ଭୁବନେଶ୍ୱର ୨୩/୦୧: କାଲୁଆ କୋରାପୁଟରେ ଖରା ତାଉ । ଭାଙ୍ଗିଲା ଜାନୁଆରୀର ସର୍ବକାଳୀନ ତାତି  ରେକର୍ଡ । ସ୍ୱାଭାବିକଠାରୁ ସାଢ଼େ ୫ ଡିଗ୍ରୀ  ଉପରକୁ ଡେଇଁ ବୁଧବାର କୋରାପୁଟରେ  ଦିନ ତାପମାତ୍ରା ୩୩.୨ ଡିଗ୍ରୀ  ସେଲସିୟସ୍‌ରେ ପହଞ୍ଚିଛି । ଜାନୁଆରୀ  ମାସରେ କୋରାପୁଟରେ କେବେ ଏମିତି ଗରମ ଅନୁଭବ ହୋଇନଥିଲା । 

ଏହାପୂର୍ବରୁ ୨୦୦୯ ଜାନୁଆରୀ  ୩୧ରେ କୋରାପୁଟରେ ସର୍ବୋଚ୍ଚ ତାତ ଥିଲା ୩୩ ଡିଗ୍ରୀ । ଏଥର ଜାନୁଆରୀର ସବୁ ତାତି ରେକର୍ଡ ଭାଙ୍ଗିଛି କୋରାପୁଟ । ଏଭଳି ସ୍ଥିତି ପାଣିପାଗ ବିଜ୍ଞାନୀଙ୍କୁ  ଚମକାଇ ଦେଇଛି । ରେକର୍ଡ କହୁଛି,  ୨୦୦୯ ଜାନୁଆରୀରେ କୋରାପୁଟରେ ଏଭଳି ଭୀଷଣ ଗରମ ଅନୁଭୂତ  ହୋଇଥିଲା । ସେହି ବର୍ଷ ଏପ୍ରିଲ  ଓ ମେ’ ମାସରେ ଭୀଷଣ ଗ୍ରୀଷ୍ମ  ପ୍ରବାହରେ ଜଳିଥିଲା ଓଡ଼ିଶା । ୨୦୦୯  ଗ୍ରୀଷ୍ମ ପ୍ରବାହରେ ରାଜ୍ୟରେ ୧୧୩  ଜଣଙ୍କର ମୃତ୍ୟୁ ହୋଇଥିଲା । ଏ ବର୍ଷ  ଜାନୁଆରୀର ଗରମ ପୁଣି ଥରେ ଭୀଷଣ  ତାତିର ସଙ୍କେତ ଦେଉନି ତ? ରାଜ୍ୟରେ ହଠାତ୍‌ ଯେମିତି ଗରମ  ପବନ ପଶିଯାଇଛି । ଟାଣ ହୋଇଛି ଖରା ।  ଘରେ ବି ଗରମ ଲାଗୁଛି । ଏପଟେ ରାତିର  ଶୀତ ପ୍ରବାହ ବି କମିଛି । 

ପାଣିପାଗ  ବିଭାଗ କହୁଛି, ଦିନ ତାପମାତ୍ରା ଏମିତି  ରହିବ । ରାତି ତାପମାତ୍ରା ଯେତିକି ଅଛି,  ତା’ଠାରୁ ୨ରୁ ୪ ଡିଗ୍ରୀ ସେଲସିୟସ୍‌  ବଢ଼ିଯିବ । ଅର୍ଥାତ୍‌ ଶୀତ ଏକରକମ  ଗାଏବ ହୋଇଯିବ ବର୍ତ୍ତମାନ ପାଇଁ ।  ଜାନୁଆରୀ ଯାଇନି । ଏବେଠାରୁ ତାଉ  ଦେଖାଇଲାଣି ଖରା । ପ୍ରାୟ ସବୁଠି  ସ୍ୱାଭାବିକଠାରୁ ଅଧିକ ରହିଛି ଦିନ  ତାପମାତ୍ରା । 

ପାରଳାଖେମୁଣ୍ଡିରେ ଦିନ ତାପମାତ୍ରା ୩୪.୨ ଡିଗ୍ରୀ  ସେଲସିୟସ୍‌ ଛୁଇଁଥିବାବେଳେ ଅଧିକାଂଶ ସ୍ଥାନରେ  ପାରଦ ୩୨ ଉପରେ ରହିଛି । କୋରାପୁଟ ଭଳି  ଥଣ୍ଡା ଅଞ୍ଚଳରେ ଦିନ ତାପମାତ୍ରା ୩୩ ଡିଗ୍ରୀ ଟପିଛି ।  କେନ୍ଦୁଝର ଓ ଝାରସୁଗୁଡ଼ାରେ ଦିନର ତାପମାତ୍ରା  ଯେତିକି ରହିବା କଥା, ତା’ଠାରୁ ୪.୮ ଡିଗ୍ରୀ ଅଧିକ  ଅଛି । ଅନୁଗୁଳରେ ୨.୮, ବାଲେଶ୍ୱରରେ ୩.୭,  ଭୁବନେଶ୍ୱରରେ ୨.୨, ସମ୍ବଲପୁରରେ ୩.୬ ଡିଗ୍ରୀ  ସେଲସିୟସ୍‌ ଅଧିକ ରହିଛି ଦିନ ତାପମାତ୍ରା । 

ବୁଧବାର ବରଗଡ଼ର ଦିନ ତାପମାତ୍ରା ୩୩ ଡିଗ୍ରୀ  ଥିବାବେଳେ ସୁନ୍ଦରଗଡ଼ ୩୩.୫, ଝାରସୁଗୁଡ଼ା ୩୩,  ନୂଆପଡ଼ା ୩୨.୪, ଟିଟିଲାଗଡ଼ ୩୨.୫, ଜଗତସିଂହପୁର  ୩୨.୫, ସମ୍ବଲପୁର ୩୨.୩, ମାଲକାନଗିରି ୩୨.୨,  ତାଳଚେର ୩୨.୨, ଅନୁଗୁଳ ୩୨.୧, ନବରଙ୍ଗପୁର ୩୨, ଭୁବନେଶ୍ୱର ୩୧.୯, ବାଲେଶ୍ୱର ୩୦.୮ ଡିଗ୍ରୀ  ସେଲସିୟସ୍‌ ଥିଲା । ଅନ୍ୟପଟେ ରାତି ତାପମାତ୍ରା  ବି ବଢ଼ିବାରେ ଲାଗିଛି । ମଙ୍ଗଳବାର ରାତିରେ  ଫୁଲବାଣୀକୁ ବାଦ୍‌ ଦେଲେ କୌଣସି ସ୍ଥାନରେ ପାରଦ  ୧୦ ଡିଗ୍ରୀ ତଳେ ନଥିଲା । ଉପକୂଳ ଅଞ୍ଚଳରେ ରାତି ତାପମାତ୍ରା ୧୫ ଡିଗ୍ରୀ ପାଖାପାଖି ପହଞ୍ଚିଛି । 

ପାଣିପାଗ ବିଭାଗ କହିଛି, ବର୍ତ୍ତମାନ କୁହୁଡ଼ି ଲାଗି ରହିବ ୨୪ ତାରିଖ ପର୍ଯ୍ୟନ୍ତ । ୨୩ ତାରିଖ  ସକାଳେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକର କିଛି ସ୍ଥାନ ସମେତ କଟକ, ଖୋର୍ଦ୍ଧା, ପୁରୀ, ଯାଜପୁର,  ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ,  ଝାରସୁଗୁଡ଼ା, ସୁନ୍ଦରଗଡ଼ରେ ମଧ୍ୟମ ଧରଣର କୁହୁଡ଼ି ହେବ । ଜଗତସିଂହପୁର, କେନ୍ଦ୍ରାପଡ଼ା ଓ  ଭଦ୍ରକର ସ୍ଥାନେ ସ୍ଥାନେ ଘନ କୁହୁଡ଼ି ଆଶଙ୍କା ଅଛି ।  

ବିଶେଷଜ୍ଞ କହିଛନ୍ତି, ବର୍ତ୍ତମାନ ଉତ୍ତର ଭାରତ  ଉପରେ ପଶ୍ଚିମା ଝଡ଼ ପ୍ରଭାବ ରହିଛି । ଏପଟେ  ବାୟୁମଣ୍ଡଳ ମଧ୍ୟଭାଗରେ ଜଳୀୟ ବାଷ୍ପ ନଥିବାରୁ  ସୂର୍ଯ୍ୟ କିରଣ ସିଧା ପଡ଼ିବାରୁ ତାପମାତ୍ରା ବଢ଼ିଛି ।  ୨୫ ଯାଏଁ ଏଭଳି ପାଗ ରହିପାରେ ।