ଭୁବନେଶ୍ୱର,୩୧/୦୨: ଆସନ୍ତା ୨ ତାରିଖରୁ ରାଜ୍ୟରେ ହାଲୁକା ବର୍ଷା ହୋଇପାରେ । ୨ରୁ ୫ ତାରିଖ ଯାଏ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।  

୨ ତାରିଖରେ କୋରାପୁଟ ଓ  ମାଲକାନଗିରିର କିଛି ସ୍ଥାନରେ ସ୍ୱଳ୍ପ  ବର୍ଷା ହୋଇପାରେ । ୩ ତାରିଖରେ କୋରାପୁଟ, ମାଲକାନଗିରି, ରାୟଗଡ଼ା,  ନବରଙ୍ଗପୁର ଓ କଳାହାଣ୍ଡିରେ ସ୍ୱଳ୍ପ  ବର୍ଷା ସମ୍ଭାବନା ଅଛି । ୪ ତାରିଖରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ ଗଜପତିରେ  ବର୍ଷା ହେବ । ୫ରେ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ  ବର୍ଷା ହୋଇପାରେ। ଜଗତସିଂହପୁର,  ପୁରୀ ଓ ଗଞ୍ଜାମରେ ବର୍ଷା ସମ୍ଭାବନା ଅଛି । 

ସୋମବାର ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । କେବଳ ଟିଟିଲାଗଡ଼, ସମ୍ବଲପୁର,  ଅନୁଗୁଳ, ବୌଦ୍ଧ ଓ ଭବାନୀପାଟଣାରେ  ତାପମାତ୍ରା ୪୦ ଡିଗ୍ରୀ ରହିବ । ଝାରସୁଗୁଡ଼ା,  ରାଉରକେଲା ଓ ସୁନ୍ଦରଗଡ଼, ବାରିପଦା  ଓ ଢେଙ୍କାନାଳରେ ୩୯, ନବରଙ୍ଗପୁର  ଓ ଚାନ୍ଦବାଲିରେ ତାପମାତ୍ରା ୩୮ ଡିଗ୍ରୀ ରହିବ ବୋଲି ପୂର୍ବାନୁମାନ କରାଯାଇଛି ।  

ରବିବାର ବୌଦ୍ଧରେ ୪୧.୮, ଝାରସୁଗୁଡ଼ାରେ  ୪୧.୬, ସମ୍ବଲପୁରରେ ୪୧.୨, ହୀରାକୁଦ  ଓ ବଲାଙ୍ଗିରରେ ୪୧, ଭବାନୀପାଟଣାରେ ୪୦.୮, ସୁନ୍ଦରଗଡ଼ରେ ୪୦.୩ ଡିଗ୍ରୀ  ରେକର୍ଡ ହୋଇଛି । ଗତକାଲି ତୁଳନାରେ ଅଧିକାଂଶ ସ୍ଥାନରେ ତାପମାତ୍ରା ଖସିଛି ।