ଭୁବନେଶ୍ୱର,୨୫/୧୦: ବାତ୍ୟା ଯିବା ପରେ ପୁଣି ଆଉ ଏକ  ଘୂର୍ଣ୍ଣିବଳୟ ଆସୁଛି । ସମ୍ଭବତଃ ଆସନ୍ତା ନଭେମ୍ବର ୫/୬ ତାରିଖବେଳକୁ ଉତ୍ତର ଆରବ ସାଗର ଓ ପାର୍ଶ୍ବବର୍ତ୍ତୀ  ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ  ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା  ସମ୍ଭାବନା ଅଛି । ପାଣିପାଗ ବିଭାଗର  ଆଗାମୀ ଦୁଇ ସପ୍ତାହ ପାଇଁ ଜାରି  ହୋଇଥିବା ବିସ୍ତାରିତ ପୂର୍ବାନୁମାନରେ  ଏହି ସୂଚନା ଦିଆଯାଇଛି । ତେବେ  ସମ୍ଭାବ୍ୟ ଘୂର୍ଣ୍ଣିବଳୟ  ଅଧିକ ଘନୀଭୂତ ହୋଇ ନ ପାରେ । 

ବାତ୍ୟା ଦାନା ପ୍ରକୋପରେ ବର୍ଷା ଲାଗି ରହିବ ଶୁକ୍ରବାର । ଶନିବାର ମଧ୍ୟ  ଅନେକ ସ୍ଥାନରେ ବର୍ଷା ହେବ । ରବିବାରଠାରୁ ପାଗ ଫିଟିବା ସମ୍ଭାବନା ଅଛି । ଶୁକ୍ରବାର ବାତ୍ୟା ପ୍ରକୋପରେ ପ୍ରବଳରୁ  ଅତି ପ୍ରବଳ ବର୍ଷା ଆଶଙ୍କା ଅଛି । ଅଧିକାଂଶ ସ୍ଥାନରେ ବର୍ଷା  ହେବ । ଅନୁଗୁଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ,  ଖୋର୍ଦ୍ଧା, ଭଦ୍ରକ, ଢେଙ୍କାନାଳ, ଯାଜପୁର ଓ ପୁରୀରେ  ପ୍ରବଳରୁ ଅତି ପ୍ରବଳ ବର୍ଷା (୭୦ ମିଲିମିଟରରୁ ୨୦୦ ମିମି  ଯାଏଁ) ବର୍ଷା ହୋଇପାରେ । ଏପରିକି ସ୍ଥାନେ ସ୍ଥାନେ ୨୦୦  ମିମିରୁ ଅଧିକ ବର୍ଷା ଆଶଙ୍କା ରହିଛି । ଏହି ୯ ଜିଲ୍ଲାରେ  ରେଡ୍‌ ଆଲର୍ଟ ଜାରି କରାଯାଇଛି । 

କେନ୍ଦୁଝର, ମୟୂରଭଞ୍ଜ,  ବାଲେଶ୍ୱର, ନୟାଗଡ଼, ବୌଦ୍ଧ, ସୋନପୁରରେ ପ୍ରବଳରୁ  ପ୍ରବଳତର ବର୍ଷା ହୋଇପାରେ । ଏସବୁ ଜିଲ୍ଲା ପାଇଁ ଅରେଞ୍ଜ୍‌  ୱାର୍ଣ୍ଣିଂ ଜାରି ହୋଇଛି । କନ୍ଧମାଳ, ଗଞ୍ଜାମ, ସମ୍ବଲପୁର,  ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼ରେ ୭୦ରୁ ୧୧୦  ମିମି ବର୍ଷା ହୋଇପାରେ । ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ  ଜାରି ହୋଇଛି । ୨୬ ତାରିଖରେ ବର୍ଷା ପ୍ରକୋପ କମିବ ।  ତଥାପି ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ସମ୍ଭାବନା  ଅଛି । ଉତ୍ତରରେ ଅଳ୍ପ କିଛି ଜାଗାରେ ବର୍ଷା ହୋଇପାରେ ।  ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି,  ନବରଙ୍ଗପୁରରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ ।  ୨୭ ତାରିଖରୁ ବିଶେଷ ବର୍ଷା ସମ୍ଭାବନା ନାହିଁ ।