରାୟ ୨ ଡିଗ୍ରୀ ଅଧିକ ଥିଲା ।  ଟିଟିଲାଗଡ଼ରେ ୪୨.୫, ବଲାଙ୍ଗୀରରେ ୪୨,  ସୁନ୍ଦରଗଡ଼ରେ ୪୧.୮, ଅନୁଗୁଳରେ ୪୧.୭,  ହୀରାକୁଦ ଓ ଝାରସୁଗୁଡ଼ାରେ ୪୧.୬ ଡିଗ୍ରୀ ରେକର୍ଡ  ହୋଇଥିଲା । ଦିନ ସାଢ଼େ ୨ଟା ସୁଦ୍ଧା ରାଜଧାନୀରେ  ୪୦.୪ ଡିଗ୍ରୀ ଛୁଇଁଥିଲା । ଏହା ଚଳିତବର୍ଷ ପାଇଁ  ଭୁବନେଶ୍ୱରରେ ସର୍ବାଧିକ ଦିନ ତାପମାତ୍ରା ।