କଟକ,୧୬/୧୦ : ପଏଣ୍ଟ୍‌ ଅଫ୍‌ ସେଲ୍‌ (ପିଓଏସ୍‌) ମେସିନ୍‌ ସହ ଓଜନ ମାପ ମେସିନ୍‌କୁ ସଂଯୋଗ କରାଯିବ । ଫଳରେ ଖାଉଟିମାନେ ତାଙ୍କର ଧାର୍ଯ୍ୟ ଓଜନର ସାମଗ୍ରୀ ମେସିନ୍‌ରେ ଓଜନ କରିବା ପରେ ନେବେ । ପ୍ରଥମ ଥର ପାଇଁ ରାଜ୍ୟରେ ଏହି ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି । ଏହାଦ୍ୱାରା ଉଭୟ ଖାଉଟି ଏବଂ ଡିଲରଙ୍କ ପାଇଁ ସମସ୍ୟା ଉପୁଜିବ ବୋଲି ଦର୍ଶାଇ ଡିଲର ଆସୋସିଏସନ୍‌ ପକ୍ଷରୁ ଏହାର ବିରୋଧ କରାଯାଇଛି । ଖାଉଟି ସାମଗ୍ରୀର ସୁଷମ ବଣ୍ଟନ ପାଇଁ ରାଜ୍ୟରେ ପିଓଏସ୍‌ ମେସିନ୍‌ର ବ୍ୟବହାର କରାଯାଇଥିଲା । ଏହି ମେସିନ୍‌ ଜରିଆରେ ଜଣେ ଖାଉଟି ଟିପଚିହ୍ନ ହେଉ ଅବା ଆଖି ସ୍କାନ୍‌ କରି ଖାଉଟି ସାମଗ୍ରୀ ନେଇ ପାରୁଥିଲେ। 

ରାଜ୍ୟ ସରକାର ଚଳିତ ମାସରେ ପ୍ରଥମ ଥର ପାଇଁ ପ୍ରତ୍ୟେକ ଡିଲର ପଏଣ୍ଟରେ ନୂତନ ଓଜନ ମାପ ମେସିନ୍‌ ବ୍ୟବହାର ବାଧ୍ୟତାମୂଳକ କରିଛନ୍ତି । ଏହି ମେସିନ୍‌ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଡିଲର ପଏଣ୍ଟକୁ ପ୍ରଦାନ କରାଯାଇଛି । ଏହି ଓଜନ ମାପ ମେସିନ୍‌କୁ ପିଓଏସ୍‌ ମେସିନ୍‌ ସହ ସଂଯୋଗ କରାଯିବ । ନୂଆ ବ୍ୟବସ୍ଥା ଅନୁସାରେ, ଜଣେ ଖାଉଟି ତାଙ୍କ ସାମଗ୍ରୀ ନେବାବେଳେ କେବଳ ଫିଙ୍ଗର୍‌ ପ୍ରିଣ୍ଟ ଦେଇଦେଲେ ସାମଗ୍ରୀ ନେଇପାରିବେ ନାହିଁ । ତାଙ୍କର ଧାର୍ଯ୍ୟ ପରିମାଣ ଖାଉଟି ସାମଗ୍ରୀ ଓଜନ ମେସିନ୍‌ରେ ମାପ ପରେ ସେ ସାମଗ୍ରୀ ନେବେ । ଅର୍ଥାତ୍‌ ଯେ ପର୍ଯ୍ୟନ୍ତ ତାଙ୍କ ସାମଗ୍ରୀ ଓଜନ ମାପ ମେସିନରେ ପ୍ରଦର୍ଶିତ ହୋଇନାହିଁ ସେପର୍ଯ୍ୟନ୍ତ ସେ ସାମଗ୍ରୀ ନେଲେ ବୋଲି ଧରାଯିବ ନାହିଁ । ନୂତନ ଓଜନ ମେସିନ୍‌କୁ ନେଇ ଯଦିଓ କୌଣସି ଅସୁବିଧା ନାହିଁ କିନ୍ତୁ ଯେଉଁଭଳି ଢଙ୍ଗରେ ଏହି ମେସିନ୍‌ର ବ୍ୟବହାର ପାଇଁ ନିର୍ଦ୍ଦେଶାବଳୀ ଜାରି ହୋଇଛି ତାହା ଡିଲରମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । 

ଡିଲରମାନଙ୍କ କହିବା କଥା, ଓଡ଼ିଶାରେ ଥରକେ ତିନି ମାସର କୋଟା ଦିଆଯାଉଛି । ଏହି ବ୍ୟବସ୍ଥା ଲାଗୁ ପରେ ପୂର୍ବଭଳି ଏକାଥରକେ ତିନି ମାସର ସାମଗ୍ରୀ ଓଜନ ଏକାଥରକେ ଡିଲର୍‌ ଦେଇପାରିବେନାହିଁ । ପ୍ରତି ମାସର କୋଟାକୁ ଥର ଥର କରି ତିନି ଥର ଓଜନ କରି ଖାଉଟିଙ୍କୁ ଦିଆଯିବ । ପ୍ରତି ମାସର ଚାଉଳ ପୃଥକ ପୃଥକ କରି ମେସିନରେ ଓଜନ କରି ଦିଆଯିବା ଦ୍ୱାରା ବହୁତ ସମୟ ଲାଗିବ । ଅନ୍ୟପକ୍ଷରେ ଯଦି ଜଣେ ଖାଉଟି ୨୫ କେଜି ନେଇ ସାରିଛନ୍ତି କୌଣସି କାରଣରୁ ସର୍ଭର ଡାଉନ୍‌ ହୋଇଗଲା ତାହେଲେ ତାଙ୍କୁ ବାକି ଦୁଇ ମାସର କୋଟା ପାଇଁ ପୁଣି ଅପେକ୍ଷା କରିବାକୁ ପଡ଼ିବ । ସର୍ଭର ଠିକ୍‌ ହେବା ପରେ ହିଁ ସେ ନିଜର ସାମଗ୍ରୀ ନେଇପାରିବେ । ଦ୍ୱିତୀୟରେ ଡିଲର ପଏଣ୍ଟରେ ପହଞ୍ଚୁଥିବା ଖାଉଟି ସାମଗ୍ରୀର ମାପରେ କେବେ ବି ସଠିକ୍‌ ରହିନଥାଏ । ଜିଲ୍ଲା ଯୋଗାଣ ବିଭାଗର ବାରମ୍ବାର ତାଗିଦ୍‌ ସତ୍ତେ୍ୱ ଯୋଗାଣ କଣ୍ଟ୍ରାକ୍ଟରମାନେ ସେମାନଙ୍କ ମନମାନି ଚଳାଇ ଆସିଛନ୍ତି । ପ୍ରତି ୫୦ କେଜି ବସ୍ତାରୁ ୨ରୁ ୩କେଜି ଚାଉଳ କମ୍‌ କରି ଏହି କଣ୍ଟ୍ରାକ୍ଟରମାନେ ଡିଲର ପଏଣ୍ଟରେ ପହଞ୍ଚାଇଥାନ୍ତି । ଏନେଇ ଡିଲରମାନେ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କ ନିକଟରେ ଯେତେ ଅଭିଯୋଗ କଲେ ମଧ୍ୟ ଏହାର କୌଣସି ସୁଫଳ ମିଳେନାହିଁ । ତେଣୁ କମ୍‌ ପରିମାଣର ଆସୁଥିବା ଚାଉଳକୁ ଡିଲରମାନେ କିପରି ସଠିକ୍‌ ଭାବେ ପ୍ରତ୍ୟେକ ଖାଉଟିଙ୍କୁ ପ୍ରଦାନ କରିବେ ଏହା ଏବେ ସେମାନଙ୍କ ଲାଗି ଚିନ୍ତାର କାରଣ ହୋଇଛି । 

ଏ ସଂକ୍ରାନ୍ତରେ ଖୁଚୁରା ବିକ୍ରେତା ମହାସଂଘର ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ ସୟଦ୍‌ ଏକ୍ରାମ ହୁସେନ୍‌ କହିଛନ୍ତି ଯେ, ଏବେ ଡିଲରଙ୍କୁ ଜଣେ ଖାଉଟିଙ୍କୁ ତାଙ୍କ ଖାଉଟି ସାମଗ୍ରୀ ଦେବାଲାଗି ତିନି ତିନି ଥର ଓଜନ କରିବାକୁ ପଡ଼ିବ । ଏବେ ପୁଣି ରାଜ୍ୟ ସରକାର ୫କେଜି ଚାଉଳ ବଦଳରେ ୪ କିଲୋ ଚାଉଳ ଓ ଗୋଟେ କେଜି ଗହମ ଦେବାକୁ ନିଷ୍ପତ୍ତି କରିଛନ୍ତି । ତେଣୁ ତିନି ମାସରେ ଆସୁଥିବା କୋଟାକୁ ଏକାଥରକେ ନଦେଇ ମାସ ଅନୁସାରେ ଚାଉଳକୁ ତିନିଥର ଏବଂ ଗହମକୁ ତିନିଥର ଏହିଭଳି ଭାବେ ମୋଟ୍‌ ଛଅ ଥର ଓଜନ କରି ଦେବାକୁ ପଡ଼ିବ । ଯାହାକି ବାଣ୍ଟିବାରେ ଏକ ବିରାଟ ସମସ୍ୟା ସୃଷ୍ଟି କରିବ । ଏଦିଗରେ ରାଜ୍ୟ ସରକାର ପୁଣି ଥରେ ବିଚାର କରିବାକୁ ସଂଘ ପକ୍ଷରୁ ଦାବି ହୋଇଛି ।