ଭୁବନେଶ୍ୱର,୧୦/୧୦: ରାଜ୍ୟରେ ଆସନ୍ତା ୧୨  ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା  କେତେକ ସ୍ଥାନରେ ହୋଇପାରେ । ଦକ୍ଷିଣ ଓଡ଼ିଶାର  ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ଅଛି । କିନ୍ତୁ,  ଏହାପରଠାରୁ ବର୍ଷା ପ୍ରାୟତଃ କମିଯିବ । କାଁ ଭାଁ ଘଡ଼ଘଡ଼ି  ସହ ବର୍ଷା ହେବ ।    

ଅନ୍ୟପଟେ ପାଣିପାଗ ବିଭାଗ ଆକଳନ କରିଛି,  ଆସନ୍ତା ୨-୩ ଦିନ ଭିତରେ ଓଡ଼ିଶା ସମେତ ବିହାର,  ଝାଡ଼ଖଣ୍ଡ ଓ ଗାଙ୍ଗେୟ ପଶ୍ଚିମବଙ୍ଗର କେତେକ ସ୍ଥାନରୁ  ଦକ୍ଷିଣ-ପଶ୍ଚିମ ମୌସୁମୀ ଚାଲିଯିବ । ୧୬ ତାରିଖ ସୁଦ୍ଧା  ସାରା ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ  କରିବା ସମ୍ଭାବନା ଅଛି । ସେହି ସମୟରେ ଦକ୍ଷିଣ ପୂର୍ବ  ଉପଦ୍ୱୀପୀୟ ଅଞ୍ଚଳରେ ଉତ୍ତର-ପୂର୍ବ ମୌସୁମୀ ବର୍ଷା  ଆଗମନର ସମ୍ଭାବନା ଅଛି ।    

ପୂର୍ବାନୁମାନ କହୁଛି, ୧୦ ତାରିଖରେ ରାଜ୍ୟର ଅଳ୍ପ  କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।  ଗଞ୍ଜାମ, ଗଜପତି, କନ୍ଧମାଳ, ମାଲକାନଗିରି, କେନ୍ଦ୍ରାପଡ଼ା,  ଭଦ୍ରକ, ଜଗତସିଂହପୁର, ମୟୂରଭଞ୍ଜରେ ସ୍ଥାନେ ସ୍ଥାନେ  ପ୍ରବଳ ବର୍ଷା ଆଶଙ୍କା ଅଛି । କେତେକ ଜିଲ୍ଲାରେ ବଜ୍ରପାତ  ନେଇ ସତର୍କ କରାଯାଇଛି । ୧୧ ତାରିଖରେ ଦକ୍ଷିଣ ଓଡ଼ିଶାର  ଅଳ୍ପ କେତେକ ସ୍ଥାନ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର  ସ୍ଥାନେ ସ୍ଥାନେ ବର୍ଷା ହୋଇପାରେ । ଗଞ୍ଜାମ, ଗଜପତି,  କୋରାପୁଟ, ମାଲକାନଗିରିର ଗୋଟିଏ ଦୁଇଟି ଜାଗାରେ  ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ଅଛି । ୧୨ରେ ମଧ୍ୟ  ଏଭଳି ପାଗ ରହିପାରେ । ୧୩ରୁ ବର୍ଷା ପରିମାଣ କମିଯିବ ।  କାଁ ଭାଁ ଘଡ଼ଘଡ଼ି ସହ ବର୍ଷା ହେବ । ରାତି ତାପମାତ୍ରାରେ  ଏବେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ ।    

ଗୁରୁବାର ସନ୍ଧ୍ୟା ସୁଦ୍ଧା ବାଲେଶ୍ୱର, ବାରିପଦା,  ନୂଆପଡ଼ା, ଭଦ୍ରକ, କେନ୍ଦୁଝର, କୋରାପୁଟ, ଟିଟିଲାଗଡ଼  ସମେତ କେତେକ ସ୍ଥାନରେ ଘଡ଼ଘଡ଼ି ସହ ହାଲୁକାରୁ  ମଧ୍ୟମ ଧରଣର ବର୍ଷା ହୋଇଥିଲା । ବୁଧବାର ମଧ୍ୟ  କେତେକ ଜିଲ୍ଲାରେ ବର୍ଷା ହୋଇଥିଲା । ଏହାସତ୍ତେ୍ୱ  ବାୟୁମଣ୍ଡଳରେ ଜଳୀୟ ବାଷ୍ପ ପରିମାଣ ଅଧିକ ରହୁଥିବାରୁ  ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି । ପାଣିପାଗ ବିଭାଗ  ୧୪ ଦିନ ପାଇଁ ଜାରି କରିଥିବା ପୂର୍ବାନୁମାନ ଅନୁସାରେ  ଆସନ୍ତା ୨୨ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ  ଏକ ଲଘୁଚାପ ସୃଷ୍ଟି ହୋଇ ଉତ୍ତର-ପଶ୍ଚିମ ଦିଗରେ ଗତି  କରିପାରେ । ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ ଏହାର  ପ୍ରଭାବ ଓଡ଼ିଶା ଉପରେ ପଡ଼ିବା ସମ୍ଭାବନା କମ୍‌ ।